କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଜୀବନରେ ଉତ୍କର୍ଷ ସାଧନ କର’

ଭୁବନେଶ୍ୱର: କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉତ୍ସବ-୨୦୧୯’ ବିଦ୍ୟାଳୟ ପରିସରରେ କିଟ୍‌ର ପ୍ରତିଷ୍ଠାତା ସଭ୍ୟ ତଥା ଏହାର ଚେୟାରମ୍ୟାନ୍‌ ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପ୍ରତ୍ୟେକ ମଣିଷ ନିଜର ଅନ୍ତର୍ନିହିତ ମୂଲ୍ୟବୋଧକୁ ଆବିଷ୍କାର କରିବା ସହ ଜୀବନରେ ଉତ୍କର୍ଷ ସାଧନ କରିବା ଆବଶ୍ୟକ। ଜଣେ ସଚେତନ ଅନ୍ତର୍ଦ୍ରଷ୍ଟା ହିଁ ଯଥାର୍ଥ ଦୂରଦ୍ରଷ୍ଟା ହୋଇପା‌ରେ। ଯେକୌଣସି ବିଭାଗରେ ଉତ୍କର୍ଷ ସାଧନ କରାଯାଇପାରେ। ଜୀବନର ପ୍ରତ୍ୟେକ ଦିନ, ମାସ, ବର୍ଷ ଉଚ୍ଚ ଅଧ୍ୟୟନ ପୂର୍ବକ ଜ୍ଞାନାର୍ଜନରେ ଉତ୍ତରୋତ୍ତର ଉନ୍ନତି ସାଧନ କରିବା ବିଧେୟ। ସେହିପରି ମାନବିକତାର ବିକାଶ ଏବଂ ‘ମାନବ ସେବା ହିଁ ମାଧବ ସେବା’ ବାସ୍ତବରେ ଯେ ଧର୍ମର ମୂଳମନ୍ତ୍ର, ତାହା ନିଜସ୍ୱ ଅନୁଭବରୁ ଡ. ପଟ୍ଟନାୟକ ଉପସ୍ଥାପନ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ମଣିଷ ଜୀବନ ସମୟ ରୂପି କାରାଗାରର ଅଧୀନ ଏବଂ ଗତିଶୀଳ। ପ୍ରତ୍ୟେ‌କେ ନିଜ ନିଜ ଭିତରର ଶୀର୍ଷବିନ୍ଦୁ ପ୍ରତି ସଚେତନ ଓ ପରିଚିତ ହେବା ଜରୁରୀ। ଏଥିପାଇଁ ଜ୍ଞାନାର୍ଜନର ମନୋବୃତ୍ତି, କାର୍ଯ୍ୟକାରିତା ବ୍ୟାପକ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସେ ମଧ୍ୟ ଉତ୍କର୍ଷକୁ ଗୁରୁତ୍ୱ ପ୍ରଦାନ କରି ଏହାକୁ ‘ଦୂର ଦିଗବଳୟର ତାରା’ ସଦୃଶ ବୋଲି ସୂଚାଇଥିଲେ। ସେ ଆହୁରି କହିଥିଲେ ଯେ ଏକରୁ ଅନେକ ହେବା, ସମୂହ ପ୍ରତି ସମର୍ପିତ ହେବା ହିଁ ଆଧ୍ୟାତ୍ମିକତାର ମୂଳ ବୈଶିଷ୍ଟ୍ୟ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ସ୍ମାର୍ଟ ସିଟି ଭୁବନେଶ୍ୱରର ଗୌରବମୟ ଗାଥା ସଂପର୍କିତ ସୂଚନା ଦେଇଥିଲେ। ପ୍ରତିଟି ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷା ଓ ଗୁରୁଙ୍କ ମହତ୍ତ୍ୱ ବୁଝାଇଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ବିଜ୍ଞାନୀ’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଚେୟାରମ୍ୟାନ୍‌ ଡ. ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଭାଇସ୍‌ ଚେୟାରମ୍ୟାନ୍‌ ଡ. ପ୍ରଶାନ୍ତ କୁମାର ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଡ. ପଠାଣି ସୁନ୍ଦର ମାନସିଂହ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ‘ବିଜ୍ଞାନ ମେଳା’କୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଉପାଧ୍ୟକ୍ଷ ଡ. ରୁଦ୍ରନାରାୟଣ ନନ୍ଦ ଧନ୍ୟବାଦ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର