ଅନୁଗୁଳ: ଏବେ ନୁହେଁ, ୨୦୨୬-୨୭ରେ କାର୍ଯ୍ୟକ୍ଷମ ହେବ ତାଳଚେର ‌ମେଡିକାଲ କଲେଜ। ବିଧାନସଭାରେ ଏକଥା କହିଛନ୍ତି ରାଜ୍ୟ ସରକାର। ଅକ୍ଟୋବରରୁ ଏହି ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ ହେବ ବୋଲି ଅପେକ୍ଷା କରିଥିଲାବେଳେ ବିଧ‌ାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ଲୋକଙ୍କ ଦ୍ବନ୍ଦ୍ବକୁ ବଢ଼ାଇ ଦେଇଛି। ସେପଟେ କାମ ଅଧାପନ୍ତରିଆ ଥିବାରୁ ମେଡିକାଲ କଲେଜରେ ଅକ୍ଟୋବରରୁ ‌ରୋଗୀସେବା ଆରମ୍ଭ ଆଶା ମଉଳିଯାଇଛି। ବାରମ୍ବାର ତାରିଖ ବଦଳିବା ପରେ ଆସନ୍ତା ଅକ୍ଟୋବର ୨ରୁ ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଚାଲିବ ବୋଲି ସ୍ଥିର ହୋଇଥିଲା। ମେଡିକାଲ କଲେଜର କୋଠା ନିର୍ମାଣ ପ୍ରାୟ ୫ ବର୍ଷ ହେଲା ଶେଷ ହୋଇଛି। ଉଦ୍‌ଘାଟନ ବି ହୋଇସାରିଲାଣି। କିନ୍ତୁ ଏଠାରେ ଏ ପର୍ଯ୍ୟନ୍ତ ରୋଗୀସେବା କିମ୍ବା ପାଠପଢ଼ା ଆରମ୍ଭ ହୋଇପାରିନି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

Advertisment

ମେଡିକାଲ ପରିଚାଳନା ପାଇଁ ଏମ୍‌ସିଏଲ୍‌ ଟଙ୍କା ଦେବ ଓ ରାଜ୍ୟ ସରକାର ଏହାକୁ ଚଳାଇବେ। କିଛି ଦିନ ତଳେ ସରକାର ଏହି ମେଡିକାଲ କଲେଜକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ସହ ଅକ୍ଟୋବର ୨ରୁ ରୋଗୀସେବା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଅନୁଗୁଳ ସମେତ ଆଖାପାଖ ଜିଲ୍ଲାର ଲକ୍ଷଲକ୍ଷ ଲୋକଙ୍କ ମନରେ ନୂତନ ଆଶା ସଂଚାର ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ମେଡିକାଲ କଲେଜ ଚଳାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇନି। ମେଡିକାଲ କଲେଜ ପାଇଁ କର୍ମଚାରୀ ନିଯୁକ୍ତି ହୋଇ ନଥିଲାବେଳେ ରୋଗୀସେବା ପାଇଁ ଆବଶ୍ୟକ ଉପକରଣ ପହଞ୍ଚିପାରିନି। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କହାଯାଇଥିଲା। କିନ୍ତୁ ଡାକ୍ତରଖାନା ପାଇଁ ଭିତ୍ତିଭୂମି ସଜଡ଼ା ଚାଲିଛି। ସ୍ଥିତି ଏମିତି ଯେ, ମାସକ ଭିତରେ ଏହା ସରିବା ପରି ଲାଗୁନି। ଏମିତି ପରିସ୍ଥିତି‌ରେ ମେଡିକାଲ କଲେଜ ଚାଲିବା ସନ୍ଦେହ ବଢ଼ିବାରେ ଲାଗିଛି। ମେଡିକାଲ କଲେଜ ନେଇ ଲୋକଙ୍କ ସନ୍ଦେହ ବଢ଼ୁଥିଲାବେଳେ ରାଜ୍ୟ ସରକାରଙ୍କ ମନ୍ତବ୍ୟ ଏହାକୁ ଅଧିକ ଜଟିଳ କରିଛି। ବିଧ‌ାନସଭାରେ ବିଧାୟକ ମକରନ୍ଦ ମୁଦୁଲିଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ତାଳଚେର‌ ମେଡିକାଲ କଲେଜ ୨୦୨୬-୨୭ରୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାଜପୁର ମେଡିକାଲ କଲେଜ ୨୦୨୪-୨୫ ଓ ଫୁଲବାଣୀ ମେଡିକାଲ କଲେଜ ୨୦୨୫-୨୬ରୁ ଆରମ୍ଭ ‌ହେବ। ଅର୍ଥାତ ପାଖାପାଖି ୩ ବର୍ଷ ପରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଜଣାପଡ଼ିବା‌ ପରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିଛି।

ଏହି ତାଳଚେର ମେଡିକାଲ କଲେଜରେ ୨୦୧୯-୨୦ ବର୍ଷରୁ ପାଠପଢ଼ା ଆରମ୍ଭ ହେବା ସହ ରୋଗୀସେବା ଆରମ୍ଭ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ବିଳମ୍ବିତ ହେବାରେ ଲାଗିଛି। ୨୦୧୯ରେ ମେଡିକାଲ କଲେଜର ନୂତନ କୋଠା ଉଦ୍‌ଘାଟିତ ହୋଇଥିଲାବେଳେ ପରେ ୨୦୨୧-୨୨ଶିକ୍ଷା ବର୍ଷରୁ ଏଠାରେ ନାମଲେଖା କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବିଭିନ୍ନ କାରଣରୁ ଏହା ସମ୍ଭବ ନ ହେବାରୁ ପରେ ୨୦୨୨-୨୩କୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହା ବି ବିଫଳ ହୋଇଥିଲା। ୨୦୨୩ ଆରମ୍ଭରୁ ରୋଗୀସେବା କରିବାକୁ ଓ ସେହି ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସବୁ ଗୋଳିଆ କରିଦେଇଛି।