ବଲାଙ୍ଗୀର: ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ଯୋଗଦେଇ ପ୍ରକାଶ କରିଛନ୍ତି। ରାଜ୍ୟପାଳ ତିନିଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ହେଲିକପ୍ଟରରେ ଆସି ବଲାଙ୍ଗୀର ମନୋହରପୁର ରିର୍ଜଭ ପଡ଼ିଆରେ ଓହ୍ଲାଇଥିଲେ। ପ୍ରଥମେ ସର୍କିଟ ହାଉସକୁ ଯାଇ ସେଠାରୁ ଗାଡ଼ିରେ ବଲାଙ୍ଗରୀ ଭୀମ ଭୋଇ ମେଡିକାଲ କଲେଜ ଛାତ୍ର ସଂଗଠନ ଦ୍ୱାରା ଆୟୋଜିତ ବାର୍ଷିକୋତ୍ସବରେ ଯୋଗଦେଇଥିଲେ।

Advertisment

ରାଜ୍ୟପାଳଙ୍କ ସହ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଲ ରାଣା, ଭିସି ଓୟୁଏଚ୍‌ଏସ୍ ପ୍ରଫେସର ଦତ୍ତେଶ୍ୱର ହୋତା, କଲେଜ ଡିନ୍‌ ସବିତା ମହାପାତ୍ର, ଛାତ୍ର ସଂଗଠନ ସଭାପତି ବିଶାଲ ପଣ୍ଡା, ସେକ୍ରେଟେରି ଅଭିଷେକ ପାଣି ମଞ୍ଚାସୀନଥିଲେ। ପ୍ରଥମ ବର୍ଷ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରୁ ଛାତ୍ରମାନେ ତାଙ୍କର ଚତୁର୍ଥ ବର୍ଷ ପାଠପଢ଼ା ସାରି ଡାକ୍ତର ଭାବେ ବାହାରୁଥିବାରୁ ଏହି ବାର୍ଷିକୋତ୍ସବ ଆୟୋଜନ କରିଥିଲା ଛାତ୍ର ସଂଗଠନ। କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଡାକ୍ତରମାନଙ୍କୁ ଧନୀ, ଗରିବ, ସମସ୍ତ ମଣିଷ ଜାତିକୁ ଏକପ୍ରକାର ଚିକିତ୍ସା କରିବା ପାଇଁ ଉପଦେଶ ଦେଇଥିଲେ।

ସନ୍ଥକବି ଭୀମ ଭୋଇଙ୍କ ବାଣୀ ଉଦ୍ଧାର କରି ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଥିଲେ ରାଜ୍ୟପାଳ। ସମ୍ମାନିତ ଅତିଥି ଭାବେ ଶ୍ରୀ ମିଶ୍ର ଯୋଗଦେଇ ଏହି ମେଡ଼ିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ସହିତ ଡାକ୍ତରଖାନାରେ ସୁପର ପ୍ସେସାଲିଟି ପଦ ପୂରଣ କରିବାକୁ ତାଙ୍କ ବକ୍ତବ୍ୟରେ ଦାବି ରଖିଥିଲେ। ଏବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପିଜି ଡିପ୍ଲୋମା କୋର୍ସ ଆରମ୍ଭ ହୋଇଛି। ବିଦ୍ଧବଦ୍ଧ ଭାବେ ପିଜି କୋର୍ସ ଆରମ୍ଭ ହେଲେ ମେଡ଼ିକାଲରେ ସୁପର ସ୍ପୋସାଲିଟ ପଦ ପୂରଣ ହୋଇପାରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟମକ୍ରମରେ ବଲାଙ୍ଗୀର ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।