ରାଜ୍ୟରେ ଆଉ ୧୦ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଚିହ୍ନଟ

ଲମ୍ବୁଛି ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ତାଲିକା, ସରୋ ଟାଇପିଂ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ବର : ରାଜ୍ୟରେ ହ୍ୟାଣ୍ଡ, ଫୁଟ୍‌ ଓ ମାଉଥ୍ ଡିଜିଜ୍ ବା ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ଦିନ ଆଉ ୧୦ଜଣଙ୍କୁ ଏହି ରୋଗରେ ଚିହ୍ନଟ କରାଯାଇଛି। ଫଳରେ ବର୍ତମାନସୁଦ୍ଧା ରାଜ୍ୟରେ ୪୦ଜଣ ଆକ୍ରାନ୍ତ ଏହି ରୋଗରେ ଚିହ୍ନଟ ହୋଇ ସାରିଲେଣି। ଉଲ୍ଲେଖନୀୟ ବିଷୟ ହେଉଛି ଏହି ରୋଗ ଗୋଟିଏ କି ଦୁଇଟି ଜିଲ୍ଲାରେ ସୀମିତ ରହିନାହିଁ। ପ୍ରାୟ ୫ରୁ ଅଧିକ ଜିଲ୍ଲାରେ ଏହି ରୋଗୀରେ ଆକ୍ରାନ୍ତ ଶିଶୁଙ୍କୁ ଚିହ୍ନଟ କରାଯାଇଛି।

୧୦ ଏଚ୍‌ଏଫ୍‌ଏମଡି ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳରୁ ସର୍ବାଧିକ ୫, ଖୋର୍ଧା ୩ ଓ ଅନୁଗୁଳରୁ ୨ଜଣ ରହିଛନ୍ତି। ଯାଜପୁର ଓ ଦେବଗଡ଼ ଜିଲ୍ଲାରୁ ନମୁନା ଆରଏମ୍‌ଆରସିକୁ ପଠାଯାଇଥିଲେ ହେଁ, ତାହା ନେଗେଟିଭ୍ ରହିଛି। ପୂର୍ବରୁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୩୦ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଖୋର୍ଧା, କଟକ, ପୁରୀ, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ତାଲିକାରେ ଯୋଡ଼ି ହୋଇଛି। ଅପରପକ୍ଷରେ ରାଜ୍ୟରେ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ, ବହୁ ଚର୍ଚ୍ଚିତ ଟମାଟୋ ଫ୍ଲୁ ସହିତ ଏହାର କୌଣସି ସଂପର୍କ ନ ଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସ୍ପଷ୍ଟ କରିସାରିଛନ୍ତି। ତେଣୁ ଲୋକମାନେ ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ପୂର୍ବରୁ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ୨୪ ଆକ୍ରାନ୍ତଙ୍କ ନମୁନାର ସେରୋ ଟାଇପିଂ ପାଇଁ ପୁନେସ୍ଥିତ ଏନ୍‌ଆଇଭିକୁ ପଠାଯାଇଛି। ହେଲେ ବର୍ତମାନସୁଦ୍ଧା ସେରୋ ଟାଇପିଂ ରିପୋର୍ଟ ଆସିନାହିଁ। ଏଚ୍‌ଏଫ୍‌ଏମ୍‌ଡି ଏକ ଇଣ୍ଟରୋ ଭାଇରସ ହୋଇଥିବାରୁ ଏହାର କେଉଁ ଗ୍ରୁପ୍‌ ରାଜ୍ୟରେ ପ୍ରଭାବ ବିସ୍ତାର କରିଛି ତାହା ସେରୋ ଟାଇପିଂ ରିପୋର୍ଟରେ ହିଁ ସ୍ପଷ୍ଟ ହୋଇପାରିବ।

ସେହିପରି ଗତ କିଛିଦିନ ହେବ ବିଶ୍ବର ବିଭିନ୍ନ ଦେଶରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଦେଶ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଚିହ୍ନଟ କରୁଥିବା ନଜରକୁ ଆସିଛି। ତେଣୁ ଉଭୟ ଏଚ୍‌ଏଫ୍‌ଏମ୍‌ଡି ଓ ମଙ୍କିପକ୍ସ ରୋଗକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ଏଥିରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବା ସହିତ କିଭଳି ଢଙ୍ଗରେ ଏହାର ମୁକାବିଲା କରାଯିବ ତାହା ସଂପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟର କିଛି ହସ୍ପିଟାଲକୁ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଶିଶୁ ଚିକିତ୍ସା ପାଇଁ ଆସୁଥିବା ନେଇ ଚର୍ଚା ବଢ଼ିବା ପରେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବା ସହିତ କିଭଳି ଢଙ୍ଗରେ ଜିଲ୍ଲାସ୍ତରରୁ ଆରଏମ୍‌ଆରସିକୁ ନମୁନା ପଠାଯିବ ତାହା ସଂପର୍କିତ ଏକ ଗାଇଡଲାଇନ୍ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର