ବଡ଼ବିଲ ସମ୍ବାଦ ସାହିତ୍ୟଘର ବାର୍ଷିକ ଉତ୍ସବ: ‘ରାଜନେତାଙ୍କୁ ବାଟ ଦେଖାଏ ସାହିତ୍ୟ’

କେନ୍ଦୁଝର/ବଡ଼ବିଲ : ସାହିତ୍ୟ ଓ ରାଜନୀତି ମଧ୍ୟରେ ନିଗୂଢ଼ ସଂପର୍କ ରହିଛି। ରାଜନେତାଙ୍କୁ ଠିକ୍‌ ବାଟରେ ପରିଚାଳିତ କରିବାରେ ସାହିତ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ସାମଜିକ ଦାୟିତ୍ବୟବୋଧ ତୁଲାଇବାକୁ ବୁଦ୍ଧି ଦେଇଥଏ ସାହିତ୍ୟ। କେନ୍ଦୁଝର ଜିଲ୍ଲା ବଡ଼ବିଲ ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବରେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ବଡ଼ବିଲ ଟାଉନ୍‌ହଲ୍‌ରେ ରବିବାର ଦିନ ଆୟୋଜିତ ଏହି ଦ୍ବିତୀୟ ବାର୍ଷିକ ଉତ୍ସବରେ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ସେ କହିଥିଲେ, ଅନେକ ସାହିତ୍ୟିକ ଭାବନ୍ତି ରାଜନୀତି କରିବା ଅର୍ଥ କେବଳ ନିର୍ବାଚନରେ ଭାଗନେବା। ଅନେକ ସାହିତ୍ୟିକ ମଧ୍ୟ ରାଜନୀତିକୁ ଘୃଣା କରନ୍ତି। ମାତ୍ର ରାଜନୀତି ସହିତ ସାହିତ୍ୟର ନିଗୂଢ଼ ସଂପର୍କ ଅଛି। ରାଜନୀତି ଓ ସାହିତ୍ୟର ଲକ୍ଷ୍ୟ ଏକ। ରାଜନେତାଙ୍କୁ ବାଟ ଦେଖାଇବା ଏବଂ ସଠିକ୍‌ ବାଟକୁ ଆଣିବା ଦିଗରେ ସାହିତ୍ୟ ଏକ ଗୁରତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ରାଜନେତାଙ୍କ ସାମାଜିକ ଦୃଷ୍ଟିଭଙ୍ଗୀ ବଦଳାଇବା‌ରେ ମଧ୍ୟ ସାହିତ୍ୟ ସାହାଯ୍ୟ କରେ। ସାହିତ୍ୟିକମାନେ ସାଧାରଣତଃ ରାଜନୀତିରେ ନଥାନ୍ତି ବୋଲି କହିଥାନ୍ତି। ମାତ୍ର ଆଜିକାଲି କୌଣସି କାମ ରାଜନୀତିରୁ ଊର୍ଦ୍ଧ୍ବରେ ନାହିଁ। ତେଣୁ ସାହିତ୍ୟିକମାନେ ରାଜନୀତକୁ ଘୃଣା ନ କରି ସମାଜ ସଂସ୍କାର ଦିଗରେ ରାଜନେତାଙ୍କୁ ବାଟ ଦେଖାନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ସେହିପରି, ରାଜନୀତି ହେଉଛି ସଂଖ୍ୟା ଖେଳ। ମାତ୍ର ସାହିତ୍ୟିକଟିଏ ଭାବେ ଯେ ତାଙ୍କ ପାଖରେ ସଂଖ୍ୟା ନାହିଁ, ତେଣୁ ସେ ସେଥିରେ କାହିଁକି ପଶିବେ। ମାତ୍ର ସାହିତ୍ୟିକଟିଏ ବୁଝିପାରେ ନାହିଁ ଯେ ଏହି ସଂଖ୍ୟା ଯୋଡ଼ିବାର କ୍ଷମତା କେବଳ ସାହିତ୍ୟର ଅଛି। ଯାହାକୁ ସେ ନିଜେ ଜାଣିବା ଉଚିତ ବୋଲି କହିଥିଲେ। ସେହିପରି ସାହିତ୍ୟର ଅର୍ଥ ହେଉଛି ସମୂହ ହିତ। ତେଣୁ ସାହିତ୍ୟିକ କେବଳ ସମୂହ ହିତ ସାଧନ କରୁଛି ବୋଲି କହିଲେ ହେବ ନାହିଁ ବରଂ ସମୂହ ହିତ କଣ ତାହା ବୁଝିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବଡ଼ବିଲ ସମ୍ବାଦ ସାହିତ୍ୟଘର ସଭାପତି ପ୍ରତାପ କିଶୋର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, ବଡ଼ବିଲ ପାଇଁ ସେ ଅନେକ ସ୍ବପ୍ନ ଦେଖିଛନ୍ତି। ଏଠାରେ ଏକ ମହିଳା ଅଦାଲତ କରିବାଠାରୁ ଆରମ୍ଭ କରି ମହିଳାମାନଙ୍କ ବିକାଶ ଦିଗରେ ଅନେକ କାର୍ଯ୍ୟ କରିବକୁ ବାକି ଅଛି। ଏ ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କହିଥିଲେ, ପ୍ରତ୍ୟେକଙ୍କ ଜନ୍ମଦିନର ଏକ ମହତ୍ତ୍ବ ଥାଏ। ସେମିତି ସମ୍ବାଦ ସାହିତ୍ୟଘର ଜନ୍ମଦିନର ମଧ୍ୟ ମହତ୍ତ୍ବ ରହିଛି। ୨୦୧୧ ମସିହାରେ ଜନ୍ମ ନେଇଥିବା ସାହିତ୍ୟଘର ଇତିମଧ୍ୟରେ ୧୦ ବର୍ଷରେ ଅତିକ୍ରମ କଲାଣି। ୧୦ ବର୍ଷ ମଧ୍ୟରେ ଅନେକ ସଂଘର୍ଷପୂର୍ଣ୍ଣ ସମୟ ଅତିବାହିତ କରି ଅନେକ ସଫଳତା ପାଇଛି। ସାହିତ୍ୟଘର ଅନେକ କାର୍ଯ୍ୟରେ ନିଜକୁ ସାମିଲ କରିଛି। ରକ୍ତଦାନଠାରୁ ଆରମ୍ଭ କରି ବୃକ୍ଷରୋପଣ ପର୍ଯ୍ୟନ୍ତ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛି। ସାହିତ୍ୟିକମାନେ କେବଳ ନିଜ ପାଇଁ ନୁହେଁ, ବରଂ ସମାଜ ପାଇଁ ବଞ୍ଚିବା ଉଚିତ। ଆମେ ନିଜ କଥା ନ ଭାବି ପରବର୍ତ୍ତୀ ପୃଥିବୀ କଥା ଭାବିବା ଉଚିତ। ନ ହେଲେ ଆମ ଚିନ୍ତାଧାରା ସଙ୍କୁଚିତ ହୋଇଯିବ ବୋଲି ଡ. ଲେଙ୍କା କହିଥିଲେ।

‌ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଧୂଳି’ ଉନ୍ମୋଚିତ ହୋଇଥିଲା। ପରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବର୍ଗତ ବିପିନ ବିହାରୀ ଦାସଙ୍କୁ ତୁଳସୀ ସମ୍ମାନ, ସଂଜୟ ନାୟକଙ୍କୁ ଧୂଳି ସମ୍ମାନ, ଦମୟନ୍ତୀ ସାମଲ ଓ ଅଶୋକ ପ୍ରଜାପତିଙ୍କୁ ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା। ସାହିତ୍ୟିକ ବସନ୍ତ ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସୂର୍ଯ୍ୟକାନ୍ତ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ବ୍ରଜକିଶୋର ପଣ୍ଡା ଧନ୍ୟବାଦ ଦେଇଥି‌ଲେ। ସଭା ପୂର୍ବରୁ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ‌ଲେଙ୍କା ପ୍ରମୁଖ ବଡ଼ବିଲ ସାହିତ୍ୟଘର କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ଶାରଳା ଦାସଙ୍କ ପ୍ରତିମୂର୍ତ୍ତି‌ରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର