ଭୁବନେଶ୍ବର: ଗତ ୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ଭୁବନେଶ୍ବରରେ ୪୦.୯ ମିମି ବର୍ଷା ହୋଇଛି, ଯାହା କି ରାଜ୍ୟରେ ସର୍ବାଧିକ। ଏଥିସହ ନୂଆପଡ଼ାରେ ୧୬ ମିମି ଓ ଚାନ୍ଦବାଲିରେ ୧୩.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି ରାଜ୍ୟରେ ବର୍ଷା ପରିମାଣ ବଢ଼ିବ।
ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୧୦ ତାରିଖରେ (ଶୁକ୍ରବାର) ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତାକାଲି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏଥିସହ ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।