ନୂଆଦିଲ୍ଲୀରେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବାର୍ଷିକ ଅଧିବେଶନ

ଓଡ଼ିଶାରେ ପୂର୍ବଘାଟ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଦାବି

ଭୁବନେଶ୍ବର : କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ପକ୍ଷରୁ ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ବରର ବିଂଶତମ ବାର୍ଷିକ ସାଧାରଣ ଅଧିବେଶନ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ରାଜ୍ୟରେ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାନ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପଣ୍ଡା କହିଲେ ଯେ ରାଜ୍ୟରେ ବିସ୍ତୀର୍ଣ୍ଣ ବେଳାଭୂମିକୁ ଦୃଷ୍ଟିରେ ରଖି ଜିନ୍‌ଗତ ଗବେଷଣା ବିକାଶ, ପରିବେଶ ସଂରକ୍ଷଣ ଓ ପୂର୍ବଘାଟର ସମୁଦ୍ର କୂଳବର୍ତ୍ତୀ ଅଧିବାସୀଙ୍କର ସାମାଜିକ-ଅର୍ଥନୈତିକ ଉନ୍ନତି ତଥା ଜୀବନଧାରାରେ ମାନବୃଦ୍ଧି ସକାଶେ ଏହି ଉତ୍କର୍ଷ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିବା ନବରଙ୍ଗପୁରରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଜନଜାତି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନ ଜାତୀୟ ନେଟ୍‌ୱର୍କ ନିମିତ୍ତ କାର୍ଯ୍ୟ କରୁଥିଲା ବେଳେ ସେହି କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାକୁ ସମ୍ପ୍ରସାରିତ କରିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ କୋଭିଡ ମହାମାରୀ ସମୟରେ ବ୍ୟାପକ ପରୀକ୍ଷଣ ସାଙ୍ଗକୁ ଡେଲ୍‌ଟା ଭାରିଏଣ୍ଟ୍‌ର ଗବେଷଣା କାର୍ଯ୍ୟରେ ଯଥେଷ୍ଟ ପ୍ରଶଂସା ଅର୍ଜନ କରିଛି ବୋଲି ଶ୍ରୀ ପଣ୍ଡା କହିଥିଲେ।

କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଅଧିବେଶନରେ ଅଧ୍ୟକ୍ଷତା କରି ଜୀବ ବିଜ୍ଞାନ ପ୍ରତିଷ୍ଠାନ ଦକ୍ଷତା ବିକାଶ ଓ ତାଲିମ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ ପରିଡ଼ା ବିଭିନ୍ନ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲା ବେଳେ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ରୋଗ ପ୍ରତିରକ୍ଷା ଶକ୍ତିକୈନ୍ଦ୍ରିକ(ଇମ୍ୟୁନୋଜେନିସିଟି) ପ୍ଲାଟ୍‌ଫର୍ମ ଖୋଲିବା ପାଇଁ ଅନୁମୋଦନ ମିଳିଛି ବୋଲି ପ୍ରକାଶ କରିଥିଲେ। ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗର ସଚିବ ରାଜେଶ ଏସ୍ ଗୋଖଲେ ଓ ପ୍ରତିଷ୍ଠାନର ବିଜ୍ଞାନ ସଂଯୋଜକ ସଞ୍ଜୟ ମିଶ୍ର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର