ଯୋଗାଣ ବିଭାଗର ଆଉ ଏକ ଦୁର୍ନୀତି: କଣ୍ଟ୍ରୋଲ ଦୋକାନୀଙ୍କ ବୁରା ଟଙ୍କା ଖାଉଛି କିଏ ?

ରାଉରକେଲା : ରାଉର‌କେଲା ଯୋଗାଣ ବିଭାଗର ବିବାଦ ପିଛା ଛାଡୁନି। କେତେବେଳେ କାର୍ଡ ସମାନୁପାତିକରଣ, ଅନ୍ତୋଦ୍ୟୋୟ ଚାଉଳ ବଣ୍ଟନ ତ ଅନ୍ୟ କେତେବେଳେ କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ବଣ୍ଟନ ଚାଉଳ, ଗହମ ବଣ୍ଟନର ଅନିୟମିତତାକୁ ନେଇ ହରଡଘଣାରେ ପଡୁଛି ବିଭାଗ। ଏବେ ଆଉ ଏକ ଘଟଣା ପଦାକୁ ଆସିଛି। କଣ୍ଟ୍ରୋଲ ଦୋକାନୀଙ୍କ ଠାରୁ ନିଆଯାଉଥିବା ଗହମ, ଚାଉଳ ବୁରା ଟଙ୍କାକୁ ନେଇ ଉଠିଛି ପ୍ରଶ୍ନବାଚୀ। ମାସେ କି ଦୁଇ ମାସ ନୁହେଁ ପ୍ରାୟ ୪ ମାସ ହେବ କଣ୍ଟ୍ରୋଲ ଦୋକାନୀମାନେ ଚାଉଳ ଓ ଗହମ ବଣ୍ଟନ ପରେ ବୁରାକୁ ଏଫ୍‌ସିଆଇ ଗୋଦାମରେ ଜମା କରୁଛନ୍ତି। ଏ ବାବଦରେ ବୁରା ପିଛା ୨୦ ଟଙ୍କା ଲେଖାଏଁ ମିଳିବାକୁ ଯୋଗାଣ ବିଭାଗର ଦାୟିତ୍ବରେ ଥିବା ଅଧିକାରୀ ସେମାନଙ୍କୁ କହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ କଣ୍ଟ୍ରୋଲ ଦୋକାନୀଙ୍କୁ ବୁରା ଟଙ୍କା ଦିଆଯାଇ ନାହିଁ।

ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନରୁ ମାସକୁ ପ୍ରାୟ ୨୦୦ରୁ ୨୫୦୦ ବୁରା ବାହାରୁଛି। ‌କଣ୍ଟ୍ରୋଲ ଦୋକାନୀମାନେ ବୁରା ଜମା କରିବା ପୂର୍ବରୁ ବିଭାଗୀୟ ଅଧିକାରୀ ସପ୍ତାହ ମଧ୍ୟରେ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯିବ ବୋଲି ସଫେଇ ଦେଉଛନ୍ତି। କିନ୍ତୁ ମାସ ମାସ ଗଡି ଯାଇଥିଲେ ସୁଦ୍ଧା କାହାରି ଆକାଉଣ୍ଟକୁ ଟଙ୍କାଟିଏ ଆସୁ ନାହିଁ। ଏଥିସକାଶେ ଅନେକ କଣ୍ଟ୍ରୋଲ ଦୋକାନୀ ଯୋଗାଣ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କିଛି ସୁଫଳ ମିଳି ନାହିଁ। ଯାହାକୁ ନେଇ ଅଧିକାଂଶ କଣ୍ଟ୍ରୋଲ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା‌ଦେଇଛି। ରାଉରକେଲାରେ ମୋଟ ୧୬୮ ଟି କଣ୍ଟ୍ରୋଲ ଦୋକାନ ରହିଛି। ପ୍ରତ୍ୟେକ ଦୋକାନରୁ ୨୦୦ ବୁରା ବାହାରୁଛି। ଏ ବାବଦରେ କଣ୍ଟୋଲ ଦୋକାନୀ ୩ ହଜାରରୁ ଅଧିକ ଟଙ୍କା ପାଇବା କଥା। ଏମିତି ଭାବେ ୧୬୮ କଣ୍ଟ୍ରୋଲ ଦୋକାନୀଙ୍କୁ ଆକାଉଣ୍ଟକୁ ମାସକୁ ବୁରା ବାବଦରେ ପାଖାପାଖି ୫ ଲକ୍ଷ ଟଙ୍କା ଯିବା କଥା। ତାହା ହେଉନି। ତେବେ ଯୋଗାଣ ବିଭାଗ ପକ୍ଷରୁ ବୁରା ବାବଦରେ ମିଳୁଥିବା ୫ ଲକ୍ଷ ଟଙ୍କା କାହା ପକେଟକୁ ଯାଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ଏଫ୍‌ସିଆଇ ଗୋଦାମରୁ ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନୀଙ୍କୁ ଚାଉଳ ଓ ଗହମ ଯୋଗାଉଥିବା ଠିକା ସଂସ୍ଥା ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗର ଅଧିକାରୀଙ୍କ ଭିତିରି ସଲାସୁତୁରାରେ ଏହି ଟଙ୍କାକୁ ହଡପ କରୁ ନାହାନ୍ତି ତ ? ବୁରା ବାବଦରେ ଯୋଗାଣ ବିଭାଗକୁ ମିଳୁଥିବା ଟଙ୍କା କୁଆଡେ ଯାଉଛି ? ଏସବୁର ତଦନ୍ତ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର