ଦାଦନ ଯନ୍ତ୍ରଣା: ୪ ମାସରେ ୧୫ ମଲେଣି, ସୁରତ ସୂତାକଳରେ ବିଦ୍ୟୁତ ଦୁର୍ଘଟଣାରେ ଯୁବ ଶ୍ରମିକ ମୃତ

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ରୋଜଗାର ଆଶାରେ ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ୪ ମାସ ଭିତରେ ଜିଲ୍ଲାର ୧୫ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଏହାର ଜ୍ବଳନ୍ତ ଉଦାହରଣ। ଏହି ଧାରାରେ ପୁଣି ଯୋଡ଼ି ହୋଇଛି ଆଉ ଏକ ଦୁଃଖଦ ଘଟଣା। ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ସୁରତରେ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, କୋଦଳା ଥାନା ଓ ବେଗୁନିଆପଡ଼ା ବ୍ଲକ୍ ଅଧୀନ ଘୋଡ଼ାପଡ଼ା ଗ୍ରାମର ବାୟା ବିଷୋୟୀଙ୍କ ପୁଅ ସୁଦାମ ବିଷୋୟୀ (୪୫)।

ପରିବାର ପ୍ରତିପୋଷଣ ପାଇଁ ସୁଦାମ ସୁରତ ସହର ନିକଟ ସଚିନ୍ ଠାରେ ଏକ ସୂତାକଳରେ କାମ କରୁଥିଲେ। ଗତକାଲି ସେ କାମ କରୁଥିବା ବେଳେ ମେସିନ୍ ଖରାପ ହୋଇଯିବାରୁ ପଛପଟକୁ ଯାଇ ଏହାକୁ ସଜାଡ଼ୁଥିଲେ। ତେବେ ହଠାତ୍ ସର୍ଟସର୍କିଟ୍ ଯୋଗୁଁ ବିଦ୍ୟୁତ୍ ଆଘାତରେ ସୁଦାମ ସେଠାରେ ହିଁ ପ୍ରାଣ ହରାଇଥିଲେ। ଏହି ଖବର ପ୍ରଚାର ହେବା ପରେ ଘୋଡ଼ାପଡ଼ା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ସୁରତ ପୁଲିସ ଶବକୁ ବ୍ୟବଚ୍ଛେଦ ସହ ତଦନ୍ତ ଆରମ୍ଭ କରିଛି। ସେଠାରେ ରହୁଥିବା ୪୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପ୍ରତିନିଧି ହୃଷୀକେଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରତରେ ହିଁ ସୁଦାମଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଘୋଡ଼ାପଡ଼ା ସରପଞ୍ଚ ନୃସିଂହ ପ୍ରଧାନ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସୁଦାମଙ୍କ ପତ୍ନୀ ଓ ଦୁଇପୁଅ ଅଛନ୍ତି। ସରକାରୀ ସହାୟତା ସମେତ କମ୍ପାନି ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର