ଭୁବନେଶ୍ବର : ଗଣମାଧ୍ୟମ ନୈତିକ ମୂଲ୍ୟବୋଧ ସହିତ ସତ୍ୟର ଅନୁସନ୍ଧାନ କରି ଖବର ପରିବେଷଣ କଲେ ଗଣତନ୍ତ୍ର ବଜାୟ ରହିବ। ତେଣୁ ମୂଲ୍ୟହୀନ ଖବର ପଛରେ ନଧାଇଁ ଗଣମାଧ୍ୟମ ବାସ୍ତବ ପ୍ରସଙ୍ଗ ସବୁକୁ ସାମ୍ନାକୁ ଆଣିବା ଦରକାର। ଦୈନିକ ସମ୍ବାଦପତ୍ର ‘ପ୍ରମେୟ’, ‘ନ୍ୟୁଜ୍‌ ଚ୍ୟାନେଲ ନ୍ୟୁଜ୍‌ ୭’ ଏବଂ ଡିଜିଟାଲ୍‌ ୱିଙ୍ଗ୍‌ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିକାଶ ରାସ୍ତାରେ ଓଡ଼ିଶା ଆଗେଇ ଚାଲିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସଶକ୍ତ ଏବଂ ଅର୍ଥନୀତିରେ ସମୃଦ୍ଧ ଅଟେ। ସଶକ୍ତ, ସୁଖୀ ଏବଂ ବିକଶିତ ଓଡ଼ିଶା ଗଠନ ପାଇଁ ସେ ଆହ୍ବାନ କରିଥିଲେ।

Advertisment

ଓଡ଼ିଆ ଖବରକାଗଜର ଗୁରୁତ୍ବ ସର୍ବଦା ରହିବ:କେନ୍ଦ୍ର ଶିକ୍ଷାମନ୍ତ୍ରୀ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଏକ ଭାଷାଭିତ୍ତିକ ରାଜ୍ୟ। ଯେଉଁ ସମାଜ ଏବଂ ଜାତି ତା’ର ମୌଳିକ ଚିନ୍ତାଧାରାକୁ ନିଜ ଭାଷାରେ ପରିପ୍ରକାଶ କରିପାରେ ନାହିଁ, ସେହି ଜାତି କେବେ ଆଗକୁ ବଢ଼ିବ ନାହିଁ। ସେହି ଦୃଷ୍ଟିରୁ ଓଡ଼ିଆ ଖବରକାଗଜର ଗୁରୁତ୍ବ ସବୁବେଳେ ରହିଛି। ସାମ୍ବାଦିକତାର ଅନ୍ୟନାମ ସାହସ, ନିରପେକ୍ଷତା। ଆଲୋଚନା, ସମାଲୋଚନା, ପ୍ରଶଂସା ସହିତ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଖବର ପରିବେଷଣ ହେବା ଉଚିତ। ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ ଏବଂ ଚଳଚ୍ଚିତ୍ର ନିର୍ମାତା ତଥା କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପ୍ରୀତିଶ ନନ୍ଦି କହିଛନ୍ତି ଯେ ବ୍ୟକ୍ତିଗତ ସ୍ବାଧୀନତା କେହି କାହାକୁ ଦିଅନ୍ତି ନାହିଁ। ଏହାକୁ ହାସଲ କରିବାକୁ ହୁଏ। ଆମ ଦେଶରେ ଅନେକ ସୃଜନଶୀଳ ପ୍ରତିଭା ଅଛନ୍ତି। ଏଭଳି ପ୍ରତିଭାଙ୍କୁ ସହଯୋଗ ଏବଂ ପ୍ରୋତ୍ସାହିତ କଲେ ବିଶ୍ବର ସର୍ବଶ୍ରେଷ୍ଠ ସଫ୍ଟପାୱାର ହୋଇପାରିବା।

ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ଡ. ହରିବଂଶ କହିଛନ୍ତି ଯେ ଖବରର ନିରନ୍ତର ସମୀକ୍ଷା ଏବଂ ନୂଆ ପ୍ରସଙ୍ଗ ଖୋଜି ବାହାର କରିବାର ଆବଶ୍ୟକତା ରହିଛି। ଉଭୟ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ସର୍ବଦା ପ୍ରାସଙ୍ଗିକ ହୋଇରହିବ। ଗ୍ରୁପ୍‌ ଏଡିଟର ଗୋପାଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଏବଂ ‘ଦମନ’ ଟିମ୍‌ , ସାମ୍ବାଦିକ ଦେବୀ ମାଇତି, ଦମନ ଏବଂ ପ୍ରତୀକ୍ଷାର ଚର୍ଚ୍ଚିତ ତାରକା ଦୀପନ୍ବିତ ଦାଶମହାପାତ୍ର ଏବଂ ଡାକ୍ତର ଓଁକାର ହୋତାଙ୍କୁ ସମ୍ବର୍ଧିତ କରାଯାଇଥିଲା।