ଗଣମାଧ୍ୟମ ପାଠକକୈନ୍ଦ୍ରିକ ହେଉ: ସୌମ୍ୟ

ଭାରତରେ ଜାତୀୟତାକୁ ନେଇ କୌଣସି ଏଜେଣ୍ଡା ନାହିଁ: ହରପ୍ରସାଦ

ଭୁବନେଶ୍ବର : ବର୍ତ୍ତମାନ ଗଣମାଧ୍ୟମ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଖବରକୁ ପଛକୁ ଦେଇ ରାଜ‌ନେତାଙ୍କ ପରି ପ୍ରଥମ ପୃଷ୍ଠାରେ ବିଜ୍ଞାପନ ରୂପକ ଜ୍ୟାକେଟ୍‌ ପିନ୍ଧିବାକୁ ବାଧ୍ୟ ହେଉଛି। ଗ୍ରାହକ ଉପରେ ନିର୍ଭର ନକରି ବିଜ୍ଞାପନ ଉପରେ ନିର୍ଭର କରୁଛି। ପୁଞ୍ଜିପତି, ରାଜନେତାଙ୍କ ଏହି ବିରାଟ ଷଡ଼ଯନ୍ତ୍ର‌ ହିଁ ଗଣମାଧ୍ୟମର ଅସଫଳତାର ପ୍ରମୁଖ କାରଣ। ତେଣୁ ସଫଳ ହେବା ପାଇଁ ଗଣମାଧ୍ୟମକୁ ଗ୍ରାହକ ବନ୍ଧୁମାନଙ୍କ ପୃଷ୍ଠପୋଷକତା ଆବଶ୍ୟକ। ଗଣମାଧ୍ୟମ ଗ୍ରାହକକୈନ୍ଦ୍ରିକ ହେଲେ କେବେ ହେଲେ ଅସଫଳ ହେବ ନାହିଁ। ସାପ୍ତାହିକୀ ‘ବିଶେଷ ଖବର’ର ବାର୍ଷିକ ଉତ୍ସବ ଅବସରରେ ‘ଭାରତରେ ଗଣମାଧ୍ୟମ କେତେ ସଫଳ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ଅନୁଷ୍ଠାନର ସମ୍ପାଦକ ଦେବେନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବକ୍ତା ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଅବକ୍ଷୟମୁଖୀ ଗଣତନ୍ତ୍ରକୁ ଉଦ୍ଧାର କରିବା ପାଇଁ ନାଗରିକ ସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ। ନାଗରିକ ସମାଜ ସମୃଦ୍ଧ ହେଲେ ଗଣତନ୍ତ୍ର ଚିରସ୍ଥାୟୀ ହେବ। କିନ୍ତୁ ନାଗରିକ ସମାଜ ଆଜି ଖଣ୍ଡବିଖଣ୍ଡିତ। ଏହାକୁ ବିଭାଜନ କରିବାକୁ ଧର୍ମ, ଭାଷା, ଜାତି, ଆଞ୍ଚଳିକ ବୈଷମ୍ୟ ଭଳି ଅସ୍ତ୍ର ପ୍ରୟୋଗ କରାଯାଉଛି। ଶାସନ ବ୍ୟବସ୍ଥାରେ ଓ ଜୀବନଧାରାରେ ଶସ୍ତା ଓ ଲାଭଦାୟକ ନୀତି ଅବଲମ୍ବନ କରାଯାଉଛି। ନିର୍ବାଚନ ଜିତିବାକୁ ଲାଭାର୍ଥୀ ବା ହିତାଧିକାରୀ ବର୍ଗ ତିଆରି କରାଯାଉଛି। ଏହି ବର୍ଗ ପାଇଁ ଆଜିର ବ୍ୟବସ୍ଥା ଏତେ ପରିମାଣରେ ସଂପୃକ୍ତ ହୋଇଯାଇଛି ଯେ ନାଗରିକ ସମାଜ ପ୍ରତି ଚିନ୍ତା କରୁନାହିଁ। ତେଣୁ ନାଗରିକ ସମାଜକୁ ଏକଜୁଟ୍‌ ହେବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

‘ବିଶେଷ ଖବର’ର ବାର୍ଷିକ ଉତ୍ସବ

ଅନ୍ୟତମ ବକ୍ତା ବିଶିଷ୍ଟ ସ୍ତମ୍ଭକାର ହରପ୍ରସାଦ ଦାସ କହିଲେ, ୨୦୦୨ ମସିହାରେ ଆମେରିକାର ‘ଟାଇମ୍‌ସ’ ପତ୍ରିକାରେ ‘କଣ୍ଟ୍ରିବ୍ୟୁସନ୍‌ ଅଫ୍‌ ଆମେରିକା ଟୁ ଦ ୱାଲର୍ଡ’ ନାମକ ଏକ ଲେଖାରେ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା ଯେ ଆଧୁନିକତା କହିଲେ ଆମେରିକାକୁ ବୁଝା‌ଏ। ସେମାନେ ଦେଶକୁ ନେଇ ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଭାରତରେ ଜାତୀୟତାକୁ ନେଇ କୌଣସି ଏଜେଣ୍ଡା ନାହିଁ। କାରଣ ଆମ ଗଣମାଧ୍ୟମରେ ସେତିକି ବୁଦ୍ଧିମାନ ଲୋକ ନାହାନ୍ତି। ୟୁରୋପରେ ବଡ଼ ବଡ଼ କଲେଜରେ ଉଚ୍ଚ ଶିକ୍ଷା ଲାଭ କରି ଗଣମାଧ୍ୟମକୁ ପେସା ଭାବେ ଗ୍ରହଣ କରୁଛନ୍ତି। ଭାତରରେ ତାହା ହୋଇପାରିନାହିଁ। ଗ୍ରାହକମାନେ ଯାହା ଚାହାନ୍ତି ତାଙ୍କୁ ଆମେ ଦେଇ ପାରୁନାହୁଁ। ଏଥିପାଇଁ ଆମ ଦେଶରେ ଗଣମାଧ୍ୟମ ପ୍ରଭାବହୀନ।

ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ସଂପଦ ମହାପାତ୍ର କହିଲେ, ବର୍ତ୍ତମାନ ଗଣମାଧ୍ୟମ ଉପରେ ସାମାଜିକ ଗଣମାଧ୍ୟମ ପ୍ରଭାବ ବିସ୍ତାର କରିଛି। ଇଣ୍ଟରନେଟ୍‌ ପାଇଁ ମିଡିଆର ଦୁରବସ୍ଥା ସୃଷ୍ଟି ହୋଇଛି। ଯାହା ହାତରେ ମୋବାଇଲ୍‌ ଅଛି, ସେମାନେ ସାମ୍ବାଦିକ ହୋଇଯାଉଛନ୍ତି। ପୁଞ୍ଜିପତିଙ୍କ ମାଲିକାନାରେ ଏକାଧିକ ଗଣମାଧ୍ୟମ ରହିଛି। ଫଳରେ ସାମ୍ବାଦିକଟିଏ ପାଖରେ ନିର୍ଭୀକ ହେବାର ସୁଯୋଗ ରହୁନାହିଁ।

‘ବିଶେଷ ଖବର’ର ସ୍ବତ୍ବାଧିକାରୀ ପ୍ରାକ୍ତନ ସାଂସଦ ଖାରବେଳ ସ୍ୱାଇଁ ପ୍ରାରମ୍ଭିକ ଅଭିଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ପ୍ରସନ୍ନ ପଟ୍ଟନାୟକ, ରବି ଦାସ, ବିଜୟଲକ୍ଷ୍ମୀ ଦାଶ, ବିଶ୍ବରଞ୍ଜନ ଦାସ, ମନୋଜ ସାହୁ, ରଞ୍ଜନ ମଢୁଆଳ, ସେକ୍ ଅବରାରଉଲ୍ଲ ହକ୍, କିଷନଲାଲ୍ ଅଗ୍ରୱାଲ, ସୁସ୍ମିତା ଜେନା ପ୍ରମୁଖଙ୍କୁ ସତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ‘ବିଶେଷ ଖବର’ର ବିଭିନ୍ନ ଜିଲ୍ଲା ଓ ବ୍ଲକ ପ୍ରତିନିଧିମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବର ପ୍ରତିନିଧି ପ୍ରମୋଦ ନାୟକ ଧନ୍ୟବାଦ ଦେଇଥିଲେ। ଶ୍ରୀହର୍ଷ ସ୍ବାଇଁ, ସୁରେଶ କୁମାର ସାହୁ, ଦୀପକ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର