ସମ୍ବଲପୁର ଶାସନ ଅଞ୍ଚଳରେ ଆଉ ଏକ ଅପହରଣ : ପବ୍‌ଜି ଖେଳୁଥିବାବେଳେ ଯୁବକଙ୍କୁ ଟେକିନେଲେ

୧୨ ଘଣ୍ଟାରେ ଉଦ୍ଧାର, ୪ ଅପହର୍ତ୍ତା ଗିରଫ, ମୁଣ୍ଡ ଜାମିନ୍‌ ରଖି ୨୫ ହଜାର ମାଗିଥିଲେ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳରେ ବରେଇପାଲିର ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ଅପହରଣ ଘଟଣାକୁ ୮ ଦିନ ନହେଉଣୁ ପୁଣିଥରେ ଏହି ଅଞ୍ଚଳରୁ ଅନ୍ୟ ଜଣେ ଯୁବକଙ୍କୁ ଅପହରଣ କରିନେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ସମ୍ବଲପୁର ପୁଲିସ୍‌ ୩ଟି ଟିମ୍‌ ଗଠନ କରି ଚଢ଼ଉ କରିବା ପରେ ୧୨ ଘଣ୍ଟା ମଧ୍ୟରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ସମସ୍ତ ୪ ଅପହର୍ତ୍ତାଙ୍କୁ ଗିରଫ କରିଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚା‌ଲାଣ କରିଛି। ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶ ଲାଲଗଞ୍ଜ ଥାନାର ଏମ୍‌ଡି ଇକ୍‌ରମ୍‌(୧୯), ରେଙ୍ଗାଲି ଥାନା ସମଲେଇପଡ଼ାର ସୁଶାନ୍ତ ତନ୍ତୀ(୨୬), କତରବଗା ଥାନା ଠୁରୋପାଲି ଗ୍ରାମର ଚିନ୍ମୟ ରୋହୀଦାସ(୧୯) ଓ ଇନ୍ଦ୍ରମଣି ରୋହିଦାସ(୧୯)। ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍‌ ଅପହରଣରେ ବ୍ୟବହୃତ ବୁଲେଟ୍‌ ଓ ୫ଟି ମୋବାଇଲ୍‌ ଜବତ କରିଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁସାରେ, ଶାସନ ଥାନା ପଣ୍ଡିଆପାଲି ଗ୍ରାମର ସଞ୍ଜୟ ଓରାମ(୧୯) ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ କେନାଲ କଡ଼ରେ ବସି ମୋବାଇଲ୍‌ରେ ପବ୍‌ଜି ଖେଳୁଥିଲେ। ଏହି ସମୟରେ ୨ ଯୁବକ ଏକ ବୁଲେଟ୍‌(ଓଡି ୧୫ ଏ ୫୪୯୧)ରେ ଆସି ତାଙ୍କ ହାତ ବାନ୍ଧି ମୁହଁରେ ତୁଣ୍ଡି ଲଗାଇ ଜବରଦସ୍ତି ତାଙ୍କୁ ଟେକି ନେଇଥିଲେ। ଏହାପରେ ସେମାନେ ବୁଲେଟ୍‌ରେ ସଞ୍ଜୟଙ୍କୁ ନେଇ ରେଙ୍ଗାଲି ପଟକୁ ଚାଲିଯାଇଥିଲେ। ବିଳମ୍ବିତ ରାତି ଯାଏ ସଞ୍ଜୟ ଘରକୁ ନ ଫେରିବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ତେବେ ସେହି ସମୟରେ ତାଙ୍କ ମୋବାଇଲ୍‌ରୁ ଭଉଣୀଙ୍କ ନମ୍ବରକୁ ଏକ ଫୋନ୍‌ ଆସିଥିଲା। ଫୋନ୍‌ରେ ଜଣେ ଯୁବକ ‌ସଞ୍ଜୟଙ୍କୁ ଅପହରଣ କରି ନିଆଯାଇଥିବା ସମ୍ପର୍କରେ ସୂଚନା ଦେଇ ୨୫ ହଜାର ଟଙ୍କା ଦେଲେ ସେମାନେ ସଞ୍ଜୟଙ୍କୁ ଛାଡ଼ିଦେବେ ବୋଲି କହିଥିଲେ। ଏ ନେଇ ପୁଲିସ୍‌କୁ ଜଣାଇଲେ ସଞ୍ଜୟଙ୍କୁ ମାରିଦେବେ ବୋଲି ମଧ୍ୟ ସେମାନେ ଧମକ ଦେଇଥିଲେ।

ତେବେ ସଞ୍ଜୟଙ୍କ ଭଉଣୀ ଶାସନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତନ‌ାଘନା ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ବରେ ଡିଏସ୍‌ପି ସନ୍ତକ ଜେନା, ଶାସନ ଥାନାଧିକାରୀ ଜୟରଶ୍ମି ସେଠୀ ଓ ରେଙ୍ଗାଲି ଥାନାଧିକାରୀ ଧବଳେଶ୍ବର ସାହୁଙ୍କୁ ନେଇ ଗଠିତ ୩ଟି ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ଅପହୃତ ସଞ୍ଜୟଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ଭୋର୍‌ରୁ ପୁଲିସ୍‌ ରେଙ୍ଗାଲିର ଏକ ପରିତ୍ୟକ୍ତ ଘରୁ ତ‌ାଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଉଦ୍ଧାର ପରେ ସଞ୍ଜୟଙ୍କର ଡାକ୍ତରୀମାଇନା କରାଯିବା ସହ କୋର୍ଟରେ ତାଙ୍କର ବୟାନ୍‌ ମଧ୍ୟ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର