ସୂର୍ଯ୍ୟମନ୍ଦିର ପରିସରରେ ପୁଣି ଏକ ଐତିହ୍ୟ ବିପଦରେ: ଭୁଶୁଡ଼ିବ ଦଶମ ଶତାବ୍ଦୀର ପ୍ରାଚୀନ ଇଟା ମନ୍ଦିର

ସୂର୍ଯ୍ୟମନ୍ଦିର ପରିସରରେ ପୁଣି ଏକ ଐତିହ୍ୟ ବିପଦରେ: ଭୁଶୁଡ଼ିବ ଦଶମ ଶତାବ୍ଦୀର ପ୍ରାଚୀନ ଇଟା ମନ୍ଦିର

କୋଣାର୍କ : ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ସୂର୍ଯ୍ୟମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ପଥରରେ ନିର୍ମିତ ସୂର୍ଯ୍ୟମନ୍ଦିରର ଭଗ୍ନ ମୁଖଶାଳା ‌ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବା ଆଶଙ୍କା ଲାଗି ରହିଛି। ମନ୍ଦିର ମୁଖଶାଳାରୁ ବାଲି କଢ଼ାଯିବା ଯୋଜନା ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନାହିଁ। ମୁଖଶାଳାର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଲୁହାବିମ୍‌ ବସାଇଦେଇ ଏଏସ୍‌ଆଇ କର୍ତ୍ତୃପକ୍ଷ ବାଲିକଢ଼ା ପ୍ରସଙ୍ଗକୁ ଭୁଲିଯାଇଛନ୍ତି। ଇତିମଧ୍ୟରେ ସୂର୍ଯ୍ୟମନ୍ଦିର ପରିସରରେ ଥିବା ଅନ୍ୟ ଏକ ପ୍ରାଚୀନ କୀର୍ତ୍ତିରାଜି ‘ଇଟାମନ୍ଦିର’ ଏବେ ତା’ର ଅସ୍ତିତ୍ବ ହରାଇବାକୁ ବସିଛି।

ଇଟାମନ୍ଦିର ସୂର୍ଯ୍ୟମନ୍ଦିର ନିର୍ମାଣର ବହୁ ପୂର୍ବରୁ ଅର୍ଥାତ୍‌ ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବା କୁହାଯାଏ। ଏପରିକି ଏହି ଇଟାମନ୍ଦିର ଢାଞ୍ଚାରେ ସୂର୍ଯ୍ୟମନ୍ଦିର ନିର୍ମାଣ ହୋଇଥିବାରୁ ଏହା ସୂର୍ଯ୍ୟମନ୍ଦିରର ବ୍ଳୁ’ପ୍ରିଣ୍ଟ ଭାବେ ବିବେଚିତ ହୋଇଥାଏ। ମନ୍ଦିରରେ ବ୍ୟବହୃତ ଇଟାଗୁଡ଼ିକ ଚୂନ ମିଶ୍ରିତ ଅଠାଳିଆ ସାମଗ୍ରୀରେ ଯୋଡ଼େଇ ହୋଇଥିବା ବେ‌ଳେ ଏହି ଇଟା ବର୍ତ୍ତମାନର ଇଟାଠାରୁ ଅଧିକ ଲମ୍ବା ଓ ଚଉଡ଼ା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ମନ୍ଦିରଟି କ୍ରମେ ଭାଙ୍ଗିଯାଇ ଏଥିରୁ ଇଟା ଖସିବା ଆରମ୍ଭ ହୋଇଛି। ନିୟମିତ ବ୍ୟବଧାନରେ ଏହି ମନ୍ଦିରୁ ଇଟା ଖସିବା ଜାରି ରହିଥିଲେ ମଧ୍ୟ ଏହାର ସୁରକ୍ଷା ଦିଗରେ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଅସରାଏ ବର୍ଷାରେ ମନ୍ଦିରର ମୂଳଦୁଆରୁ ପ୍ରାୟ ଦୁଇଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହୁଥିବା ଦେଖିବାକୁ ମିଳିଛି। ଯାହାକି ଏହି ମନ୍ଦିରକୁ ଯେକୌଣସି ମୁହୂର୍ତ୍ତରେ ଧ୍ବସଂମୁଖକୁ ଟାଣିନେବାର ଆଶଙ୍କା ଦେଖାଦେଇଛି।

publive-image

ଏହି ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବହୁବର୍ଷ ଧରି ଦାବି ପ୍ରକାଶ ପାଇଥିଲେ ମଧ୍ୟ ଏଏସ୍‌ଆଇ କର୍ତ୍ତୃପକ୍ଷ ଏଦିଗରେ ଉଦାସୀନ ମନୋଭାବ ପୋଷଣ କରୁଥିବା ଦେଖାଯାଇଛି। କେବଳ ମୁଖଶାଳାର ସଂରକ୍ଷଣ ଆଳରେ ଦାୟିତ୍ବ ତୁଲାଇ ଦେଉଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ ଏହି ପ୍ରାଚୀନ ମନ୍ଦିର ସମ୍ପର୍କରେ ସମ୍ପୂର୍ଣ୍ଣ ଭୁଲିଯାଇଥିବା ଅଭିଯୋଗ ହୋଇଛି। ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଇଟା ମନ୍ଦିରକୁ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଏନ୍‌ଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ପ୍ରମୁଖଙ୍କ ସମେତ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଯେ ଏହି ଇଟା ମନ୍ଦିରଟିକୁ ସୂର୍ଯ୍ୟଙ୍କ ପତ୍ନୀ ମାୟାଦେବୀଙ୍କ ମନ୍ଦିର ବୋଲି ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe