ଭୁବନେଶ୍ବର: ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବଡ଼ ଧରଣର ଅଦଳବଦଳ ହୋଇଥିଲା। ଏଥିରେ ୪୭ଜଣ ଆଇଏଏସ୍ ଓ ୨ଜଣ ଓଏଏସ୍ ଅଧିକାରୀଙ୍କର ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏହି ନିଯୁକ୍ତିରେ ଅସଙ୍ଗତି ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଏହାକୁ କିଛି ମାତ୍ରାରେ ସଂଶୋଧନ କରାଯାଇଛି।
ବିଏମ୍ସି କମିସନର ପଦବି ଯିବା ପରେ ରାଜେଶ ପ୍ରଭାକର ପାଟିଲ ସମବାୟ ବିଭାଗର ସଚିବ, ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ, ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିଥିଲେ। ରାଜ୍ୟ ସରକାର ଆଜି ତାଙ୍କୁ ସମବାୟ ବିଭାଗର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହାସହ ପୂର୍ବଭଳି ଅନ୍ୟ ଦୁଇଟି ଅତିରିକ୍ତ ଦାୟିତ୍ବ ବି ଦିଆଯାଇଛି। ସମର୍ଥ ବର୍ମାଙ୍କୁ ବୈଷୟିକ ଶିକ୍ଷା ଏବଂ ତାଲିମ୍ ନିର୍ଦ୍ଦେଶକ ପଦରୁ ହଟାଇବା ପରେ ତାଙ୍କ ପାଖରେ କିଛି ମୂଳ ବିଭାଗ ନଥିଲା। ସେ ଓଏଫ୍ଡିସିର ପରିଚାଳନା ନିର୍ଦ୍ଦେଶକ ଏବଂ ଲଘୁ ଖଣିଜର ନିର୍ଦ୍ଦେଶକ ରହିଥିଲେ। ଆଜି ତାଙ୍କୁ ଲଘୁ ଖଣିଜର ନିର୍ଦ୍ଦେଶକ ଭାବେ ମୂଳ ବିଭାଗ ମିଳିଛି। ଏହାସହ ସେ ଓଏଫ୍ଡିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
ରାଜେଶ ଓ ସମର୍ଥଙ୍କୁ ମିଳିଲା ମୂଳ ବିଭାଗ
ବିଜୟକେତନଙ୍କୁ ସଂସ୍କୃତି ସଚିବ ଦାୟିତ୍ବ
୯ ନୂଆ ଆଇଏଏସ୍ଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି
ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହାସହ ସେ ପୂର୍ବ ଭଳି ‘ଓଡ଼ିଶା ପରିବାର’ର ନିେର୍ଦ୍ଦଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। କ୍ରୀଡ଼ା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଦୀପଙ୍କର ମହାପାତ୍ର ହକି ପ୍ରମୋସନ୍ କାଉନସିଲ୍ର ସିଇଓ ଭାବେ ଅତିରିକ୍ତ ଦାୟିତ୍ବରେ ଥିବାବେଳେ ଏବେ ତାଙ୍କୁ ଏହି ପଦବିରେ ନିଯୁକ୍ତି ମିଳିଛି। ଏହାସହ ୨୦୨୩ ବ୍ୟାଚ୍ର ୯ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିଛି। ସେମାନଙ୍କର ଦ୍ବିତୀୟ ପର୍ଯ୍ୟାୟ ତାଲିମ ସରିବା ପରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରେକ୍ଷା ଅଗ୍ରୱାଲଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ, ପ୍ରଣୀତା ଦାଶଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡାଙ୍କୁ ପାଞ୍ଚପୀଢ଼ (କରଞ୍ଜିଆ)ର ଉପଜିଲ୍ଲାପାଳ, ଅଭିଷେକ ଦିଲ୍ଲୀପ ଦୁଧାଲଙ୍କୁ ଗୁଣପୁର ଉପଜିଲ୍ଲାପାଳ, ଅସ୍ନି ଏ ଏଲ୍ଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ସି ସରାଭନନ୍ଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ତେଜସ୍ବିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲବ୍ୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।