ନିର୍ମାଣ ହେବ ଆଉ ୭ ଆରଓବି : ରାଜିନାମା କଲା ପୂର୍ବତଟ ‌ରେଳପଥ

ଭୁବନେଶ୍ବର : ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆଉ ୭ଟି ଲେଭଲ୍ କ୍ରସିଂ ଅପସାରଣ କରାଯାଇ ରୋଡ୍ ଓଭର ବ୍ରିଜ୍ (ଆରଓବି) ନିର୍ମାଣ ହେବ। ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍‌ ଇଣ୍ଡିଆ ଲିମିଟେଡ୍(ଇପିଆଇଏଲ୍) ସହ ହାଓଡ଼ା-ଚେନ୍ନାଇ ପ୍ରମୁଖ ରେଳପଥରେ ଖୋର୍ଦ୍ଧା ରୋଡ-ପଲାସା ରେଳ ସେକ୍ସନର ଧାନମଣ୍ଡଳ-ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ୭ଟି ଆରଓବି ନିର୍ମାଣ ପାଇଁ ଆଉ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ରାଜିନାମା ହୋଇଥିବା ଏହି ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆନୁମାନିକ ୩୦୩.୩୬ କୋଟି ଟଙ୍କା ମୂଲ୍ୟରେ କମ୍ପୋଜିଟ୍ ଚୁକ୍ତିନାମା ଆଧାରରେ ଗୋଟିଏ ପକ୍ଷକୁ ସ୍ୱାକ୍ଷରିତ କରାଯାଇଛି। ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ନରୋତ୍ତମ ସିଂ ଉଇକେଙ୍କ ଉପସ୍ଥିତିରେ ରେଳପଥର ମୁଖ୍ୟ ଇଞ୍ଜିନିୟର(ସଡ଼କ ସୁରକ୍ଷା କାର୍ଯ୍ୟ) ବ୍ରିଜେଶ କୁମାର ମିଶ୍ରଙ୍କ ସହ ଇପିଆଇଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଶ୍ୱଜିତ୍ ବିଶ୍ୱାସ ରାଜିନାମାରେ ସ୍ୱାକ୍ଷର କରିଛନ୍ତି।

ନିର୍ମାଣ ହେବାକୁ ଥିବା ଆରଓବିଗୁଡିକ ହେଲା ଗୋପାଳପୁର ବାଲିକୁଦା-ବାରଙ୍ଗ ଷ୍ଟେସନ ମଧ୍ୟରେ ଥିବା ୧୮୧ ନମ୍ବର ଲେଭଲ କ୍ରସିଂ, ଧାନମଣ୍ଡଳ-ବଇରି ଷ୍ଟେସନ ମଧ୍ୟରେ ୧୬୯ ନମ୍ବର ଲେଭଲ କ୍ରସିଂ, ଖୋର୍ଦ୍ଧା ରୋଡ-କାଇପଦର ରୋଡ ଷ୍ଟେସନ ମଧ୍ୟରେ ୨୦୨ ନମ୍ବର ଲେଭଲ କ୍ରସିଂ, ଗଞ୍ଜାମ-ଛତ୍ରପୁର ଷ୍ଟେସନ ମଧ୍ୟରେ ୨୮୯ ନମ୍ବର ଲେଭଲ କ୍ରସିଂ, ଛତ୍ରପୁର-ଜଗନ୍ନାଥପୁର ଷ୍ଟେସନ ମଧ୍ୟରେ ୨୯୨ ନମ୍ବର ଲେଭଲ କ୍ରସିଂ ଓ ଜଗନ୍ନାଥପୁର-ବ୍ରହ୍ମପୁର ଷ୍ଟେସନ୍ ମଧ୍ୟରେ ୩୦୩ ଓ ୩୦୪ ନମ୍ବର ଲେଭଲ କ୍ରସିଂ। ଏହି ୭ଟି ଆରଓବି ନିର୍ମାଣ କାର୍ଯ୍ୟ ପାଇଁ ରେଳବାଇ ବୋର୍ଡ ଦ୍ୱାରା ଇପିଆଇଏଲ୍‌କୁ ପ୍ରକଳ୍ପ ମୂଲ୍ୟ ଉପରେ ମ୍ୟାନେଜମେଣ୍ଟ ପାଉଣା ବାବଦରେ ୪.୨୧% ପ୍ରଦାନ କରାଯିବ। ରେଳ ବୋର୍ଡସ୍ତରରେ କାର୍ଯ୍ୟକାରିତା ଓ ମାନକ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଇପିଆଇଏଲ୍ ସହିତ ପରାମର୍ଶ କରି ପୂର୍ବତଟ ରେଳପଥ ଦ୍ୱାରା କାର୍ଯ୍ୟ ନିର୍ଦ୍ଦିଷ୍ଟ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ସହ ପୂର୍ବତଟ ରେଳପଥରେ ସମୁଦାୟ ୧୩ଟି ଆରଓବି ରେଳ ବୋର୍ଡ ଦ୍ୱାରା ପ୍ରସ୍ତୁତ ମଡେଲରେ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର