ସମ୍ବଲପୁର: ମହାନଦୀର ଉପରମୁଣ୍ଡରୁ ବର୍ଷା ଜଳ ପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍‌ଣରେ ପୁଣି ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିଲା। ଆଜି ପୁଣି ୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ପରେ ବର୍ତ୍ତମାନ ମୋଟ୍‌ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପାଣି ପ୍ରବେଶ କରୁଥିବାରୁ ଆହୁରି ୫ଟି ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଯଦି ଆହୁରି ୫ଟି ଗେଟ୍‌ ଖୋଲିବ, ସେହି ସମୟରେ ମୋଟ୍‌ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେବ।

ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରାହ୍‌ଣ ୩ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡ‌ାରର ବାମ ପାର୍ଶ୍ବର ୪ଟି ଏବଂ ଡାହାଣ ପାର୍ଶ୍ବର ୩ଟି ଗେଟ୍ ‌ଦେଇ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡ‌ାରକୁ ୪,୯୨,୯୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧, ୫୬,୬୭୬ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି। ପାୱାର ଚାନେଲ ଦେଇ ୩୧,୭୯୬ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୧,୭୩୫ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ୨୭୪ କ୍ୟୁସେକ୍ ପାଣି ଶିଳ୍ପସଂସ୍ଥାମାନଙ୍କୁ ଦିଆଯାଉଛି।

ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଆଉ ୫ଟି ଗେଟ୍ ଖୋଲାଯିବା ନେଇ ତଳିଅଞ୍ଚଳରେ ଲୋକଙ୍କୁ ସୂଚନା ଦିଆଯାଇଥିଲା। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କର କିଛି କ୍ଷତି ହେବ ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ କଟକ ଜିଲ୍ଲା ମୁଣ୍ଡଳିରେ ଜଳସ୍ତର କମୁଛି। ଏଥିପାଇଁ ହୀରାକୁଦ ଜଳଭଣ୍ଡାରରୁ ୫ଟି ଗେଟ୍‌ ଖୋଲିଲେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ହୀରାକୁଦ ଡ୍ୟାମର ୫ଟି ଗେଟ୍‌ ଖୋଲିବା ପରେ ବନ୍ୟାଜଳ ପ୍ରାୟ ୩୬ ଘଣ୍ଟା ମଧ୍ୟରେ ମୁଣ୍ଡଳିରେ ପହଞ୍ଚିବ। ଏନେଇ ଜଳସଂପଦ ବିଭାଗ ସ୍ଥିତି ଉପରେ ନଜର ରଖିଛି। ଏହାସହ ଯେଉଁ ସ୍ଥାନରେ ସବୁ ଘାଇ ସୃଷ୍ଟି ହୋଇଛି ତା’ ଉପରେ ନଜର ରଖାଯାଇଛି।