ସାରୁଅ ଜମି ଦୁର୍ନୀତି ମାମଲାରେ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ସାରୁଅ ଜମି ଦୁର୍ନୀତି ମାମଲାରେ ବୃଦ୍ଧି ପାଇଲା ଗିରଫଦାରୀ । ଏହ ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ । ଶିବପ୍ରସାଦଙ୍କ ହାତରେ ଥିଲା ଓଡିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ ।

ଗତକାଲି ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଓଟିଭର ସିଏଫଓ ତଥା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ ଅଧିକ ପଚରାଉଚରା ପାଇଁ ୨ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ଏଜେନ୍ସି । ମନୋରଂଜନ ଷଡଙ୍ଗୀଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି । ତେବେ କିଭଳି ହୋଇଥିଲା ସାରୁଅ ଜମି ଦୁର୍ନୀତି ସେ ନେଇ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ୨୦୧୦ ମସିହାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ପଦରୁ ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା ଇସ୍ତଫା ଦେବା ପରେ ମନୋରଞ୍ଜନ ଷଡଙ୍ଗୀ ଓ ବିଭୁ ରଥଙ୍କୁ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଜୁନ ୨୦୧୦ ଠାରୁ ସଂପୃକ୍ତ କମ୍ପାନି ଖୋର୍ଦ୍ଧାର ସାରୁଅରେ ଜମି କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା । ସେଠାରେ ଥିବା କିଛି ଅନୁସୂଚିତ ଜାତିଙ୍କ ଜମି କିଣିଥିଲା କମ୍ପାନି ।

ଆଇନ ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବ୍ୟକ୍ତିଙ୍କ ନାଁରେ ଥିବା କୌଣସି ଜମିକୁ ଏକ ସାଧାରଣ ବର୍ଗର ବ୍ୟକ୍ତି କିଣିପାରିବ ନାହିଁ । ଆଉ କିଣାବିକା ହେଲେ ସଂପୃକ୍ତ ଜାତି ଓ ଜନଜାତି ଯେଭଳି ଭୂମିହୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ରଖାଯିବା ଜରୁରୀ ।

ତେବେ ୨୦୧୦ରୁ ୨୦୧୩ ମଧ୍ୟରେ ଏହି ଜମିକୁ ଶାଗମାଛ ଦରରେ କିଣାଯାଇଥିଲା । ଆଉ କମ୍ପାନିର ଜଣେ ନିର୍ଦ୍ଦେଶକଙ୍କଠାରେ ଜଣେ ଡ୍ରାଇଭର ଥିବା ରବି ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏହାକୁ କିଣାଯାଇଥିଲା । କିନ୍ତୁ ଜମିର ମାଲିକାନା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ କରାଯାଇଥିଲା ।

ରବିଙ୍କ ବୟାନ ଅନୁସାରେ, ତାଙ୍କ ଅଜାଣତରେ ବିଭିନ୍ନ କାଗଜପତ୍ରରେ ଦସ୍ତଖତ ନିଆଯାଇଥିଲା । ସେଲ୍ ଡିଡରେ ଜମିର ମୂଲ୍ୟ ୬୫ ଲକ୍ଷ ଦର୍ଶାଯାଇଥିବାବେଳେ ତାଙ୍କୁ ୨ରୁ ୩ ଲକ୍ଷ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର