ବାଲିକୁଦା ‘ସମ୍ବାଦ-ସାହିତ୍ୟଘର’ର ବାର୍ଷିକ ଉତ୍ସବ : ସାହିତ୍ୟିକ ରାଜନୀତିକୁ ଘୃଣା କରିବା ସମାଜ ପାଇଁ ବିପଦ

ବାଲିକୁଦା/ଜଗତସିଂହପୁର ଟାଉନ୍ : ସାହିତ୍ୟିକମାନେ ରାଜନୀତିକୁ ଘୃଣା କରିବା ସମାଜ ପାଇଁ ବିପଦ। ଅନ୍ୟ ଭାବ‌େ କହିବାକୁ ଗଲେ, ସାହିତ୍ୟିକମାନେ ରାଜନୈତିକ ବ୍ୟକ୍ତିବିଶେଷଙ୍କର ଘନିଷ୍ଠ ହେଲେ ହିଁ ସମାଜର ସମୂହ ହିତ ସାଧନ ହୋଇପାରିବ। ଆଜି ବାଲିକୁଦା ‘ସମ୍ବାଦ ସାହିତ୍ୟଘର’ର ଅଷ୍ଟମ ବାର୍ଷିକ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ, ‘ସମ୍ବାଦ ସାହିତ୍ୟଘର’ର ପ୍ରତିଷ୍ଠାତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ‘ସମ୍ବାଦ-ସାହିତ୍ୟଘର’ର ବାର୍ଷିକ ଉତ୍ସବ। ଏଥିରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସାହିତ୍ୟ ଓ ରାଜନୀତି ଭିତରେ ଏକ ବିଚାର ବିଭ୍ରାଟ ଅଛି। ସାହିତ୍ୟିକ ବନ୍ଧୁମାନେ ରାଜନୀତିକୁ ଘୃଣା କରିବା ଆମ ସମାଜ ପାଇଁ ବଡ଼ ବିପଦ। ସାହିତ୍ୟ ରାଜନୀତିର ଊର୍ଦ୍ଧ୍ବକୁ ଯିବା ଆଦୌ ଉଚିତ ନୁହେଁ। ସାହିତ୍ୟ ଓ ରାଜନୀତିର ଲକ୍ଷ୍ୟ ସମୂହ ହିତସାଧନ। ଭାଷା ଓ ଭାବକୁ ନେଇ ଯେଉଁ ଖେଳ ଖେଳାଯାଏ ତାହା ସାହିତ୍ୟ। ବିନା ଭାଷାରେ ସାହିତ୍ୟ ସୃଷ୍ଟି ସମ୍ଭବ ନୁହଁ ଓ ବିନା ଭାବରେ ସାହିତ୍ୟର ମୂଲ୍ୟ ନିରର୍ଥକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସଭାପତି ସୁଶ୍ରୀ ସ୍ମିତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ସମାଜ ହିତ ପାଇଁ କାମ କରୁଥିବାରୁ ବାଲିକୁଦା ସାହିତ୍ୟଘରର ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ। ବାଣୀକ୍ଷେତ୍ର ଜଗତସିଂହପୁର ମାଟିରେ ସମୂହ ହିତ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସାହିତ୍ୟ ଜୀବନ ଓ ଜୀବିକାର ଭାଷା ସହ ମାନବବାଦର ଭାଷା ଶିଖାଏ ବୋଲି କହିବା ସହ ଓଡ଼ିଆର ଲିପି ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିଲେ।

‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ସାହିତ୍ୟଘରର ଉଦ୍ଦେଶ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ। ନୂତନ ସଦସ୍ୟ ଗ୍ରହଣ ସହ ସମାଜ ବିକାଶମୂଳକ କାମରେ ସଦସ୍ୟମାନେ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର କଲ୍ୟାଣ ସୌରଭ ଦାଶ ଯୋଗ ଦେଇଥିଲେ।

‘ସମ୍ବାଦ’ ଓ କନକ ନ୍ୟୁଜ୍‌ ପ୍ରତିନିଧି ସୋମନାଥ ପରିଡ଼ା ସଭା ସଂଯୋଜନା କରିଥିବାବେଳେ ବାଲିକୁଦା ପ୍ରତିନିଧି ତଥା ସାହିତ୍ୟଘରର ବ୍ଲକ୍‌ ସଂଯୋଜକ ସଂଜୟ ମହାନ୍ତି କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ସାହିତ୍ୟଘରର ସମ୍ପାଦକ ଦୀପ୍ତି ରଂଜନ ଶତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ, ଧନ୍ୟବାଦ ଦେଇଥିଲେ ସାହିତ୍ୟଘରର ଉପ ସଭାପତି ସନ୍ତୋଷ କୁମାର ବିଶ୍ୱାଳ।

ସମ୍ବନ୍ଧିତ ଖବର