ସୁନ୍ଦରଗଡ଼: ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଲୁଟ୍‌ ପରେ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ପୁଲିସ ଜିଲ୍ଲାରେ ଯାଞ୍ଚ କଡ଼ାକଡ଼ି ହୋଇଛି। ମଙ୍ଗଳବାର ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ ରାଏ ଓ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀଙ୍କ ନିର୍ଦ୍ଦେଶରେ ଆଇଡିଏଲ୍‌ ଏକ୍ସପ୍ଲୋସିଭ୍‌ସ ଲିମିଟେଡ୍‌ କମ୍ପାନିର ୧୬ଟି ମାଗାଜିନ୍‌ (ଷ୍ଟୋର ରୁମ୍‌) ଯାଞ୍ଚ କରାଯାଇଛି। ସେହିପରି ଏମ୍‌ସିଏଲ, ଏନ୍‌ଟିପିସି ଦର୍ଲିପାଲି ତାପଜ ବିଦ୍ୟୁତ୍‌ ପ୍ରକଳ୍ପ, ଏନ୍‌ଟିପିସି ଡୁଲିଙ୍ଗା କୋଇଲା ଖଣି, ମନୋହରପୁର ଓସିପିଏଲ୍‌ କୋଇଲା ଖଣି, ଜାମକାନି ବେଦାନ୍ତ କୋଇଲା ଖଣି, ଲାଞ୍ଜିବେର୍ଣ୍ଣା ଚୂନପଥର ଖଣିରେ ପୁଲିସ ପହଞ୍ଚି ମାଗାଜିନ ଓ ବିସ୍ଫୋରକ ଗୋଦାମଗୁଡ଼ିକୁ ଯାଞ୍ଚ କରିଛି। ବଣାଇଁ ଥାନା ଅନ୍ତର୍ଗତ ପାଣ୍ଡୁରିଶିଳା ନିକଟସ୍ଥ ନୂଆପାଲି ଗାଁ ନିକଟରେ ଥିବା ବାରୁଦ ଗୋଦାମରେ ମଧ୍ୟ ପୁଲିସ ଧରପଗଡ଼ କରିଥିବା ଜଣାପଡ଼ିଛି। 

Advertisment

ଅନ୍ୟପଟେ ବିସ୍ଫୋରକ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ ଗିରଫ ପରେ ବି ଆଜି ତେଲେଙ୍ଗାନାରୁ ଗୋଦାମକୁ ଆସିଛି ଟ୍ରକ୍‌ ବୋଝେଇ ବିସ୍ଫୋରକ। ଟ୍ରକ୍‌ ଟିଏସ୍‌ୟୁଇ-୭୬୭୫ରେ ୬ ଶହ ପ୍ୟାକେଟ୍‌ (୧୫ ଟନ୍‌) ବିସ୍ଫୋରକ ଓ ୧୯୮ଟି ପ୍ୟାକେଟରେ ୩ ଲକ୍ଷ ମିଟର ତାର ରହିଛି। ଏଠାରେ ଟ୍ରକଟି ପହଞ୍ଚିଲା ପରେ ଗୋଦାମ ଗୃହ ସିଲ୍ ଥିବା ଓ ସେଠାରେ କେହି କର୍ମଚାରୀ ନଥିବା ଦେଖିବାକୁ ପାଇଥିଲେ ଟ୍ରକ ଚାଳକ ଜୟ ସୁରେଶ। ଟ୍ରକ ଆସିବାର ସୂଚନା ପାଇ ବଡ଼ଗାଁ ଥାନା ପୁଲିସ ପହଞ୍ଚି ଗାଡ଼ି ଓ ବିସ୍ଫୋରକର ସମସ୍ତ କାଗଜପତ୍ର ଯାଞ୍ଚ କରିଛି। ମେ’ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ। ସେହି ବିସ୍ଫୋରକ ବଡ଼ଗାଁ ଥାନା ଇତମା ଖଡ଼ିଆପଡ଼ାସ୍ଥିତ ଶ୍ରବଣ ଅଗ୍ରୱାଲଙ୍କ ‘ଗର୍ଗ ବ୍ଲାଷ୍ଟ ସର୍ଭିସ୍‌’ ନାମକ ଗୋଦାମରୁ ଯାଇଥିବା ଓ ସେ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଅନୁପାଳନ କରି ନଥିବାରୁ ୨୮ ତାରିଖରେ ପ୍ରଶାସନ ଗୋଦାମକୁ ସିଲ୍‌ କରି ତଦନ୍ତ ଚଳାଇଥିଲା। ଦୁଇ ଦିନ ତଳେ ରାଉରକେଲା ବାଲୁଘାଟ ଅଞ୍ଚଳରୁ ଆଉ ଏକ ମିନି ଟ୍ରକ୍‌ରେ ପଠାଯାଉଥିବା ବିପୁଳ ପରିମାଣର ବିସ୍ଫୋରକ ଓ ଡେଟୋନେଟର ଜବତ କରିଥିଲା ପୁଲିସ। ଏସବୁ ବିସ୍ଫୋରକ ଶ୍ରବଣ ଅଗ୍ରୱାଲଙ୍କର ବୋଲି ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଆଜି କୋର୍ଟଚାଲାଣ କରିଛି। ଏ ସ୍ଥିତିରେ ଏତେ ପରିମାଣର ବିସ୍ଫୋରକ ଗୋଦାମକୁ ଆସିବା ସନ୍ଦେହ ସୃଷ୍ଟି କରିଛି। ଚାଳକଙ୍କ କହିବା‌ ଅନୁସାରେ, ଗର୍ଗ ବ୍ଲାଷ୍ଟ ସର୍ଭିସେସ୍‌ର ମାଲିକ ଶ୍ରବଣ ଅଗ୍ରୱାଲ ମେ’ ୨୯ରେ ତେଲେଙ୍ଗାନା ଭୁବନଗିରି ଅଞ୍ଚଳର ଏନ. ଧର୍ମା ରେଡ୍ଡୀଙ୍କ ନାଲ୍ଲାବୋଲୁ ଇଣ୍ଡଷ୍ଟ୍ରିଜ୍‌ରୁ ବିସ୍ଫୋରକ ମଗାଇଥିଲେ। ଚାଳକ ବିସ୍ଫୋରକ ଗାଡ଼ି ନେଇ ସକାଳେ ସୁନ୍ଦରଗଡ଼ ପହଞ୍ଚିବା ପରେ ଶ୍ରୀ ଅଗ୍ରୱାଲଙ୍କୁ ଫୋନ୍‌ କଲ୍‌ କରିଥି‌ଲେ। କିନ୍ତୁ ପୁଲିସ ହେପାଜତରେ ଥିବା ଶ୍ରୀ ଅଗ୍ରୱାଲଙ୍କ ଫୋନ୍‌ ବନ୍ଦ ଥିଲା। ତେଣୁ ଚାଳକ ଗାଡ଼ି ନେଇ ଗୋଦାମରେ ପହଞ୍ଚିଥିଲେ। ତେବେ ୨୮ରେ ଗୋଦାମ ସିଲ୍‌ ପରେ ଶ୍ରୀ ଅଗ୍ରୱାଲ ୨୯ରେ ପୁଣି ବିସ୍ଫୋରକ ମଗାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।    

 ସିଲ୍ ଗୋଦାମରେ ୩୦ ଟନ୍ ବିସ୍ଫୋରକ
ସୁରକ୍ଷାର ନାମଗନ୍ଧ ନାହିଁ, ସବୁ ଖୋଲାମେଲା 

ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ଟନ୍‌ ବାରୁଦ ଲୁଟି ନେବା ପରେ ଶ୍ରବଣ ଅଗ୍ରୱାଲଙ୍କ ଗୋଦାମକୁ ସିଲ୍‌ କରି ଦିଆଯାଇଛି। ଯେଉଁଠାରୁ ଖଣିକୁ ବାରୁଦ ଯାଉଥିଲା। ଏହି ଘଟଣା ପରେ ଶ୍ରୀ ଅଗ୍ରୱାଲଙ୍କ ଇତମା ଖଡ଼ିଆପଡ଼ାଠାରେ ଥିବା ବାରୁଦ ଗୋଦାମ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି। ଇତମାଠାରୁ ୫ କିଲୋମିଟର ଦୂର ଖଡ଼ିଆପଡ଼ା ଜଙ୍ଗଲ ନିକଟ ନିଛାଟିଆ ସ୍ଥାନରେ ଥିବା ଏହି ଗୋଦାମରେ ଏବେ ବି ୩୦ ଟନ୍‌ରୁ ଅଧିକ ବିପଜ୍ଜନକ ବିସ୍ଫୋରକ ଓ ଡିଟୋନେଟର ମହଜୁଦ୍‌ ରହିଛି। କିନ୍ତୁ ସେଠାରେ ଜଣେ ବି ସୁରକ୍ଷାକର୍ମୀ ନିୟୋଜିତ ନଥିବାବେଳେ ନା ପାଚେରି, ନା ଗେଟ୍‌ ରହିଛି। ସୁରକ୍ଷାର କୌଣସି ବ୍ୟବସ୍ଥା ନାହିଁ। ଚାରିଆଡ଼େ ଜଙ୍ଗଲ, ସବୁ ଖୋଲାମେଲା। ମାଓବାଦୀ ହେଉ କି କୌଣସି ଦୁର୍ବୃତ୍ତ, ଚାହିଲେ ଅନାୟାସରେ ଗୋଦାମ ଖୋଲି ବିସ୍ଫୋରକ ଲୁଟି ନେଇ ଯାଇପାରିବ। ଏହି ବାରୁଦ ଗୋଦାମର କ୍ଷମତା ୨୧ ଟନ୍‌। ଏବେ ଗୋଦାମରେ କ୍ଷମତାଠାରୁ ଅଧିକ ୯ ଟନ୍‌ ବାରୁଦ ରହିଛି। ହାଇଦ୍ରାବାଦ, ନାଗପୁର, ରାଜସ୍ଥାନରୁ ବାରୁଦ ଆଣି ଗୋଦାମରେ ମହଜୁଦ୍‌ ରଖି ବଲଣ୍ଡା, କଲୁଙ୍ଗା, କୁଚିଣ୍ଡା, କେ.ବଲାଙ୍ଗ ଅଞ୍ଚଳର ବିଭିନ୍ନ ପଥର ଖଣିକୁ ଯୋଗାଉଥିବା ଶ୍ରୀ ଅଗ୍ରୱାଲ ସମସ୍ତ ନିୟମ, ନିର୍ଦ୍ଦେଶକୁ ଉଲ୍ଲଂଘନ କରି କାରବାର ଚଳାଇଥିବା ଅଭିଯୋଗ ରହିଛି।

ଜେଲ୍‌ ଗଲେ ବ୍ୟବସାୟୀ, ଡ୍ରାଇଭର

ରାଉରକେଲା: ଏସ୍ଓପି ଉଲ୍ଲଂଘନ କରି ବେଆଇନ ବିସ୍ଫୋରକ ସାମଗ୍ରୀ ଚାଲାଣ ଅଭିଯୋଗରେ ରଘୁନାଥପାଲି ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାସନ୍ତୀ କଲୋନି ଅଞ୍ଚଳର ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ (୪୨) ଓ ବ୍ରାହ୍ମଣୀତରଙ୍ଗ ଅଞ୍ଚଳର ଗାଡ଼ି ଚାଳକ ବ୍ୟାସ ସାମଦ (୩୫)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। 
ପୁଲିସ ସୂଚନାନୁଯାୟୀ, ଗତ ରବିବାର ରାଉରକେଲା ବାଲୁଘାଟ ପେଟ୍ରୋଲ୍ ପମ୍ପରୁ ଗୋଟିଏ ବିସ୍ଫୋରକ ବୋଝେଇ ମିନି ଟ୍ରକ୍ (ଓଡି୧୪ବି-୧୯୮୭) ଜବତ ହୋଇଥିଲା। ଗାଡ଼ିରୁ ମିଳିଥିବା ୧୧୫ଟି ପେଟିରେ ‘ଆପେକ୍ସ ପାୱାର-୯୦’ ବିସ୍ଫୋରକ(ପ୍ରତ୍ୟେକ ପେଟିରେ ୨୦୦ଟି) ରହିଥିବାବେଳେ ଅନ୍ୟ ୧୫ଟିରେ ୨୨ ହଜାର ୫୦୦ ମିଟର ଡେଟୋନେଟିଂ ଫ୍ୟୁଜ୍‌ ତାର ରହିଥିଲା। ଅନ୍ୟ ଏକ ପେଟିରେ ୪୦୦ ଖଣ୍ଡ ଡେଟୋନେଟର୍‌ ମିଳିଥିଲା। ଏହି ବାରୁଦ ଶ୍ରବଣ ଅଗ୍ରୱାଲଙ୍କ ଗୋଦାମର ହୋଇଥିବାବେଳେ ପୁଲିସ ଜେରା କରିବାରୁ ସୁନ୍ଦରଗଡ଼ ବଲଣ୍ଡା ଅଞ୍ଚଳକୁ ଚାଲାଣ ହେଉଥିବା ସେ ପୁଲିସକୁ କହିଥିଲେ। କିନ୍ତୁ ‘ପେସୋ’ ଜରିଆରେ ଶ୍ରବଣ ଆବେଦନ କରିନଥିବା ଜେରା ସମୟରେ ଜଣାପଡ଼ିଥିଲା। ଆଜି ପୁଣି ଏକ ବିସ୍ଫୋରକ ବୋଝେଇ ଗାଡ଼ି (ଓଡି୧୪ପି-୧୯୮୭) ଜବତ ହୋଇଛି।

ସେଥିରୁ ୩୦ଟି ଡେଟୋନେଟର୍‌ ପ୍ୟାକେଟ୍‌, ୨୫ ମିଟ୍‌ର ଲମ୍ବର ୧୫୦ ବଣ୍ଡଲ ତାର, ୩୦୨ ପ୍ୟାକେଟ୍‌ ମେଗା ପ୍ରାଇମ୍‌ ମିଳିଛି। ବେଆଇନ ବିସ୍ଫୋରକ ସାମଗ୍ରୀ ଚାଲାଣ ଅଭିଯୋଗରେ ଶ୍ରବଣଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପଟେ ଶ୍ରୀ ଅଗ୍ରୱାଲଙ୍କ ଓକିଲ ଚଣ୍ଡିପ୍ରସାଦ ଷଡ଼ଙ୍ଗୀ କହିଛନ୍ତି, ଶ୍ରବଣ ଜଣେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ। ବାରୁଦ ଗଚ୍ଛିତ ରଖିବା ଓ କିଣାବିକା ପାଇଁ ତାଙ୍କର ଲାଇସେନ୍ସ ଅଛି। ଜବତ ହୋଇଥିବା ଟ୍ରକ୍‌ର ମଧ୍ୟ ଲାଇସେନ୍ସ ରହିଛି। ଶ୍ରବଣ ଓ ଗାଡ଼ି ଚାଳକଙ୍କ ଉପରେ ବିଏନ୍‌ଏସ୍‌ ୨୮୮, ୧୨୫, ୩୧୮(୪), ୩(୫) ସହ ବିସ୍ଫୋରକ ପଦାର୍ଥ ଅଧିନିୟମ ୪ ଓ ୫ ଦଫା ଲାଗିଛି। ଯାହାକି ଆଦୌ ହେବା କଥା ନୁହେଁ। ତାଙ୍କୁ ହଇରାଣ କରିବାକୁ ପୁଲିସ ଭୁଲ୍‌ ଦଫା ଲଗାଇଛି ବୋଲି ସେ କହିଛନ୍ତି। କେ.ବଲାଙ୍ଗ ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଲୁଟ୍‌ ଘଟଣା ସଂପର୍କରେ ଶ୍ରବଣ ନିଜେ ପୁଲିସକୁ ସୂଚନା ଦେଇଥିଲେ। ଏହା ସତ୍ତ୍ବେ ତାଙ୍କୁ ୨୭ ତାରିଖରୁ ଅଟକ ରଖି ଅକାରଣରେ ଜେରା କରାଯାଇଛି ବୋଲି ଓକିଲ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

୭୦୦ କେଜି ଲୁଟ୍‌ ବାରୁଦ ସରଣ୍ଡାରୁ ଜବତ, କମ୍ବିଂ ଜାରି

କୋଇଡ଼ା: ବାଙ୍କୋ ପଥର ଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାକୁ ସପ୍ତାହେ ବିତିଲାଣି। ପ୍ରଥମ ଥରରେ ୧୫୭ କେଜି ବିସ୍ଫୋରକ ଜବତ ହୋଇଥିବାବେଳେ ସୋମବାର ମଧ୍ୟାହ୍ନରେ ଝାଡ଼ଖଣ୍ଡ ଜରେଇକେଲା ଥାନା ଅଧୀନ ତିରିଲପୋଷିରୁ ୨.୫ ଟନ୍ ଲୁଟ୍ ବିସ୍ଫୋରକ ଜବତ ହୋଇଥିଲା। ମଙ୍ଗଳବାର ଆଉ ୭୦୦ କେଜି ବିସ୍ଫୋରକ ଜବତ ହୋଇଥିବା ଜଣାପଡ଼ିଛି। ବଳକା ବିସ୍ଫୋରକ ଜବତ କରିବା ପାଇଁ ସୁରକ୍ଷାବଳ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି। ମେ’ ୨୭ ତାରିଖ ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ହଜାର କେଜି ବିସ୍ଫୋରକ ଲୁଟିନେଇଥିଲେ। ଏହି ଘଟଣା ପରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇଆଲର୍ଟ ଜାରି ହୋଇଥିଲା। ଏନ୍‌ଆଇଏ ଏହି ଘଟଣାର ତଦନ୍ତ କରୁଥିବାବେଳେ ସିଆର୍‌ପିଏଫ୍‌, ଓଡ଼ିଶାର ଏସ୍‌ଓଜି ଓ ଡିଭିଏଫ୍ ଏବଂ ଝାଡ଼ଖଣ୍ଡର ଜାଗୁଆର କମାଣ୍ଡୋ ୟୁନିଟ୍‌ ସେବେଠୁ ସରଣ୍ଡା ଜଙ୍ଗଲରେ ତଲାସି ଅଭିଯାନ ବଳବତ୍ତର ରଖିଛନ୍ତି।   

ବିସ୍ଫୋରକ ଲୁଟିବା ପାଇଁ ମାଓବାଦୀ ପୂର୍ବରୁ ଷଡ୍‌ଯନ୍ତ୍ର ରଚିଥିଲେ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଥିବା ବାଡ଼ିକୁଦର, ଟୟୋ, ଜାମଦା ଗ୍ରାମବାସୀ ବିସ୍ଫୋରକ ସାମଗ୍ରୀ ଲୁଟ୍‌ରେ ମାଓବାଦୀଙ୍କୁ ସହଯୋଗ କରିଥିବା କୁହାଯାଉଛି। ଲୁଟ୍‌ ପରେ ଝାଡ଼ଖଣ୍ଡର କିରିବୁରୁ, ଛୋଟନାଗରା, ଜରେଇକେଲା, ଓଡ଼ିଶାର କେ. ବଲାଙ୍ଗ, ବିଶ୍ରା ପ୍ରଭୃତି ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଥିଲା। ୮୨୦ କିଲୋମିଟର ପଶ୍ଚିମ ସିଂହଭୂମ, ପୂର୍ବ ସିଂହଭୂମ, ଷଢ଼େଇକଳା ସହ ଓଡ଼ିଶା ସୀମାନ୍ତ ବିସ୍ତୃତ ଘଞ୍ଚ ସରଣ୍ଡା ଜଙ୍ଗଲରେ ଅପରେସନ୍ କରିବା ସୁରକ୍ଷାବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତଥାପି ୭ ଦିନ ହେଲା ସୁରକ୍ଷାବାହିନୀ ନିୟମିତ ଅପରେସନ୍‌ ଜରିଆରେ ଅଧାରୁ ଅଧିକ ବିସ୍ଫୋରକ ଜବତ କରିସାରିଛନ୍ତି। ପୁଲିସ୍‌ ସୂଚନା ମୁତାବକ ସିପିଆଇ ମାଓ ସଂଗଠନର ଶୀର୍ଷ କମାଣ୍ଡର ମିସିର ବେସରା, ଅନମୋଲ, ମୋଛୁ, ଅନୀଲ, ଅସୀମ ମଣ୍ଡଳ, ଚମନ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ, ଅଶ୍ୱିନୀ ପ୍ରମୁଖ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ତରଫରୁ କମ୍ବିଂ ଜାରି ରହିଛି।