ଖୁସି ଖବର: କରୋନାରୁ ପୁଣି ସୁସ୍ଥ ହେଲେ ୯୦ ଜଣ, ରାଜ୍ୟରେ ସୁସ୍ଥ ହୋଇଥିବା ସଂଖ୍ୟା ୯୭୭

ଭୁବନେଶ୍ୱର: କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୯ଟି ଜିଲ୍ଲାରୁ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୯୭୭ରେ ପହଞ୍ଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଜଗତ୍‌ସିଂହପୁର ଜିଲ୍ଲାରୁ ସର୍ବାଧିକ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରୁ ୨୨ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ଗଂଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୨-୨ ଜଣ ଓ ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ୨୯ଟି ଜିଲ୍ଲାରୁ ଏପର୍ଯ୍ୟନ୍ତ ୧୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଛି ।

କୋଭିଡ-୧୯ ବିରୋଧରେ ଓଡ଼ିଶା ସଫଳତାର ସହିତ ମୁକାବିଲା କରୁଛି । ଦିନକୁ ଦିନ ଓଡ଼ିଶାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ତୁଳନାରେ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସୁବ୍ୟବସ୍ଥା ସହ ପ୍ରଶାସନିକ ସହଯୋଗ ଯୋଗୁଁ ଏଭଳି ହୋଇପାରିଛି । ସେହିଭଳି ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀମାନେ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଦୃଷ୍ଟିଗୋଚର ହେଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିଗତ ତିନି ଦିନରେ କରୋନା ପଜିଟିଭ ବ୍ୟକ୍ତିଙ୍କ ତୁଳନାରେ ସୁସ୍ଥ ହୋଇଛନ୍ତି ଅଧିକ ଆକ୍ରାନ୍ତ ।

ସମ୍ବନ୍ଧିତ ଖବର