ବ୍ରହ୍ମପୁର/ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ପୁଣି ଏକ ହାଜତ ମୃତ୍ୟୁ ଘଟିଛି। ସାଢ଼େ ୧୧ ବର୍ଷ ପରେ ସେହି ଥାନା ହାଜତରେ ଏହା ଦ୍ବିତୀୟ ଘଟଣା। ଗତକାଲି ଠାରୁ ଥାନାରେ ଅଟକ ଥିବା ସିଏଚ୍.ତ୍ରିଲୋଚନ ରେଡ୍ଡୀ (୩୨) ଆତ୍ମହତ୍ୟା କରିଛନ୍ତି। ପାଇଖାନା ଭିତରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ପୁଲିସ ଶବ ଜବତ କରି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଇନ ଅନୁସାରେ ଘଟଣାର ତଦନ୍ତ ଚାଲିଥିବା ଗଞ୍ଜାମ ଏସ୍.ପି. ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।
ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗାଁରେ ରହୁଥିବା ସିଏଚ୍.ରାଜାରାଓ ରେଡ୍ଡୀଙ୍କ ପୁଅ ହେଉଛନ୍ତି ତ୍ରିଲୋଚନ। ତ୍ରିଲୋଚନ ବିଭିନ୍ନ ସମୟରେ ଘରେ ଗଣ୍ଡଗୋଳ କରୁଥିଲେ। ଏପରିକି ବାପା ରାଜାରାଓଙ୍କୁ ମାରପିଟ୍ କରିବାରୁ ସେ ଗତ ଅଗଷ୍ଟ ମାସରେ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ରାଜାରାଓଙ୍କ ଏତଲା ଆଧାରରେ କେସ୍ ନମ୍ବର ୧୬୬/୨୨ରେ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ପରିବାରବର୍ଗଙ୍କ ଅନୁରୋଧ କ୍ରମେ ପରେ ଧାରା ୪୧ ସିଆର୍ପିସିରେ ତ୍ରିଲୋଚନଙ୍କୁ ପୁଲିସ ଛାଡ଼ି ଦେଇଥିଲା।
ହେଲେ ଗତକାଲି ପୁଣିଥରେ ତ୍ରିଲୋଚନ ଘରେ ଗଣ୍ଡଗୋଳ କରିଥିଲେ। ପରିବାରବର୍ଗ ଥାନାର ଦ୍ବାରସ୍ଥ ହେବା ପରେ ତ୍ରିଲୋଚନଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଥିଲା। ଆଜି ଭୋର୍ରେ ତ୍ରିଲୋଚନ ପାଇଖାନାକୁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ସେ ନ ବାହାରିବାରୁ ଦାୟିତ୍ବରେ ଥିବା ସେଣ୍ଟ୍ରିଙ୍କ ମନରେ ସନ୍ଦେହ ହୋଇଥିଲା। ସେ କବାଟ ଠେଲି ଦେଖିବା ବେଳକୁ ତ୍ରିଲୋଚନଙ୍କ ବେକରେ ଲୁଙ୍ଗି ବନ୍ଧା ହୋଇଥିଲା। ଆତ୍ମହତ୍ୟା ଉଦ୍ୟମ କରୁଥିବା ସନ୍ଦେହ କରି ତୁରନ୍ତ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ ଡାକ୍ତର ସେଠାରେ ତ୍ରିଲୋଚନଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଗଞ୍ଜାମ ଏସ୍.ପି. କହିଛନ୍ତି, ଏହି ଘଟଣାକୁ ନେଇ ଆଇନ ଅନୁସାରେ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ମୁଖ୍ୟାଳୟର ଜଣେ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ଜଣେ ଏଏସ୍ପି ରୢାଙ୍କ୍ର ଅଧିକାରୀ ଅନୁଧ୍ୟାନ ଦାୟିତ୍ବରେ ରହିଛନ୍ତି ବୋଲି ଏସ୍.ପି. କହିଛନ୍ତି।