ସୁନ୍ଦରଗଡ଼: ବହୁ ଚର୍ଚ୍ଚିତ ସୁନ୍ଦରଗଡ଼ ଖଣିଜ କଳେଙ୍କାରୀ ପଦାକୁ ଆସିବା ୧୮ ଦିନ ବିତିଗଲାଣି। ଦିନ ଯେତିକି ଗଡ଼ୁଛି, ଖଣିଜ ଲୁଟ୍‌ର ନୂଆ ନୂଆ ତଥ୍ୟ, ଚୋରା ଠିକଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ସଂରକ୍ଷିତ ଜଙ୍ଗଲରୁ ମାଫିଆମାନେ କିପରି କୋଇଲା କୋରିଛନ୍ତି ଏହାର ସାଂଘାତିକ ଚିତ୍ର ଏବେ ‘ସମ୍ବାଦ’ ହାତରେ ଲାଗିଛି। ସୁନ୍ଦରଗଡ଼ ବନଖଣ୍ଡ ଗୋପାଳପୁର ବନାଞ୍ଚଳ ରତନସରା ସଂଲଗ୍ନ ଜାମକାନି ସଂରକ୍ଷିତ ଜଙ୍ଗଲ ଭିତରେ ମାଫିଆମାନେ ବହୁ ଖଣି ଖୋଳିବା ସହ କୋଇଲା ଉତ୍ତୋଳନ କରି ଜଙ୍ଗଲ ଭିତରେ ୨୦ରୁ ଅଧିକ ଷ୍ଟକ୍‌ୟାର୍ଡ କରିଥିବା ଦେଖିବାକୁ ମିଳିଛି। ଅନେକ ଷ୍ଟକ୍‌ୟାର୍ଡରୁ ଶହଶହ ଟନ୍‌ କୋଇଲା ଚାଲାଣ ହୋଇସାରିଛି। କେବଳ ସେତିକି ନୁହେଁ, ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରାସ୍ତା ତିଆରି କରି ମାଫିଆମାନେ ବେଧଡ଼କ୍‌ କୋଇଲା ପରିବହନ କରି ଚାଲିଛନ୍ତି। ଏହି ଜଙ୍ଗଲିଆ ରାସ୍ତାଟି ଛତିଶଗଡ଼କୁ ଲମ୍ବିଛି। ଏଠାରୁ ବର୍ଷବର୍ଷ ଧରି ଖଣିଜ ଲୁଟ୍‌ ଚାଲିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। 

Advertisment

ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଡ଼ ବଡ଼ ଖଣି ଖୋଳାଯିବା ସହ ଗଛକାଟି ଷ୍ଟକ୍‌ୟାର୍ଡ  କରାଯାଇଛି। ଜଙ୍ଗଲ ମଧ୍ୟରେ ରାସ୍ତା ତିଆରି କରି ସେହି ବାଟରେ ଛତିଶଗଡ଼ ଅଞ୍ଚଳକୁ ନିୟମିତ କୋଇଲା ଚାଲାଣ କରାଯାଉଛି। ପ୍ରଥମ କରି ଖଣିଜ ଲୁଟ୍‌ ସାମନାକୁ ଆସିବା ପରେ ସୁନ୍ଦରଗଡ଼ ବନ ବିଭାଗ ସଂରକ୍ଷିତ ଜଙ୍ଗଲ‌‌ରେ କୌଣସି ବେଆଇନ ଖଣି ଖନନ, କୋଇଲା ଷ୍ଟକ୍‌ୟାର୍ଡ ନଥିବା କହିଥିଲା। ବେଆଇନ୍‌ ଖଣି ଖନନ ଓ କୋଇଲା ଚୋରି କେବଳ ରାଜସ୍ବ ଜଙ୍ଗଲରେ ହେଉଥିବା ପ୍ରକାଶ କରିଥିଲା। ଏପରିକି ଜଙ୍ଗଲ ବିଭାଗ ମନ୍ତ୍ରୀ ସୁନ୍ଦରଗଡ଼ ଖଣି କେଳେଙ୍କାରୀ ଦେଖିବାକୁ ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବନ ବିଭାଗର କଥାକୁ ଦୋହରାଇ ଥିଲେ। ଏବେ ଜାମକାନି ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଖଣିଜ ଲୁଟ୍‌ ସାମ୍ନାକୁ ଆସିବା ପରେ ଅଡ଼ୁଆରେ ପଡ଼ି ଯାଇଛି ବନ ବିଭାଗ। ବର୍ଷ ବର୍ଷ ଧରି ସଂରକ୍ଷିତ ଜଙ୍ଗଲରୁ କୋଇଲା ଲୁଟ୍‌ ହେଉଥିଲା ବେଳେ ବନ ବିଭାଗ କିପରି ଜାଣିପାରିଲାନି ? ନା ଜାଣିଶୁଣି ଖଣି କେଳେଙ୍କାରୀକୁ ଲୁଚ‌ାଇ ଦେବାକୁ ଉଦ୍ୟମ କରିଥିଲା ? ସେ ନେଇ ଉଠିଛି ପ୍ରଶ୍ନ। 

ଉଲ୍ଲେଖଯୋଗ୍ୟ ଯେ ଗତବ‌ର୍ଷ ମେ’ ମାସରେ ଗୋପାଳପୁର ବନାଞ୍ଚଳ ଅଧିକାରୀ ତତ୍କାଳୀନ ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ ଚିଠି ଲେଖି ତେଲେନଡିହି ଜଙ୍ଗଲରେ ବେଆଇନ ଖଣି ଖନନ ଓ କୋଇଲା ଚୋରା ଚାଲାଣ ହେଉଥିବା ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଶ୍ରୀ ମହାନ୍ତି ଚିଠିକୁ ଅଣଦେଖା କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନଥିଲେ। ତେଣୁ ଜିଲ୍ଲାପାଳ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ।  ବନାଞ୍ଚଳ ଅଧିକାରୀଙ୍କ ଚିଠି ଅନୁଯାୟୀ ଖଣିଜ ଲୁଟ୍‌ ସମ୍ପର୍କରେ ବନ ବିଭାଗ ମଧ୍ୟ ବର୍ଷେ ତଳୁ ଅବଗତ ଥିଲା। ସେତେବେଳେ ରାଜସ୍ବ ବିଭାଗ ଜଙ୍ଗଲରୁ ଖଣିଜ ଲୁଟ୍‌ ପଦାକୁ ଆସିଥିବା ବେଳେ ଏବେ ସଂରକ୍ଷିତ ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ହେବା ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି।