ପହଞ୍ଚିଲା ଆଉ ୯ ଲକ୍ଷ କୋଭିସିଲ୍‌ଡ୍‌ ଟିକା

ଭୁବନେଶ୍ବର: ଆଜି ରାଜ୍ୟରେ ୯,୦୪,୧୮୦ ଡୋଜ୍‌ କୋଭିସିଲ୍‌ଡ୍‌ ଟିକା ପହଞ୍ଚିଛି। ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ଟିକା ପହଞ୍ଚିଥିଲା। ସେଠାରୁ ତାହାକୁ ସୁରକ୍ଷିତ ଭାବେ ଅଣାଯାଇ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। ଗତ ଜାନୁଆରି ୧୨ ତାରିଖରେ ରାଜ୍ୟରେ ପ୍ରଥମ ଟିକା ଭାବେ କୋଭିସିଲ୍‌ଡ୍‌ ପହଞ୍ଚିଥିଲା। ଅପର ପକ୍ଷରେ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକମାନଙ୍କ ଟିକାକରଣ ଅଭିଯାନ ଜାରି ରହିଛି। ଆଜି ନବମ ଦିନରେ ୩୭,୪୦୭ ଜଣ ଟିକା ନେଇଛନ୍ତି। ଫଳରେ ପ୍ରଥମ ଡୋଜ୍ ଟିକା ନେଇଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି। ଆଜି ସୁଦ୍ଧା ମୋଟ୍‌ ୨,୨୫,୩୬୫ ବରିଷ୍ଠ ନାଗରିକ ଟିକା ନେଇସାରିଲେଣି। ଏହା ବାଦ୍ ଜଟିଳ ରୋଗ ବା କୋ-ମର୍ବିଡ୍‌ ଥିବା ୪୫ ବର୍ଷରୁ ଅଧିକ ବୟସର ମୋଟ୍‌ ୧୦,୮୦୭ ଜଣ ଟିକା ନେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ମୋଟ୍‌ ୫୭,୮୯୩ ଜଣ ଟିକା ନେଇଛନ୍ତି। ତାହା ମଧ୍ୟରୁ ୬୦୦ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍‌ ଟିକା ନେଇଥିଲା ବେଳେ ୭୦୨୧ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ୯୦୩ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରଥମ ଡୋଜ୍‌ ଓ ୧୬୨୩୧ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ୍‌ ୯,୬୮,୭୬୬ ଡୋଜ୍ ଟିକା ଦିଆସରିଛି।

ସମ୍ବନ୍ଧିତ ଖବର