ବାରିପଦା: ଶିମିଳିପାଳ ସୁରକ୍ଷା ଅଭିଯାନରେ ସାମିଲ ମୟୂରଭଞ୍ଜ ପୁଲିସକୁ ପୁଣି ସଫଳତା ମିଳିଛି। ଅଭୟାରଣ୍ୟ ପାଦଦେଶର ବିଭିନ୍ନ ଗାଁରେ ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍‌ ବେଳେ ୭୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଜୁଲାଇ ଓ ଅଗଷ୍ଟ ମାସରେ ୧୬୫ଟି ବନ୍ଧୁକ ଜବତ ହୋଇଥିବା ବେଳେ ୩ ମାସରେ ମୋଟ ୨୩୬ଟି ବନ୍ଧୁକ ଜବତ ହେଲାଣି। ବନ ବିଭାଗ କର୍ମଚାରୀ ଏବଂ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ସର୍ଚ୍ଚ ଅପରେସନ୍‌ରେ ଲାଗିଛନ୍ତି। ଆବଶ୍ୟକ ପଡ଼ିଲେ ଅଭିଯାନରେ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ଏସ୍‌ପି ବାତୁଳ ଗଙ୍ଗାଧର ଆଜି ବାରିପଦା​ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ସହିତ ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟମାନେ ଶିକାରୀଙ୍କ ସମ୍ପର୍କ‌ରେ ସୂଚନା ପାଇଲେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ସେ ଅପିଲ୍‌ କରିଛନ୍ତି। ଯଦି ଜାଣିଶୁଣି କେହି ସୂଚନା ନ ଦିଅନ୍ତି, ତେବେ ପ୍ରମାଣ ମିଳିଲେ ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସତର୍କ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ଉମାଶଙ୍କର ମହାରଣା ଏବଂ ବାରିପଦା ଏସ୍‌ଡିପିଓ ସୁଜିତ କୁମାର ପ୍ରଧାନ ଉପସ୍ଥିତ ଥିଲେ।

Advertisment

ସୂଚନା ଥାଉକି ଗତ ମେ ମାସରେ ବନ କର୍ମଚାରୀ ବିମଳ କୁମାର ଜେନା ଏବଂ ଜୁନ୍‌ ମାସରେ ମାଟି ହାଁସଦା ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସେଥିପାଇଁ ଜୁଲାଇ ପହିଲାରୁ ଶିମିଳିପାଳର ସୁରକ୍ଷା ପାଇଁ ପୁଲିସ ଫୋର୍ସ ନିୟୋଜନ କରାଯାଇଛି।