ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ମାଓବାଦୀଙ୍କ ଦ୍ବାରା ଲୁଟ୍ ହୋଇଥିବା ଆଉ କିଛି ବିସ୍ଫୋରକ ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ତିରିଲପୋଷିରୁ ଜବତ ହୋଇଛି। ସିଆର୍ପିଏଫ୍ କୋବ୍ରା ବାଟାଲିୟନ୍, ଝାଡ଼ଖଣ୍ଡ ଜାଗୁଆର, ଡିଭିଏଫ୍ ଓ ଏସ୍ଓଜି ଟିମ୍ ପକ୍ଷରୁ ମିଳିତ ସର୍ଚ ଅପରେସନ୍ ଚାଲିଥିବା ସମୟରେ ମାଟିତଳେ ଲୁଚାଇ ରଖାଯାଇଥିବା ୩୦୦ କେଜିରୁ ଅଧିକ ବିସ୍ଫୋରକ ଜବତ କରାଯାଇଛି। ଓଡ଼ିଶା ସୀମାରୁ ୭ କିମି ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋଷି ସରଣ୍ଡା ଜଙ୍ଗଲର ବିଟିକିଲ୍ସୋୟା, ବାଡ଼ିକୁଦର, ଟୟୋ, ଜାମଡ଼ା ଆଦି ଜାଗାରେ ମାଓବାଦୀମାନେ ଲୁଟ୍ ବିସ୍ଫୋରକ ଲୁଚାଇ ରଖିଥିଲେ।
ପୂର୍ବରୁ ଯବାନମାନେ ସରଣ୍ଡା ଜଙ୍ଗଲରୁ ୩,୮୦୦ କେଜି ବିସ୍ଫୋରକ ଜବତ କରିଥିଲେ। ଆଜି ପର୍ଯ୍ୟନ୍ତ ୪,୧୦୦ କେଜି ବିସ୍ଫୋରକ ଜବତ ହୋଇସାରିଲାଣି। ଅବଶିଷ୍ଟ ୯୦୦ କେଜି ବିସ୍ଫୋରକ ମାଓମାଦୀମାନେ କେଉଁଠି ଲୁଚାଇ ରଖିଛନ୍ତି ଯବାନମାନଙ୍କ ପକ୍ଷରୁ ତଲାସି ଜାରି ରହିଛି। ବିସ୍ଫୋରକ ଜବତ ପରେ ସରଣ୍ଡା ଜଙ୍ଗଲରେ ସର୍ଚ ଅପରେସନ୍କୁ ଜୋରଦାର କରାଯାଇଛି। ଅନ୍ୟପକ୍ଷରେ ମାଓବାଦୀମାନେ ବଡ଼ଧରଣର ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସକୁ ଗୁପ୍ତ ସୂଚନା ମିଳିଛି। ଗୁଇନ୍ଦା ତଥ୍ୟ ଆଧାରରେ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଉପରେ ଉଭୟ ରାଜ୍ୟର ପୁଲିସ ସହ କେନ୍ଦ୍ର ସୁରକ୍ଷାବାହିନୀ ପକ୍ଷରୁ କଡ଼ା ନଜର ରଖାଯାଇଛି।
ଅନ୍ୟପଟେ ରାଉରକେଲା ବାଲୁଘାଟ ପେଟ୍ରୋଲ ପମ୍ପରୁ ବିସ୍ଫୋରକ ଜବତ ଘଟଣାରେ ଗିରଫ ହୋଇଥିବା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରିବା ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାଯାଇଛି। ଖଣିମାଲିକ ନୀରୋଜ ପାଣ୍ଡେଙ୍କୁ ମଧ୍ୟ ସ୍କାନରରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ମାସ ୨୭ ତାରିଖରେ କୋଇଡ଼ା ବ୍ଲକ୍ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣିକୁ ଯାଉଥିବା ୫ ଟନ୍ (୨୦୦) ପେଟି ବିସ୍ଫୋରକକୁ ମାଓବାଦୀମାନେ ଲୁଟି ନେଇଥିଲେ। ଗାଡ଼ି ଚାଳକ ଦେଓନାଥ ଟପ୍ପୋଙ୍କ ଏତଲା ପରେ ଘଟଣା ସାମନାକୁ ଆସିଥିଲା।