ଝାରସୁଗୁଡ଼ା: ପ୍ରଥମେ ଲେବର ସେସ୍‌, ପରେ ବେଦାନ୍ତ ଟାଉନ୍‌ସିପ୍‌ର ଟିକସ ନାଁରେ ଠକେଇ। ଏବେ ବେଦାନ୍ତ ଆଲୁମିନିୟମ୍‌ର ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି। ଭୂତଳ ଜଳ ବେଆଇନ୍‌ ଭାବେ ବ୍ୟବହାର କରି ବେଦାନ୍ତ ପ୍ଲାଣ୍ଟ ଚଳାଇବା ସହ ମୁନାଫା ନେଉଥିବା‌‌ବେଳେ ଏନେଇ ସରକାରଙ୍କୁ ଟଙ୍କାଟିଏ ବି ଟିକସ ଦେଇନି। ଯା‌ହାକୁ ନେଇ ବେଦାନ୍ତରେ ୨୦୧୩ ମସିହାରେ ଚଢ଼ଉ ହୋଇ ୨୩ଟି ବୋର୍‌‌ୱେଲ୍‌ ସିଲ୍‌ କରାଯାଇଥିଲା। ମାତ୍ର ୨୦୦୭ରୁ ୨୦୧୩ ଯାଏ ବେଦାନ୍ତ ବ୍ୟବହାର କରିଥିବା ଭୂତଳ ଜଳ ବାବଦକୁ ସରକାରଙ୍କୁ ଟଙ୍କା ପ୍ରଦାନ କରିନାହିଁ। ଏନେଇ ବେଦାନ୍ତକୁ ଜଳସେଚନ ବିଭାଗ ପକ୍ଷରୁ ବାରମ୍ବାର ଚିଠି ବି କରାଯାଇଛି। ମାତ୍ର ଫଳ ଶୂନ। ସେପଟେ, ସିଲ୍‌ ହୋଇଥିବା ବୋରୱେଲଗୁଡ଼ିକ ଏବେ ଖୋଲାଯାଇ ସେଥିରୁ ପାଣି ବାହାର କରି ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଆଲୁମିନିୟମ୍‌ ସ୍ମେଲଟରରେ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି।

Advertisment

ସୂଚନା ଅଧିକାର ଆଇନ୍‌ ଯୋଗେ ମଗାଯାଇଥିବା ତଥ୍ୟ ଆଧାରରେ, ଗତ ଏପ୍ରିଲ୍‌ ୨୦ ତାରିଖରେ ବୁର୍ଲା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏ ବାବଦ ସୂଚନା ଜାରି କରିଥିଲେ। ଯେଉଁଠି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ବେଦାନ୍ତ ୨୦୦୭ ମସିହା ଅଗଷ୍ଟ ମାସରୁ ୨୩ଟି ବୋରୱେଲ ଯୋଗେ ବେଦାନ୍ତ ଭୂତଳ ଜଳକୁ ବେଆଇନ୍‌ ଭାବେ ବ୍ୟବହାର କରିଆସିଛି। ଯେଉଁଥିରେ ଦୈନିକ ୮୧୦ କ୍ୟୁବିକ ମିଟର ପାଣି ନିଷ୍କାସନ କରାଯାଉଥିଲା। ଏନେଇ ଅଭିଯୋଗ ହେବାରେ ୨୦୧୩ ମସିହା ଜାନୁଆରି ମାସରେ ବେଦାନ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଜଳସେଚନ ବିଭାଗ ଯାଞ୍ଚ କରିଥିଲା। ଏହି ସମୟରେ ବେଦାନ୍ତ ପ୍ଲାଣ୍ଟ ପରିସରରେ ଶିଳ୍ପ ପାଇଁ ବ୍ୟବହାର ହେଉଥିବା ୨୩ଟି ବୋର୍‌ୱେଲ ଚିହ୍ନଟ କରାଯାଇ ସେଗୁଡ଼ିକୁ ସିଲ୍‌ କରାଯାଇଥିଲା। ସରକାରୀ ଫାଇଲ୍‌ ଅନୁସାରେ, ବେଦାନ୍ତ ସେବେଠାରୁ ଆଉ ଏହି ବୋର୍‌ୱେଲଗୁଡ଼ିକୁ ବ୍ୟବହାର କରିନାହିଁ।

ମାତ୍ର ବେଦାନ୍ତରେ କାର୍ଯ୍ୟରତ କର୍ମଚାରୀଙ୍କ କହିବାନୁସାରେ ସିଲ୍‌ ହେବାର କେଇମାସ ପରେ ସମସ୍ତ ବୋର୍‌ୱେଲ ପୁନଃ କାର୍ଯ୍ୟକ୍ଷମ ହେବା ସହ ସେଥିରୁ ପୁନର୍ବାର ପାଣି କଢ଼ାଯାଉଛି। ୨୦୧୩ ମସିହା ପରଠାରୁ ଅଦ୍ୟାବଧି ଜଳସେଚନ ବିଭାଗ ମଧ୍ୟ ଏହାର ସତ୍ୟତା ଯାଞ୍ଚ ନେଇ ଥରେ ହେଲେ ଚଢ଼ଉ କରି ନାହିଁ। ତେ‌ବେ ୨୦୦୭ ମସିହାରୁ ନେଇ ୨୦୧୩ ଜାନୁଆରି ଯାଏ ବେଦାନ୍ତ ଯେତିକି ପାଣି ବେଆଇନ୍‌ ଭାବେ ବ୍ୟବହାର କରିଥିଲା, ସେ ବାବଦକୁ ୪ କୋଟି ୯ ଲକ୍ଷ ୧୬ ହଜାର ୭୦୧ ଟଙ୍କା ବିଲ୍‌ ହୋଇଥିଲା। କିନ୍ତୁ ବେଦାନ୍ତ ଉକ୍ତ ବିଲ୍‌ ପୈଠ ନକରିବାରୁ ବିଲ୍‌ର ପ୍ରାପ୍ୟ ଚକ୍ରବର୍ତ୍ତି ସୁଧ ହାରରେ ବଢ଼ିଚାଲିଛି। ଯାହାକି ବର୍ତ୍ତମାନ ୧୩ କୋଟି ୦୨ ଲକ୍ଷ ୧୪ ହଜାର ଟଙ୍କାରେ ପହଞ୍ଚିଛି। ୨୦୧୦ ମସିହା ଫେବ୍ରୁଆରି ମାସରେ ଜଳସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଚିଠି ମିଳିବା ପରେ ସେହିବର୍ଷ ମାର୍ଚ୍ଚ ୧୦ ତାରିଖରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବେଦାନ୍ତ ଜିଏମ୍‌ (ବିତ୍ତ)ଙ୍କୁ ଚିଠି ଲେଖାଯାଇଥିଲା।

ଯେଉଁଥିରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ଯେ, ବେଦାନ୍ତ କିଭଳି ବେଆଇନ୍‌ ଭାବେ ଭୂତଳ ଜଳର ବ୍ୟବହାର କରୁଛି। ତେଣୁ ବେଦାନ୍ତ ତୁରନ୍ତ ଏବାବଦ ଟିକସ ପୈଠ କରିବା ସହ ଭୂତଳ ଜଳ ବ୍ୟବହାର ପାଇଁ ତୁରନ୍ତ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବେଦାନ୍ତ ଏହାକୁ ଭୃକ୍ଷେପ ନକରିବାରୁ ୨୦୧୧ ଅଗଷ୍ଟ ୨୭ ତାରିଖରେ ବୁର୍ଲା ‌ଜଳସେଚନ ବିଭାଗ ବେଦାନ୍ତକୁ ପୁନଃ ଚିଠି ଲେଖି ବେଆଇନ୍‌ ଭୂତଳ ଜଳ ବ୍ୟବହାର ଓ ଟିକସ ପୈଠ ନକରିବା ପ୍ରସଙ୍ଗରେ ତାଗିଦ୍‌ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବେଦାନ୍ତ ବର୍ତ୍ତମାନ ସୁଦ୍ଧା ଭୂତଳ ଜଳ ବ୍ୟବହାର କରିବା ନେଇ ସରକାରଙ୍କ ସହ ଚୁକ୍ତିନାମା ସ୍ବାକ୍ଷରିତ କରି ନଥିବା ସୂଚନା ଅଧିକାର କର୍ମୀ ଏସ୍‌.ଏନ୍‌. ରାଓ ଅଭିଯୋଗ କରିଛନ୍ତି। ବେଦାନ୍ତ ବେଆଇନ୍‌ ଭ‌ାବେ ଭୂତଳ ଜଳ ଶୋଷି ଚାଲିଥିବାରୁ ପ୍ରତିବର୍ଷ ଝାରସୁଗୁଡ଼ାର ଜଳସ୍ତର ମଧ୍ୟ ତଳକୁ ତଳକୁ ଖସି ଚାଲିଥିବା ଶ୍ରୀ ରାଓ ଅଭିଯୋଗ କରିଛନ୍ତି।