ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାରେ କରୋନା ପ୍ରକୋପ ଲାଗି ରହିଛି। ଏହି ମହାମାରୀ ୨୫ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ ନେଲାଣି। ଆଜି ପୁଣି ଜଣେ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା ତଥା ଡାକ୍ତରଙ୍କ ଜୀବନ ନେଇଛି କରୋନା। ଜିଲ୍ଲାରେ କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିବା ପ୍ରଥମ ଘଟଣା। ପୁରୁଷୋତ୍ତମପୁର ବ୍ଲକ୍ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ତଥା ଅଧୀକ୍ଷକ ଡାକ୍ତର ବି.କ୍ରିଷ୍ଣା(୪୩)ଙ୍କ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଇନ୍ଚାର୍ଜ ଭାବେ ବି.କ୍ରିଷ୍ଣା ୨୦୧୮ରେ କାର୍ଯ୍ୟରେ ଯୋଗ ଦେଇଥିଲେ। କ୍ରିଷ୍ଣା କୋଭିଡ୍ ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ ଗତ ୪ ତାରିଖରେ ସ୍ବାବ୍ ପରୀକ୍ଷା କରାଇଥିଲେ। ୫ତାରିଖରେ ତାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତି ୩ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆଜି ପୂର୍ବାହ୍ଣରେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ବି.କ୍ରିଷ୍ଣାଙ୍କ ସ୍ମୃତିରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଉମାଶଙ୍କର ମିଶ୍ର, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ, ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବର୍ତ୍ତମାନର ଇନ୍ଚାର୍ଜ ମନୋଜ କୁମାର ଦାସ ଏବ˚ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଡାକ୍ତରଙ୍କ କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଶୈଳୀକୁ ଅଧିକାରୀମାନେ ମନେ ପକାଇ ପ୍ରସ˚ଶା କରିଥିଲେ। ଏହି ଅବସର ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା। ଏହାପରେ ଅଧିକାରୀମାନେ ମୃତ ଡାକ୍ତରଙ୍କ ନାଇଡ଼ୁପଲ୍ଲୀ ସ୍ଥିିତ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ହିଞ୍ଜିଳି ବ୍ଲକ୍ ନାଇଡୁପଲ୍ଲୀ ଗ୍ରାମରେ ବି. କ୍ରିଷ୍ଣା ୧୯୭୭ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପତ୍ନୀ ଏବ˚ ୭ ବର୍ଷର ଝିଅ ଅଛନ୍ତି।