ସମ୍ବଲପୁର: କଟକରେ କାର୍ଯ୍ୟରତ କ୍ରାଇମ୍ବ୍ରାଞ୍ଚ୍ ଡିଏସ୍ପି ରମେଶ ଦୋରା ଜାଲ୍ ଆଦିବାସୀ ଜାତି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ବିଚାରାଧୀନ ଥିବାବେଳେ ପୁଲିସ୍ ବିଭାଗର ଆଉ ଜଣେ ଡିଏସ୍ପି ସମାନ ଢଙ୍ଗରେ ଜାତି ଠକେଇ କରି ଚାକିରି କରିବା ଅଭିଯୋଗ ସାମ୍ନାକୁ ଆସିଛି। ଖୋଦ୍ ସେହି ବିଭାଗରେ କାର୍ଯ୍ୟରତ ଜଣେ ଆଦିବାସୀ ବର୍ଗର ଇନ୍ସପେକ୍ଟର୍ ଏହି ଅଭିଯୋଗ ଆଣିଛନ୍ତି। ସବୁଠୁ ମଜାର କଥା ହେଲା, ଉକ୍ତ ଡିଏସ୍ପି ଓ ତାଙ୍କର ଆଉ ଦୁଇଜଣ ଭଉଣୀ ସମସ୍ତେ ଏଭଳି ମିଛଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ଅଭିଯୋଗ ହୋଇଛି। ଏନେଇ ବରଗଡ଼ର ଆଇନ୍ଜୀବୀ ରବିରମଣ ପ୍ରଧାନ ତିନି ଭଉଣୀଙ୍କୁ ଆଡ୍ଭୋକେଟ୍ ନୋଟିସ୍ ପଠାଇଛନ୍ତି। ନୋଟିସ୍ଟି ଶ୍ରୀ ପ୍ରଧାନ ବୁର୍ଲାସ୍ଥିତ ବିଟିଆଇରେ କାର୍ଯ୍ୟରତ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ମୁଣ୍ଡାଙ୍କ ଅଭିଯୋଗ ଓ ଆର୍ଟିଆଇ ଜରିଆରେ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ଜାରି କରିଛନ୍ତି।
ଅଭିଯୋଗ ଅନୁଯାୟୀ, କେରଳରୁ ଆସି ସୁନ୍ଦରଗଡ଼ ଜିଲ୍ଲା ବଣେଇଗଡ଼ରେ ଜଣେ ବ୍ୟକ୍ତି ବହୁବର୍ଷ ହେଲା ଏକ େହାଟେଲ୍ ଚଳାଉଛନ୍ତି ଯାହା କେରଳୀ ହୋଟେଲ୍ ଭାବେ ପରିଚିତ। ତାଙ୍କର ତିନି ଝିଅ। ସମସ୍ତଙ୍କ ଜାତି ସ୍କୁଲ୍ ରେକର୍ଡରେ (ବଣେଇଗଡ଼ ବାଳିକା ଉଚ୍ଚବିଦ୍ୟାଳୟ) ଏଝାବା ଉଲ୍ଲେଖ ରହିଛି। ଏଝାବା କେରଳର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ହିନ୍ଦୁ ଜାତି ହୋଇଥିବାବେଳେ ଏହା ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ରେ ଆସୁଛି। ଓଡ଼ିଶାର ଜାତି ତାଲିକାରେ ଏହି ଜାତି ନାହିଁ। ସେମାନଙ୍କ ପିତା ତଥା ହୋଟେଲ ମାଲିକଙ୍କର ବଣାଇ ତହସିଲ ଓ ମୌଜାରେ ଥିବା ଜମି ରେକର୍ଡରେ ତାଙ୍କ ଜାତି ଛତ୍ରି ବୋଲି ଉଲ୍ଲେଖ ରହିଛି। ବଣାଇ ତହସିଲଦାରଙ୍କଠାରୁ ଆର୍ଟିଆଇରେ ମିଳିଥିବା ଉତ୍ତର ଅନୁଯାୟୀ ଉକ୍ତ ବ୍ୟକ୍ତି ହିନ୍ଦୁ ସଂପ୍ରଦାୟର ଏବଂ ସେ ଏସ୍ଟି ବର୍ଗରେ ଆସୁ ନାହାନ୍ତି। ହେଲେ, ପାଠପଢ଼ା ବେଳେ ଏଝାବା ଜାତିର ଥିବା ତିନି ଭଉଣୀ ପରବର୍ତ୍ତୀ ସମୟରେ ସରକାରୀ ଚାକିରି ହାତେଇବା ପାଇଁ ଚଞ୍ଚକତା ପୂର୍ବକ ବଣାଇ ତହସିଲ କାର୍ଯ୍ୟାଳୟରୁ ମିସ୍କେସ୍ ଜରିଆରେ ଓରାଓନ୍ (ଓରାମ) ଜାତି ପ୍ରମାଣପତ୍ର ହାସଲ କରିଛନ୍ତି, ଯାହା କି ଓଡ଼ିଶାର ଏକ ତଫସିଲଭୁକ୍ତ ଜନଜାତି ବା ଆଦିବାସୀ ବର୍ଗର ଅନ୍ତର୍ଭୁକ୍ତ। ଏହି ସାର୍ଟିଫିକେଟ୍ ଦାଖଲ କରି ସେମାନେ ବହୁବର୍ଷ ଧରି ଓଡ଼ିଶା ସରକାରରେ ଚାକିରି, ପଦୋନ୍ନତି ସହ ବିଭନ୍ନ ସୁବିଧା ହାସଲ କରି ଚାଲିଛନ୍ତି। ବଡ଼ଭଉଣୀ ଏବେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଡିଏସ୍ପି ଭାବେ କାର୍ଯ୍ୟରତ ଥିବାବେଳେ ଅନ୍ୟ ଜଣେ ଭଉଣୀ ବଣେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଶିକ୍ଷୟିତ୍ରୀ ଭାବେ ଏବଂ ଆଉ ଜଣେ ଭୁବନେଶ୍ବରରେ ଯୋଗାଣ ବିଭାଗ ନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ତିନି ଭଉଣୀ ଯଥାକ୍ରମେ ୧୯୯୭, ୨୦୦୨ ଓ ୨୦୧୫ରୁ ଏହି ଆଦିବାସୀ ଜାତି ପ୍ରମାଣପତ୍ର ହାସଲ କରି ସରକାରୀ ଚାକିରି କରୁଛନ୍ତି।
ଆଇନ୍ଜୀବୀ ଶ୍ରୀ ପ୍ରଧାନ ପଠାଇଥିବା ନୋଟିସ୍ ଆଉ କିଛି ରୋଚକ ତଥ୍ୟ ମଧ୍ୟ ରହିଛି। ପୁଲିସ୍ ବିଭାଗରେ ଡିଏସ୍ପି ଥିବା ବଡ଼ଭଉଣୀଙ୍କର ସମ୍ବଲପୁର ସହରର ବରେଇପାଲି ଓ ରେମେଡ୍ରେ ୨ଟି ଜମି ରହିଛି। ଗୋଟିଏ ଜମିର ରେକର୍ଡରେ ତାଙ୍କ ଜାତି ଓରାମ୍ ଥିବାବେଳେ ଅନ୍ୟଟିରେ ଖଣ୍ଡାୟତ ବୋଲି ଉଲ୍ଲେଖ ରହିଛି। ଯାହାକି, ଓଡ଼ିଶାର ଏକ ଅଣସଂରକ୍ଷିତ ବର୍ଗ ଅନ୍ତର୍ଭୁକ୍ତ ଜାତି। କେଉଁ ପରିସ୍ଥିତିରେ ପିତା ଛତ୍ରି, ଝିଅମାନେ ପାଠ ପଢ଼ିବାବେଳେ ଏଝାବା, ଚାକିରି କରିବା ବେଳେ ଓରାମ୍ ଓ ସେଥିରୁ ଜଣେ ପୁଣି ପରବର୍ତ୍ତୀ ସମୟରେ ଖଣ୍ଡାୟତ ଜାତିର ହେଲା ସେ ନେଇ ଶ୍ରୀ ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Odisha-Police-Logo_Odisha-Police-Museum-750x390-1.jpg)