ଅସୁରେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍‌ଘାଟିତ

‘ଶିକ୍ଷା ସହ କ୍ରୀଡା, ସଂଗୀତ, ଆଧ୍ୟାତ୍ମିକ ଚିନ୍ତାଧାରା ବି ଗୁରୁତ୍ବପୂର୍ଣ୍ଣ’

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଳକ୍‌ ଅନ୍ତର୍ଗତ ଅସୁରେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହ ଆଜି ଉଦ୍‌ଘାଟିତ ହୋଇଛି।

ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବକୁ ଉଦ୍‌ଘାଟନ କରି ଶିକ୍ଷା ସହ ସଂଗୀତ, କ୍ରୀଡା ଓ ଆଧ୍ୟାତ୍ମିକତାକୁ ସମାନ ଭାବେ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ଓଡିଶା ମାଟିର ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସନ୍ତାନ ଭାବେ ଗର୍ବ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ପିଲାମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଅଭିଭାବକ ଓ ମୁରବିମାନେ ଶିକ୍ଷାନୁଷ୍ଠାନ ସହିତ ସଂପୃକ୍ତ ରହିଲେ ବିଦ୍ୟାଳୟର ଉନ୍ନତି ହେବା ସହ ପିଲାମାନଙ୍କର ଉନ୍ନତି ହୋଇପାରିବ| ବୋଲି କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟସଭା ସଦସ୍ୟ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, କର୍ମବୀର ଗୌରୀଶଙ୍କର ଥିଲେ ଏହି ଅନୁଷ୍ଠାନର ପ୍ରଥମ ବର୍ଷର ଛାତ୍ର। ଆସନ୍ତା ୨୫ ବର୍ଷ ପରେ ପାଳନ ହେବାକୁ ଥିବା ଏହି ଅନୁଷ୍ଠାନର ଶତବାର୍ଷିକୀ ଉତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଛାତ୍ରଛାତ୍ରୀମାନେ ସଂକଳ୍ପ ନେବାକୁ ସେ ପରାମର୍ଶ ଦେଇଥିଲେ।| ଏହି ଅଞ୍ଚଳର ରମାନାଥ ମହାନ୍ତି ରେଭେନ୍ସା କଲେଜରେ ତାଙ୍କର ଶିକ୍ଷକ ଥିଲେ| ବୋଲି କହିବା ସହ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପରେଶ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର କିଶୋର କୁମାର ପଣ୍ତାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେକମିଟିର ସଂପାଦକ ପ୍ରମୋଦ କୁମାର ଦାସ ବିବରଣୀ ପାଠ କରିଥିବା ବେଳେ ପୁରାତନ ଛାତ୍ର ବିଜୟ କୁମାର ବଳ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର