ବାଲେଶ୍ବର: ଏନ୍ସିଏ (ନ୍ୟାସନାଲ୍ କ୍ରିକେଟ୍ ଏକାଡେମି)ରେ ପୁଣିଥରେ ସ୍ଥାନ ପାଇଛନ୍ତି ବାଲେଶ୍ବରର ଏସ୍ବି ଲରେନ୍ସ। ରାଜ୍ୟସ୍ତରୀୟ ଅନୁଷ୍ଠିତ ପ୍ରତିଯୋଗିତାରେ ଲରେନ୍ସ ସର୍ବାଧିକ ୱିକେଟ୍ ନେଇ ଏନ୍ସିଏ ଏକାଡେମି ପାଇଁ ମନୋନୀତ ହୋଇଛନ୍ତି। ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଦଳରେ ଓଡ଼ିଶାରୁ ୫ ଜଣ ଖେଳାଳି ଏକାଡେମିରେ ଖେଳିବା ପାଇଁ ମନୋନୀତ ହୋଇଥିବା ବେଳେ ବାଲେଶ୍ବରରୁ ଲରେନ୍ସ ରହିଛନ୍ତି। ଏକାଡେମିରେ ମୋଟ୍ ୪ଟି ଟିମ୍ ରହିଥିବା ବେଳେ ଲରେନ୍ସ ଟିମ୍ ‘ବି’ରେ ରହିଛନ୍ତି। ଏପ୍ରିଲ୍ ୧୬ରୁ ରାଞ୍ଜିଠାରେ ଏମ୍ଏସ୍ ଧୋନି କ୍ରିକେଟ୍ ଷ୍ଟାଡିୟମ୍ରେ ଏକାଡେମି ପକ୍ଷରୁ ଖେଳିବେ।
ଏଥିରେ ଲରେନ୍ସ ଭଲ ପ୍ରଦର୍ଶନ କଲେ ଆସନ୍ତା ଦିନରେ ଭାରତୀୟ କ୍ରିକେଟ୍ ଦଳ ପକ୍ଷରୁ ଖେଳିବେ। ବାଲେଶ୍ବର ସହର ମାନସିଂବଜାର ଅଞ୍ଚଳର ବିଶ୍ବଜିତ୍ ଦେ ଓ ମା’ ସଂଘମିତ୍ରା ଦେ’ଙ୍କ ସାନଝିଅ ଲରେନ୍ସ (୧୮)। ଲରେନ୍ସ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ସ୍ପିନ୍ ବୋଲର। ଫକୀରମୋହନ କଲେଜରେ ଯୁକ୍ତଦୁଇ ଶେଷ ବର୍ଷ ଛାତ୍ରୀ ହେଉଛନ୍ତି ଲରେନ୍ସ। ବାଲେଶ୍ବର କ୍ରିକେଟ୍ ଏକାଡେମିର କୋଚ୍ ଦିଲ୍ଲୀପ କୁମାର ଦାସ ତାଙ୍କୁ ପ୍ରଶିକ୍ଷଣ ଦେଇଆସୁଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ଏକାଡେମିର ସଭାପତି ରାଜେଶ ମହାପାତ୍ର ଓ ଜିଲ୍ଲା କ୍ରିକେଟ୍ ସଂଘର ସଂପାଦକ ସୂର୍ଯ୍ୟ କୁମାର ଆଚାର୍ଯ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି। ବଡ଼ଭଉଣୀ ଏସ୍ ବି ସିମରନ୍ଙ୍କ ପାଖରୁ ଲରେନ୍ସ କ୍ରିକେଟ୍ ଖେଳିବାକୁ ପ୍ରେରଣା ପାଇଥିଲେ।