ରୁଚିକା ମହାନ୍ତି ଆତ୍ମହତ୍ୟାକୁ ଭୁଲି ନାହାନ୍ତି ରାଜ୍ୟବାସୀ, ବିଜେବିରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ

ଅଭିଯୋଗକୁ ଅସ୍ବୀକାର କଲେ ହଷ୍ଟେଲ୍ ମ୍ୟାନେଜର

ଭୁବନେଶ୍ବର: ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ରାଜ୍ୟବାସୀ ଭୁଲି ନଥିବା ବେଳେ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବିଜେବି କଲେଜ’ରେ ପୁଣି ଥରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ବିଜେବି କଲେଜର ଆମ୍ବେଦକର ଛାତ୍ରାବାସରେ ରହୁଥିବା ସୁପର ସିନିୟର ରାଗିଂ କରିଛନ୍ତି। +୨ ଦ୍ଵିତୀୟ ବର୍ଷର ବାଣିଜ୍ୟ ବିଭାଗର ରୁଦ୍ରନାରାୟଣ ପାତ୍ରଙ୍କୁ ତାଙ୍କ ସୁପର ସିନିଅର ଛାତ୍ରମାନେ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରାୟ ୩୦ ଜଣ ଛାତ୍ର ମାଡ଼ ମାରିବା ସହିତ ସେମାନେ ୨୦୦୦ ହଜାର ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି।

ବିଜେବି କଲେଜର +୨ ଦ୍ଵିତୀୟ ବାଣିଜ୍ୟର ଦ୍ଵିତୀୟ ବର୍ଷର ଛାତ୍ର ରୁଦ୍ର ନାରାୟଣ ପାତ୍ର କହିଛନ୍ତି କି ୧୫ ଦିନ ପୂର୍ବରୁ କଲେଜକୁ କାହିଁକି ଦାମୀ ବାଇକ୍ ନେଇକି ଆସୁଛୁ, ବେଶୀ ଷ୍ଟାଇଲ ମାରୁଛୁ ଏଇ ଭଳି କିଛି ଶବ୍ଦ କହିବା ସହିତ ତାଙ୍କୁ କଲେଜର ଆମ୍ବେଦକର ହଷ୍ଟେଲର ସୁପର ସିନିୟର୍ ଓ ସିନିୟର୍ ମିଶିକି ମାଡ଼ ମାରିଥିଲେ। ଯେଉଁ କଥାକୁ ନେଇ ରୁଦ୍ର ବଡଗଡ ଥାନାରେ ଅଭିଯୋଗ କରିବା ସହିତ କଲେଜ ପ୍ରିନ୍ସିପାଲଙ୍କୁ ମଧ୍ୟ ଅବଗତ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ତ ଗ୍ରହଣ କରାଗଲା ନାହିଁ କିନ୍ତୁ କ’ଣ ପାଇଁ ଥାନାରେ ଅଭିଯୋଗ କଲୁ ଓ ମିଡ଼ିଆରେ କହିଲୁ ବୋଲି ୩୦ ଜଣ ସିନିୟର୍ ଓ ସୁପର ସିନିୟର୍ ମିଶି ମାଡ଼ ମାରିବା ସହ ୨ ହଜାର ଟଙ୍କା ଓ ମୋବାଇଲ ଛଡାଇ ନେଇଥିବା ଥାନାରେ ପୁନର୍ବାର ଲିଖିତ ଅଭିଯୋଗ ଆଣିଛନ୍ତି ବିଜେବି କଲେଜ ଛାତ୍ର । ଗୋଟିଏ କ୍ଲାସ ସରିବା ପରେ କିଛି ଜଣ ଆସି ତାଙ୍କ ଗାଡ଼ିରୁ ଚାବି ନେଇ ଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଆମ୍ବେଦକର ଛାତ୍ରାବାସର ଗୋଟିଏ ରୁମ୍ ରେ ତାଲା ପକାଇ ୩୦ ଜଣ ମିଶି ମାଡ଼ ମାରିଥିବା ନେଇ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଡା ବି ଆର୍ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ପରେ ମୁହଁ ଖୋଲିଲେ ହଷ୍ଟେଲର ମ୍ୟାନେଜର ପ୍ରଫୁଲ୍ଲ ମଲ୍ଲିକ। ସେ  କହିଛନ୍ତି ସେଭଳି କିଛି ହୋଇନାହିଁ। କିନ୍ତୁ ପୂର୍ବରୁ ହଷ୍ଟେଲ ବିରୋଧରେ ପିଲାମାନଙ୍କୁ କହୁଥିଲା ରୁଦ୍ରନାରାୟଣ। ତେଣୁ ସେହି ବିବାଦ ସମାଧାନ ପାଇଁ ଡା ବି ଆର୍ ଆମ୍ବେଦକର ହଷ୍ଟେଲର ଛାତ୍ର ତାକୁ ଡାକିଥିଲେ କଲେଜରେ ଆପୋଷ ବୁଝାମଣା ବି ହୋଇଥିଲା।  ମାଡ଼ ତ ହୋଇ ନାହିଁ । ଯାହା କିଛି ହୋଇଛି ସାଙ୍ଗ ସାଙ୍ଗ ଭିତରେ ହୋଇଛି, ସେମିତି ରାଗିଂ ହୋଇନାହିଁ ।

ସୂଚନାଯୋଗ୍ୟ, ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ବର ରୁମ୍‌ରେ ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସିନିଅର ଛାତ୍ରୀଙ୍କ ନିର୍ଯାତନା ସୀମା ଟପିଯାଇଛି। ଜୀବନ ରଖିବାକୁ ଆଉ ଚାହୁଁନାହିଁ। ତ‌େବେ ରୁଚିକା ଆତ୍ମହତ୍ୟା କରିବାର ଘଟଣାକୁ ୨୦ ଦିନ ବିତିଯାଇଥିଲେ ବି ଅଭିଯୁକ୍ତ ୩ ଜଣ ସିନିୟର ଛାତ୍ରୀ ଧରାପଡ଼ି ନାହାନ୍ତି। ପୁଲିସ ରୁଚିକାଙ୍କ ସାଙ୍ଗ ଓ କଲେଜ କର୍ମଚାରୀଙ୍କୁ ଜେରା କରିଛି। ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ସହିତ ରୁଚିକାଙ୍କ ବାପା, ମା’ ଓ ଭାଇ ଆନ୍ଦୋଳନ ଜାରି ରଖିଛନ୍ତି। କିନ୍ତୁ କ୍ଷୋଭର କଥା ହେଲା ଯେ, ଅଭିଯୁକ୍ତମାନେ ଧରାପଡ଼ିନାହାନ୍ତି। ରାଜ୍ୟ ସରକାରଙ୍କ ୧ ନମ୍ବର ମହାବିଦ୍ୟାଳୟରେ ବାରମ୍ବାର ରାଗିଂ ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର