ଭୁବନେଶ୍ବର: ରାଜଧାନୀର ନୀଳାଦ୍ରିବିହାରରେ ବିଳାସପୂର୍ଣ୍ଣ କୋଠା। ପ୍ରତିଷ୍ଠିତ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ଓ ମଲ୍‌ରେ କମର୍ସିଆଲ୍‌ ସପ୍‌। ସହରର ପ୍ରମୁଖ ସ୍ଥାନରେ ପ୍ଲଟ୍‌।  ଭିଜିଲାନ୍ସ ଟିମ୍‌ ପୂର୍ତ୍ତ ବିଭାଗ ଡିଭିଜନ୍‌-୩ର ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ସମ୍ପତ୍ତି ଦେଖି ତାଟକା ହୋଇଯାଇଛି। ଘରେ ବିଡ଼ା ବିଡ଼ା ଟଙ୍କା କି ପୁଳାପୁଳା ସୁନାଗହଣା ନ ରଖି କେଉଁଠି ଜମି କିଣି ଦେଉଥିଲେ ତ କେଉଁଠି ଫ୍ଲାଟ। ନହେଲେ ବଡ଼ ବଡ଼ ମଲ୍‌ରେ କମର୍ସିଆଲ୍‌ ହଲ୍‌ରେ ଟଙ୍କା ନିବେଶ କରୁଥିଲେ। ଆଜି ଭିଜିଲାନ୍ସ କୁବେର ବାବୁଙ୍କ କଳାଟଙ୍କାର ଗୁମର ଖୋଲିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସର ୧୦ଟି ଟିମ୍‌ ଶ୍ରୀ ଜେନାଙ୍କ ଭୁବନେଶ୍ବରସ୍ଥିତ ସରକାରୀ କାର୍ଯ୍ୟାଳୟ, ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ବାସଭବନ, ପାହାଳ, ଖଣ୍ଡଗିରି, କଳ୍ପନା ଅଞ୍ଚଳରେ ଥିବା ଫ୍ଲାଟ୍‌ ଓ ନୟାଗଡ଼ ଜଗନ୍ନାଥପ୍ରସାଦସ୍ଥିତ ପୈତୃକ ଘର ଆଦି ୧୦ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।

Advertisment

୧୫ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ

ମଙ୍ଗଳବାର ଭୋରରୁ ଭିଜିଲାନ୍ସ ଟିମ୍‌ ଭୁବନେଶ୍ବର ଓ ନୟାଗଡ଼ର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଶ୍ରୀ ଜେନାଙ୍କ ଭୁବନେଶ୍ବରରେ ଏକ ବିଳାସପୂର୍ଣ୍ଣ ୩ ମହଲା କୋଠା, ୨ଟି ଫ୍ଲାଟ୍‌, ୨ଟି ମଲ୍‌ରେ ଦୋକାନଘର, ନୟାଗଡ଼ରେ ଏକ ଘର ଥିବା ଠାବ ହୋଇଥିଲା। ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ ଥିବ‌ା‌ ୩୫୦୦ ବର୍ଗଫୁଟରେ ନିର୍ମିତ ୩ମହଲା ବିଳାସପୂର୍ଣ୍ଣ  କୋଠା ମୂଲ୍ୟ ୩କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ସେହିପରି ଖଣ୍ଡଗିରି କସ୍‌ମୋପଲିସ୍‌ରେ ୧୮୦୦ ବର୍ଗଫୁଟର ୨କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍‌ ଓ ୭୦ଲକ୍ଷ ଟଙ୍କା ମୂଲ୍ୟର ୬୫୦ ବର୍ଗଫୁଟର ଆଉ ଏକ ଫ୍ଲାଟ୍‌ ଠାବ କରାଯାଇଛି। ପାହାଳ ଅଞ୍ଚଳରେ ଥିବା ସିମ୍ଫୋନି ମଲ୍‌ରେ କୋଟିଏ ଟଙ୍କା ମୂଲ୍ୟର ଏକ ଦୋକାନଘର, ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ୪୦୦ ବର୍ଗଫୁଟରେ କୋଟିଏରୁ ଊର୍ଧ୍ବ ଟଙ୍କା ମୂଲ୍ୟର ଆଉ ଏକ ଦୋକାନଘର ଠାବ କରାଯାଇଛି। ଖାଲି ଏତିକି ନୁହେଁ, ବାବୁଙ୍କର ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୯ଟି, ଖୋର୍ଦ୍ଧାରେ ଗୋଟିଏ ଏବଂ ନୟାଗଡ଼ରେ ୩ଟି ମୋଟ ୧୩ଟି ପ୍ଲଟ୍‌ ଠାବ କରାଯାଇଛି। ୧୩ଟି ପ୍ଲଟ୍‌ର ମୂଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ। ଏଥିସହିତ ୩୦ଲକ୍ଷ ଟଙ୍କାର ଘରକରଣା ଜିନିଷ ଏବଂ  ୭୫ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ବଣ୍ଡ୍‌ ରହିଛି। ସୁନାର ଛୋଟଛୋଟ ହାତୀ, ଗହଣା ଆଦି ଜବତ କରାଯାଇଛି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ସମ୍ପତ୍ତି ପରିମାଣ ୧୫ କୋଟି ଟପିଯିବ। ତେବେ ଯାଞ୍ଚ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଅନ୍ୟପଟେ ସହକାରୀ ଯନ୍ତ୍ରୀ ଶ୍ରୀ ଜେନା ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ ହୋଇଥିବା ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଏବଂ କେଉଁଥିରେ ଦୁର୍ନୀତି ହୋଇଛି, ସମସ୍ତ ଦିଗକୁ ନେଇ‌ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା କହିଛନ୍ତି। ଚଢ଼ଉରେ ୭ ଜଣ ଡିଏସ୍‌ପି, ୫ ଜଣ ଇନ୍‌ସ୍ପେକ୍ଟର, ଜଣେ ସବ୍‌ଇନ୍‌ସ୍ପେକ୍ଟର, ୧୧ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।