ଜାତିଆଣ ଆକ୍ଷେପ ମାମଲା: ବର୍ଷାଙ୍କୁ ଆଉ ୧୫ ଦିନ ଅନ୍ତରୀଣ ସୁରକ୍ଷା

ଦିଲ୍ଲୀ ପୁଲିସ ନୋଟିସ୍‌ର ଉତ୍ତର ରଖିବେ

କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅନ୍ତରୀଣ ସୁରକ୍ଷା ମିଆଦ ବୃଦ୍ଧି ପାଇଛି। ବୁଧବାର ଦଦିନ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ବର୍ଷା, ତାଙ୍କ ମା’ ଦୀପା ସାହୁ ଓ ଝିଆରୀଙ୍କୁ ଆଉ ୧୫ ଦିନ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହିତ, ଦିଲ୍ଲୀ ପୁଲିସ ନୋଟିସ୍‌ର ଉତ୍ତର ରଖିବାକୁ ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ସୁଜିତଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗ ସଂପର୍କିତ ମାମଲାରେ ଦିଲ୍ଲୀ ପୁଲିସ୍‌ ନୋଟିସ୍‌ ଜାରି କରିବାପରେ ବର୍ଷା, ତାଙ୍କ ମା’ ଓ ଝିଆରୀ ଜୁଲାଇ ୨୯ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଅଗଷ୍ଟ ୪ରେ ହାଇକୋର୍ଟ ଆବେଦନର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ଦିଲ୍ଲୀ ନର୍ଥ ଆଭେନ୍ୟୁ ଥାନା ମାମଲା ନମ୍ବର ୪୨/ ୨୦୨୨ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୮ରେ ହାଇକୋର୍ଟ ବର୍ଷା ଓ ଅନ୍ୟ ଆବେଦନକାରୀଙ୍କ ଅନ୍ତରୀଣ ସୁରକ୍ଷା ଅବଧି ଅଗଷ୍ଟ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଦିଲ୍ଲୀ ପୁଲିସ ଏସ୍‌.ସି ଓ ଏସ୍‌.ଟି ଆଇନ୍‌ ଅନୁଯାୟୀ ଏହି ମାମଲା ରୁଜୁ କରିଛି। ଜୁଲାଇ ୨୫ ତାରିଖରେ ଦିଲ୍ଲୀ ପୁଲିସର ଏକ ଟିମ୍‌ ପୁରୀଘାଟ ଥାନାରେ ପହଞ୍ଚି ସ୍ଥାନୀୟ ପୁଲିସ ଜରିଆରେ ବର୍ଷାଙ୍କୁ ନୋଟିସ୍‌ ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର