ଝାରସୁଗୁଡ଼ା: ଝାରସୁଗୁଡ଼ାସ୍ଥିତ ଓଡ଼ିଶା ମେଟାଲିକ୍ସରେ ପୁଣି ଘଟିଛି ଅଘଟଣ। ମଙ୍ଗଳବାର ବେନିଫିକେସନ୍‌ ପ୍ଲାଣ୍ଟରେ ଥିବା ଫିଲ‌୍‌ଟର ପ୍ରେସ୍‌ର ପୂରା ଷ୍ଟ୍ରକ୍‌ଚର୍‌ ଖସି ପଡ଼ିବାରୁ ସେଠାରେ କାର୍ଯ୍ୟରତ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଦ୍ବୟ ହେଲେ ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବିଟିଏମ୍‌ରେ ରହୁଥିବା ଗଞ୍ଜାମର ପୂର୍ଣ୍ଣଚନ୍ଦ୍ର ଜେନା (୩୫) ଓ ଝାଡ଼ଖଣ୍ଡର ଆଲୋକ ଦେଓ ସାହୁ (୪୦)। ଆହତ ବିହାରର କୁନ୍ଦନ କୁମାର, ବିପିନ କୁମାର, ଝାରସୁଗୁଡ଼ାର ରାମେଶ୍ବର ମେହେର, କଟକର ରମେଶ ପଣ୍ଡା, ରାଜକିଶୋର ସାହୁ, ସତ୍ୟବ୍ରତ ଲେଙ୍କା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଶ୍ରମିକଙ୍କ ମୃତ୍ୟୁକୁ କେନ୍ଦ୍ର କରି ପ୍ଲାଣ୍ଟ ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ କାରଖାନା ଫାଟକକୁ ବନ୍ଦ କରି ଦିଆଯାଇଛି। ପୁଲିସ ଘଟଣାର ଛାନ୍‌ଭିନ୍‌ କରିବା ସହ କମ୍ପାନି ପଦାଧିକାରୀଙ୍କୁ ଥାନାରେ ପଚରାଉଚରା କରିଛି।  

Advertisment

ଆହତ କର୍ମଚାରୀଙ୍କ ସୂଚନାନୁସାରେ, ପେଲେଟ୍‌ ପ୍ଲାଣ୍ଟରେ ଥିବା ଏହି ଫିଲ୍‌ଟର୍‌ ପ୍ରେସ୍‌ଟି ବହୁ ପୁରୁଣା ହୋଇ ସାରିଥିଲା। ସ୍ଲରି ଉପରେ ଚାପ ପ୍ରୟୋଗ କରି ତାହାକୁ ଶୁଷ୍କ କରୁଥିବାରୁ ଫିଲ୍‌ଟର୍‌ ପ୍ରେସ୍‌ ଉପରେ ସବୁବେଳେ ଚାପ ପଡ଼ିଥାଏ। ତେଣୁ ନିୟମିତ ବ୍ୟବଧାନରେ ଏହି ଫିଲ୍‌ଟର୍‌ ପ୍ରେସ୍‌ର ପ୍ଲେଟ୍‌ଗୁଡ଼ିକୁ ପରିବର୍ତ୍ତନ କରାଯିବା ସହ ସ୍ଲରି ଯେଭଳି ଓଭର୍‌ଲୋଡିଂ ନହେବ ‌ତାହା ଯାଞ୍ଚ କରାଯିବା କଥା। ମାତ୍ର କାରଖାନା କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିଲେ। ଆଜି ଦିନ ପ୍ରାୟ ୧୧ଟା ବେଳେ ପ୍ଲାଣ୍ଟ ପରିସରରେ ସ୍ଲରିଗୁଡ଼ିକର ଡିୱାଟରିଂ ହୋଇ ଲୁହାପଥର ଗୁଣ୍ଡର କେକ୍‌ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଫିଲ୍‌ଟର୍‌ ପ୍ରେସ୍‌ ଷ୍ଟ୍ରକ୍‌ଚର୍‌ର ୯୦ ପ୍ରତିଶତ ଅଂଶ ତଳକୁ ଖସିପଡ଼ିଥିଲା। ଫଳରେ ତଳେ କାମ କରୁଥିବା କର୍ମଚାରୀ ଟନ୍‌ ଟନ୍‌ ଓଜନର ଲୁହା ପ୍ଲେଟ୍‌ଗୁଡ଼ିକ ତଳେ ଚାପି ହୋଇ ଯାଇଥିଲେ। କାରଖାନାର ଅନ୍ୟ କର୍ମଚାରୀମାନେ ତୁରନ୍ତ ୬ ଜଣ ଆହତଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

କ୍ରେନ୍‌ ସହାୟତରେ ଗୋଟି ଗୋଟି କରି ପ୍ଲେଟ୍‌ ଉଠାଯିବା ପରେ ତଳେ ଚାପି ହୋଇ ରହିଥିବା ପୂର୍ଣ୍ଣଚନ୍ଦ୍ର ଓ ଆଲୋକଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣାସ୍ଥଳରେ ହିଁ ଶ୍ବାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିବା ସନ୍ଦେହ ହେବ‌ାରୁ ସେମାନଙ୍କୁ ଆଉ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନ ନେଇ ସିଧାସଳଖ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠା‌ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ଫ୍ୟାକ୍ଟ୍ରି ଓ ବଏଲର୍‌ ବିଭାଗର ସହକାରୀ ନିର୍ଦ୍ଦେଶକ ଅର୍ଚ୍ଚନା ଦାଶଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ଫିଲ୍‌ଟର୍‌ ପ୍ରେସ୍‌ ଷ୍ଟ୍ରକ୍‌ଚର୍‌ ଖସିଲା ତାର ଯାଞ୍ଚ କରିବା ସହ କାରଖାନା କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସମଗ୍ର ବେନିଫିକେସନ୍‌ ପ୍ଲାଣ୍ଟକୁ ସିଲ୍‌ କରାଯାଇଛି। ସନ୍ଧ୍ୟା ଯାଏ ପ୍ଲାଣ୍ଟ ଆଗରେ ଉତ୍ତେଜନା ଲାଗି ରହିଥିବା ବେଳେ ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସୂଚନାଯୋଗ୍ୟ, ମାସକ ତଳେ ଏହି କାରଖାନାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ।