‘ନିଶାମୁକ୍ତ ଅଭିଯାନରେ ଝିଅମାନେ ନେତୃତ୍ୱ ନିଅନ୍ତୁ’

ତୁଳସୀ ମହିଳା ମହାବିଦ୍ୟାଳୟର ୩୮ତମ ବାର୍ଷିକୋତ୍ସବ

କେନ୍ଦ୍ରାପଡ଼ା : ସମାଜର ପ୍ରତି କ୍ଷେତ୍ରରେ ମହିଳାଙ୍କ ସଂପୃକ୍ତି ବଢ଼ିଛି। କୋ-ଏଜୁକେସନ୍‌ ଅପେକ୍ଷା ଏକକ ମହିଳା/ବାଳିକା କଲେଜରେ ଝିଅମାନଙ୍କ ଦକ୍ଷତା ଓ ଉତ୍କର୍ଷତା ଅଧିକ ରହିଛି। ତୁଳସୀ ମହିଳା ମହାବିଦ୍ୟାଳୟର ୩୮ ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଏହା କହିଛନ୍ତି। କଲେଜର ଛାତ୍ରୀ ସଂସଦର ସଭାନେତ୍ରୀ ଆମ୍ରିନ୍‌ ସାହାଦତ୍‌ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଶିକ୍ଷିତ ଝିଅ ବା ମହିଳାମାନେ ଏ କ୍ଷେତ୍ରରେ ବଞ୍ଚତ ହୋଇଥିବା ଝିଅ/ମହିଳାମାନଙ୍କୁ ଶିକ୍ଷିତ କରିବା ସହିତ ସମାଜର ମୁଖ୍ୟସ୍ରୋତକୁ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ନିଶାମୁକ୍ତ କରିବାକୁ ଝିଅମାନେ ନେତୃତ୍ୱ ନିଅନ୍ତୁ ବୋଲି ଆହ୍ଵାନ ଦେଇଥିଲେ । ସେ କହିଥିଲେ ଯେ, ଅଧା ବିଶ୍ୱ ଅର୍ଥାତ ମହିଳା ବର୍ଗ ଚାହିଁଲେ ବିନା ଆନ୍ଦୋଳନ, ରକ୍ତପାତରେ ଏହି ଅଭିଯାନ ସଫଳ ହେବ। ଆଜି ଠାରୁ ପ୍ରତି ପରିବାରରେ ଝିଅ ମା’ମାନେ ଅନ୍ୟ ସଦସ୍ୟଙ୍କ ମଦ ପିଇବା ବନ୍ଦ ପାଇଁ ଘରେ ଘରେ ଉଦ୍ୟମ କରନ୍ତୁ। ମଦ ପିଉଥିବା ଭାଇକୁ ରାକ୍ଷୀ ପିନ୍ଧାଅ ନାହିଁ, ମଦ ପିଉଥିବା ଦିଅରକୁ ଭାଉଜ ବାରଣ କରନ୍ତୁ, ଘରେ ବାପା ପିଉଥିଲେ ମଦ ବନ୍ଦ ପାଇଁ ଶପଥ ନିଅନ୍ତୁ । ଏହାକଲେ ଆପେ ମଦ ହଟିଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡ଼ା ସମାଜରେ ନାରୀ ନିର୍ଯାତନା ବିରୋଧରେ ଓ ମାତୃଭାଷା ପାଇଁ ଝିଅମାନେ ସ୍ୱର ନ ଉଠାଇଲେ ଏ ସମାଜ ଧ୍ୱଂସ ପାଇଯିବ ବୋଲି ଭବିଷ୍ୟତବାଣୀ ଶୁଣାଇଥିଲେ। ଏହି ଅବସରରେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ବିଧାୟକ କିଶୋର ଚନ୍ଦ୍ର ତରାଇ କଲେଜର ବିଭିନ୍ନ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ବିହୀତ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର