ଭୁବନେଶ୍ବର: କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ର ତାପରେ ସିଝୁଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଜି ମାତ୍ର ୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ରାଜ୍ୟର ସର୍ବାଧିକ ତାପମାତ୍ରା ବଲାଙ୍ଗୀରଠାରେ ୪୧.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୪୦.୮ ଡିଗ୍ରି, ବୌଦ୍ଧରେ ୪୦.୫ ଡିଗ୍ରି ଓ ଭବାନୀପାଟଣାରେ ୪୦ ଡିଗ୍ରି ଦିନ ତାପମାତ୍ରା ରହିଥିଲା। ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସୋନପୁର ଆଦି ସହରର ତାପମାତ୍ରା ୩୯ ଡିଗ୍ରି ପାର୍‌ କରି ୪୦ ଡିଗ୍ରି ପାଖାପାଖି ରହିଥିଲା। ତେବେ ତାତି ଆଜି ଅପେକ୍ଷାକୃତ କମ୍‌ ରହିଥିଲେ ସୁଦ୍ଧା ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତର ଓଡ଼ିଶାକୁ ତାତିରୁ ବିଶେଷ ମୁକ୍ତି ମିଳିନାହିଁ। କିମ୍ବା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଖରା ଓ ତାତିରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ। ଓଲଟା ଆସନ୍ତା ୫ ଦିନରେ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା ସହ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଣୁ ଜନସାଧାରଣଙ୍କୁ ଏ ସମୟରେ ସତର୍କତାମୂଳକ ପଦକ୍ଷେପ ନେବା ସହ ଆବଶ୍ୟକତା ନଥିଲେ ବାହାରକୁ ନବାହାରିବା ପାଇଁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Advertisment

ଅନ୍ୟପଟେ ଉପକୂଳ ଓଡ଼ିଶାରେ ‌କୋହଲା ପାଗ ଜାରି ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାର ପାଗ କୋହଲା, ଆକାଶ ମେଘୁଆ ରହିବା ସହ ପବନ ବହିବ। ଆଜି ବାଲେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫.୫ ଡିଗ୍ରି ରହିଥିବା ବେ‌ଳେ କଟକରେ ୩୪.୫ ଡିଗ୍ରି, ଭୁବନେଶ୍ବର ୩୫.୨ ଡିଗ୍ରି, ଗୋପାଳପୁର ୩୦.୩ ଡିଗ୍ରି ଓ ପୁରୀରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୨ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ତାପମାତ୍ର‌ା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।