‘କଥା’ର ବାର୍ଷିକ ଉତ୍ସବ ୬ରେ : ଯୋଗଦେବେ ପ୍ରଫେସର କେ. ଶିବା ରେଡ୍ଡୀ, ବିଶ୍ୱାସ ପାଟିଲ ଏବ˚ ବସିରେଡ୍ଡୀ ନବୀନ

ପୁରସ୍କୃତ ହେବେ ଦଶ ନବପ୍ରତିଭା

ଭୁବନେଶ୍ବର : ଆସନ୍ତା ୬ ତାରିଖ ଗୁରୁବାର ସନ୍ଧ୍ୟା ୫ଟାରେ ସ୍ଥାନୀୟ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ (ଜୟଦେବ ବିହାର)ରେ ‌ସମ୍ବାଦ ଗ୍ରୁପ୍‌ର ଲୋକପ୍ରିୟ ମାସିକ ଗଳ୍ପ ପତ୍ରିକା ‘କଥା’ର ୩୩ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ସରସ୍ବତୀ ସମ୍ମାନ ବିଜେତା ବିଶିଷ୍ଟ ତେଲୁଗୁ କବି ପ୍ରଫେସର କେ. ଶିବା ରେଡ୍ଡୀ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ବିଖ୍ୟାତ ମରାଠୀ ଔପନ୍ୟାସିକ ଶ୍ରୀ ବିଶ୍ବାସ ପାଟିଲ ମୁଖ୍ୟ ବକ୍ତା ଏବଂ ବିଶିଷ୍ଟ ତେଲୁଗୁ ସମ୍ପାଦକ ଶ୍ରୀ ବସିରେଡ୍ଡୀ ନବୀନ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ‘ସମ୍ବାଦ’ର ସଂପାଦକ ତଥା ‘କଥା’ର ମୁଖ୍ୟ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ।

ବାମପନ୍ଥୀ ଚିନ୍ତାଧାରାରେ ବିଶ୍ବାସ କରୁଥିବା ପ୍ରଫେସର ରେଡ୍ଡୀଙ୍କର କୋଡ଼ିଏଟି କବିତା ସଙ୍କଳନ ପ୍ରକାଶିତ। ତାଙ୍କ କବିତାରେ ସମାଜର ସାଧାରଣ ମଣିଷର ସ୍ବର ଫୁଟିଉଠିଥାଏ। ସରସ୍ବତୀ ସମ୍ମାନ ସହିତ ସାହିତ୍ୟ ଏକାଡେମୀ ପୁରସ୍କାର, ବିଶାଳ ସାହିତି ପୁରସ୍କାର, ତେଲୁଗୁ ବିଶ୍ବବିଦ୍ୟାଳୟ ପ୍ରତିଭା ପୁରସ୍କାର, ସିଦ୍ଧାର୍ଥ କାଳପୀଠମ୍ ପୁରସ୍କାର ଆଦି ବହୁ ପୁରସ୍କାର ସେ ପାଇଛନ୍ତି। ବିଶିଷ୍ଟ ମରାଠୀ ଔପନ୍ୟାସିକ ଶ୍ରୀ ପାଟିଲଙ୍କ ପ୍ରକାଶିତ ଉପନ୍ୟାସ ପୁସ୍ତକ ମଧ୍ୟରେ ରହିଛି ‘ଲଷ୍ଟ୍‌ ଫର୍‌ ଲାଲ୍‌ବାଗ୍’, ‘ପାନିପଥ’, ‘ସାମ୍ଭାଜୀ’, ‘ରଣାଙ୍ଗନ’, ‘ପନ୍‌ଗିରା’, ‘ଝଡାଝଡ୍‌ତି’ ଏବଂ ‘ମହାନାୟକ’ ଇତ୍ୟାଦି। ପାନିପଥ ଯୁଦ୍ଧ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସାମ୍ଭାଜୀ ମହାରାଜ ଆଦି ଐତିହାସିକ ଘଟଣା ଓ ମହାପୁରୁଷଙ୍କୁ ନେଇ ରଚିତ ତାଙ୍କର ଉପନ୍ୟାସଗୁଡ଼ିକ ବହୁ ଲୋକପ୍ରିୟତା ଅର୍ଜନ କରିଛି। ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ନାଥ ମାଧବ ପୁରସ୍କାର, ପ୍ରିୟଦର୍ଶିନୀ ଜାତୀୟ ପୁରସ୍କାର ଏବଂ ଭାରତୀୟ ଭାଷା ପରିଷଦ ପୁରସ୍କାର ଇତ୍ୟାଦି ଅନେକ ପୁରସ୍କାର ସେ ପାଇଛନ୍ତି। ସେହିପରି ଶ୍ରୀ ବସିରେଡ୍ଡୀ ନବୀନ ତେଲୁଗୁ ସାହିତ୍ୟର ଜଣେ ଜଣାଶୁଣା ସମ୍ପାଦକ ଏବଂ ଆଲୋଚକ।

ଏହି ଉତ୍ସବରେ ଦଶ ଜଣ ତରୁଣ ଲେଖକ ଲେଖିକାଙ୍କୁ ୨୦୧୯ ମସିହାର ନବପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ନବପ୍ରତିଭା ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ଗାଳ୍ପିକଗାଳ୍ପିକା ହେଲେ ରୋଜାଲିନ୍‌ ମହାନ୍ତି, ସୌମ୍ୟଜିତ୍ ପଣ୍ଡା, ଯୀଶୁକ୍ରିଷ୍ଣ ଦାସ, ରାଜେଶ ପୂଜାରୀ, ଶିବାନନ୍ଦ କର୍ମୀ, ସଂଜୟ କୁମାର ପଣ୍ଡା, ଲିଜା ଦାସ, ମାଧବାନନ୍ଦ ପାତ୍ର, ସ୍ମୃତିପ୍ରଭା ସାହୁ ଏବ˚ ହୃଷୀକେଶ ମହାରଣା। ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ସହିତ ପାଞ୍ଚ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲେଖକଲେଖିକା ଓ ସାହିତ୍ୟପ୍ରେମୀ ଯୋଗଦେବା ପାଇଁ ‘ସମ୍ବାଦ’ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର