ନଗଡ଼ାରେ ଆଉ ଜଣେ ଶିଶୁ ମୃତ

କାଳିଆପାଣି : ନଗଡ଼ା ପୋଷ୍ଟର ଗାର୍ଲ୍‌ ମାନସୀର ମୃତ୍ୟୁ ପରେ ଶିଶୁ ମଡ଼କ ଚର୍ଚ୍ଚା ଟିକେ ଥମି ଯାଇଥିଲା। ଦେଢ଼ମାସ ଅନ୍ତରରେ ଦୁଇ ଦୁଇଜଣ ଶିଶୁ ଅକାଳରେ ଝଡ଼ି ପଡ଼ିବା ନେଇ ଆଜି ପୁଣି ହଇଚଇ ସୃଷ୍ଟି ହୋଇଛି। ମୃତକ ଶିଶୁ ଜଣକ ମଝି ନଗଡ଼ାର ନିଆଳି ଓ ଦୁକନ ପ୍ରଧାନଙ୍କ ନବଜାତକ ପୁଅ ବୋଲି ଜଣାପଡ଼ିଛି। ୨୨ ଦିନର ଶିଶୁ ଆଜି ସକାଳୁ ଆଖି ବୁଜିଛି। କେନ୍ଦୁଚୁଆ ଜଙ୍ଗଲ ମଝିରେ ଥିବା ମିଶାଣିଗଡ଼ା(ଶ୍ମଶାନ)ରେ ଆଜି ଉକ୍ତ ଶିଶୁର ଜୁଇ ଜଳିଥିଲା। ଦେଢ଼ମାସ ମଧ୍ୟରେ ଦୁଇ ଦୁଇଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ବସ୍ତିରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ଜାନୁଆରି ମାସ ୫ ତାରିଖ ରାତି ଏହି ବସ୍ତିର ମଙ୍ଗୁଳୁ ଓ ବାଟୁଆ ପ୍ରଧାନଙ୍କ ବଡ଼ପୁଅ ବିଦା(୧୫) ଆଖି ବୁଜିଥିଲା।

ଗତ ୨୪ ତାରିଖ ଦିନ ନଗଡ଼ା ଗାଁର ନିଜ ଝାଟିମାଟି ଘର ଅବହେଳିତ ଓ ଅସ୍ୱାସ୍ଥ୍ୟକର ପରିବେଶରେ ଏହି ଶିଶୁପୁତ୍ର ଜନ୍ମ ନେଇଥିଲା। ନଗଡ଼ାକୁ ପ୍ରତିଦିନ ସରକାରୀ ସ୍ୱାସ୍ଥ୍ୟସେବା ଗାଡ଼ି ଗଡ଼ୁଥିଲେ ମଧ୍ୟ ଗର୍ଭବତୀ ନିଆଳିଙ୍କୁ କେହି ଡାକ୍ତରଖାନା ନେଇ ନଥିଲେ। ଉଚିତ ପରାମର୍ଶ ବି ଦେଇ ନଥିଲେ। ଗତ ୮ ତାରିଖ ଏହି ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ନଗଡ଼ା ଏମ୍‌ଆର୍‌ସି ଡ୍ୟୁଟିରେ ଥିବା ଡାକ୍ତର ସରକାରୀ ଗାଡ଼ିରେ ଉକ୍ତ ଶିଶୁକୁ ସାଥୀରେ ଧରି ସୁକିନ୍ଦା ଗୋଷ୍ଠୀ

ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ। ସ୍ଥିତି ଗମ୍ଭୀର ଥିବା ଶିଶୁଟିକୁ ଯାଜପୁରରୋଡ଼ ଏନ୍‌ଆର୍‌ସି(ପୁଷ୍ଟି ସାଧନ କେନ୍ଦ୍ର) ଅଣାଯାଇଥିଲା। ସେଠାରେ ଶିଶୁର ଅବସ୍ଥା ଗୁରୁତର ଥିବା ଜାଣି ତାକୁ ସେଦିନ ୧୦୮ ଆମ୍ବୁଲାନ୍‌ସରେ କଟକ ଶିଶୁଭବନକୁ ପଠାଇ ଦିଆଯାଇଥିଲା। ମାତ୍ର କେଇଘଣ୍ଟାର ବ୍ୟବବହୁଳ ଚିକିତ୍ସା ପରେ ଦମ୍ପତି ରୋଗିଣା ଶିଶୁକୁ ଧରି ନଗଡ଼ା ଫେରି ଆସିଥିଲେ। ୪ ଦିନ ରହିବା ପରେ ଆଜି ତା’ର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟରକ୍ଷା ଦିଗରେ ଏ ପ୍ରକାର ଚରମ ଅବହେଳା ନେଇ ନଗଡ଼ା ବିକାଶର ନଗ୍ନ ଛବି ପୁଣି ପଦାକୁ ଆସିଛି। ଏଠାରେ ମୋଟା ଅଙ୍କର ବ୍ୟବହାରିକ ପରିବର୍ତ୍ତନ ଠିକା ନେଇଥିବା ଏକାଧିକ ଏନ୍‌ଜିଓର ପ୍ରକୃତ ସେବା ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ଏପରିକି ନଗଡ଼ା ଭଳି ସମ୍ବେଦନଶୀଳ ଗାଁରେ ଶିଶୁ ମୃତ୍ୟୁ ଭଳି ଅଘଟଣର ୧୨ ଘଣ୍ଟା ପରେ ବି ଏ ସଂକ୍ରାନ୍ତରେ ବିଭାଗ ପାଖରେ କୌଣସି ଖବର ନଥିଲା। ନିୟମିତ ନଗଡ଼ା ଏମ୍‌ଆର୍‌ସି ଡ୍ୟୁଟି କରୁଥିବା ଡାକ୍ତରଙ୍କୁ ଏହି ଶିଶୁର ସ୍ୱାସ୍ଥ୍ୟ ସଂପର୍କରେ ପଚାରିବାରେ ‘ହଁ, ତା’ର କାଶ ହେଉଥିଲା, ଗତକାଲି ଯାଇ ତାକୁ ଔଷଧ ଖୁଆଇଛି, ସେ ଏବେ ଷ୍ଟେବଲ୍‌(ସ୍ଥିର) ଅଛି’ ବୋଲି କହିଥିଲେ। କିନ୍ତୁ ସେହି ଶିଶୁର ମୃତ୍ୟୁ ଖବର ସେ ଜାଣିନଥିବା ଧରା ପଡ଼ିଥିଲା। ଏଠି ସମନ୍ଵିତ ମହିଳା ଓ ଶିଶୁ ବିକାଶ(ଅଙ୍ଗନବାଡ଼ି) ସେବାର ଅଧୋଗତି ସଂପର୍କରେ ସିଡିପିଓଙ୍କୁ ଏକାଧିକ ବାର ଫୋନ୍‌ କରିଥିଲେ ମଧ୍ୟ ସେ ରିସିଭ୍‌ କରିନଥିଲେ।

ସମ୍ବନ୍ଧିତ ଖବର