ବର୍ଷ ସରିବା ପୂର୍ବରୁ ପୁଣି ଗୋଟିଏ କ୍ୟାବିନେଟ୍‌ ବୈଠକ, ତୃତୀୟ ଥର ଆସିବ କୃଷି ଉତ୍ପାଦନ ବିପଣନ ଅଧ୍ୟାଦେଶ

ଓଏଏସ୍‌ କ୍ୟାଡର ପୁନର୍ଗଠନ ସମେତ ୧୨ରୁ ଅଧିକ ପ୍ରସ୍ତାବ ଆସିବ, ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀଙ୍କ ଶେଷ କ୍ୟାବିନେଟ୍‌ ବୈଠକ ହୋଇପାରେ

ଭୁବନେଶ୍ବର: ଓଡ଼ିଶା କୃଷି ଉତ୍ପାଦ ଓ ପ୍ରାଣୀଧନ ବିପଣନ (ଓଏପିଏମ୍‌) ଆଇନ ପ୍ରଣୟନ ନେଇ ରାଜ୍ୟ ସରକାର ଦୁଇ ଦୁଇ ଥର ଅଧ୍ୟାଦେଶ କଲେ। କିନ୍ତୁ ଦୁଇଥର ଯାକ ଏହି ଅଧ୍ୟାଦେଶ ସଂକ୍ରାନ୍ତ ବିଲ୍‌ଟି ବିଧାନସଭାରେ ପାରିତ ହୋଇପାରିଲାନି। ଫଳରେ ଅଧ୍ୟାଦେଶର ବୈଧତା ଶେଷ ହୋଇଛି। ଏବେ ପୁଣି ଥରେ ଓଏପିଏମ୍‌ ସଂକ୍ରାନ୍ତ ଅଧ୍ୟାଦେଶ ଜାରି କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି। ଆସନ୍ତା ସପ୍ତାହରେ କ୍ୟାବିନେଟ୍‌ ବୈଠକ ଡାକି ଓଏପିଏମ୍‌ ଅଧ୍ୟାଦେଶ ଉପରେ ଅନୁମୋଦନ ନିଆଯିବ। ଏହାସହିତ ବହୁ ଦିନରୁ ପ୍ରତୀକ୍ଷିତ ଓଏଏସ୍‌ କ୍ୟାଡର ପୁନର୍ଗଠନ ନେଇ ପ୍ରସ୍ତାବ ଆସିବ। ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କ୍ୟାବିନେଟ୍‌ ସମ୍ପର୍କରେ କାହାରିକୁ ସୂଚନା ପ୍ରଦାନ କରାଯାଇ ନ ଥିଲେ ବି ସୁତ୍ର ମୁତାବକ ପ୍ରାୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମଞ୍ଜୁରି ନେବା ପାଇଁ ପ୍ରସ୍ତୁତ କରାଯାଇଛି। ତେବେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଥିବାରୁ ଶେଷଥର ପାଇଁ କ୍ୟାବିନେଟ୍‌ ସଚିବ ଭାବେ ବୈଠକରେ ଉପସ୍ଥିତ ରହିବେ।

କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଜାରି ଥିବା ସମୟରେ ରାଜ୍ୟ ସରକାର ଓଏପିଏମ୍‌ ଅଧ୍ୟାଦେଶ ଜାରି କରିଥିଲେ। ସଂସଦୀୟ ନିୟମାନୁଯାୟୀ, ବିଧାନସଭା ଆରମ୍ଭ ହେବା ଦିନଠାରୁ ୬ ସପ୍ତାହ ଭିତରେ ଯେ କୌଣସି ଅଧ୍ୟାଦେଶ ସଂକ୍ରାନ୍ତ ବିଲ୍‌ଟି ଗୃହରେ ପାରିତ କରାଯିବ। ଏହାକୁ ଦୃଷ୍ଟିରେ ରଖି ସରକାର ବିଧାନସଭାର ମୌସୁମୀ ଅଧିବେଶନରେ ଅଧ୍ୟାଦେଶକୁ ଉପସ୍ଥାପିତ କରିଥିଲେ। କିନ୍ତୁ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଓ କରୋନା ମହାମାରୀ ପାଇଁ ମୌସୁମୀ ଅଧିବେଶନ କାଣ୍ଟଛାଣ୍ଟ ହେବା ଯୋଗୁ ଏ ସଂକ୍ରାନ୍ତ ବିଲ୍‌ଟିକୁ ସରକାର ଗୃହରେ ଆଣିପାରିନଥିଲେ। ଫଳରେ ଅଧ୍ୟାଦେଶଟି ଅକାମୀ ହୋଇଥିଲା। ପୁଣି ଥରେ କ୍ୟାବିନେଟ୍‌ ବୈଠକ ଡାକି ସରକାର ଅଧ୍ୟାଦେଶ ଜାରି କରିଥିଲେ। ଗତ ଶୀତ ଅଧିବେଶନରେ ସମବାୟ ମନ୍ତ୍ରୀ ଏ ସଂକ୍ରାନ୍ତ ବିଲ୍‌ଟିକୁ ଗୃହରେ ଆଗତ କରିଥିଲେ। କିନ୍ତୁ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ବିଜେପି ଗୃହକୁ ଅଚଳ କରି ରଖିଲା। ଏହାସହିତ ଅତିରିକ୍ତ ବଜେଟ୍‌, ବ୍ୟୟ ମଞ୍ଜୁରି ବିଲ୍‌ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଯୋଗୁ ମଧ୍ୟ ବିଲ୍‌ ଉପରେ ଆଲୋଚନା ହୋଇପାରିଲାନି। ବିଲ୍‌ଟି ଗୃହରେ ମନ୍ତ୍ରୀ ଆଗତ କଲାବେଳେ କଂଗ୍ରେସ ସଦସ୍ୟମାନେ ଘୋର ବିରୋଧ କରିଥିଲେ। ଅଭିଯୋଗ କରିଥିଲେ କି, କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ଟି କୃଷି ଆଇନ ଯେପରି ଚାଷୀ ବିରୋଧୀ, ସେହିପରି ରାଜ୍ୟ ସରକାର କେନ୍ଦ୍ରକୁ ଅନୁକରଣ କରି ଅନୁରୂପ ବିଲ୍‌ ଆଣିଛନ୍ତି। ବିରୋଧୀଙ୍କ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଥିଲେ। କେନ୍ଦ୍ର ସରକାରଙ୍କ କୃଷି ଆଇନ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ମନ୍ତ୍ରୀ ଗୃହକୁ ଆଶ୍ବସ୍ତ କରି ବିଲ୍‌ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ଆଉ ଥରେ ଅଧ୍ୟାଦେଶ ଜାରି ହେଲେ, ବିଧାନସଭାର ଆସନ୍ତା ବଜେଟ୍‌ ଅଧିବେଶନରେ ପୁଣି ଥରେ ଗୃହରେ ଉପସ୍ଥାପିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର