ଯୁଯୁମୁରା ଅଞ୍ଚଳରେ ପୁଣି ଏକ ହାତୀର ମୃତ୍ୟୁ

ଯୁଯୁମୁରା : କିଛି ମାସର ବ୍ୟବଧାନ ପରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଅଂଚଳରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଅନ୍ତର୍ଗତ ଲଦଲଦି ଗ୍ରାମ୍ୟ ଜଙ୍ଗଲରୁ ଆଜି ଏକ ମାଈ ହାତୀର ଶବ ଠାବ କରାଯାଇଥିଲା। ମୃତ ହାତୀ ବୟସ ୨୫ରୁ ୩୦ ବୟସ ହେବ ବୋଲି ଅନୁମାନ କରାଯାଉଛି। ଶରୀରର ଅନ୍ତଃନଳୀ ମୋଡ଼ି ହେବା ଫଳରେ ସେଫ୍‌ଟିସେମିଆ ହୋଇ ୩ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ କରିଥିବା ପ୍ରାଣୀଧନ ଚିକିତ୍ସକ ମତ ଦେଇଛନ୍ତି।

ବୁଧବାର ପୂବାହ୍ନରେ ଖବର ପାଇ ସମ୍ୱଲପୁର ଡିଏଫ୍‌ଓ ବିଶ୍ଵନାଥ ନିଲନ୍ନଭର, ଏସିଏଫ୍ ମଦନ ଲାଲ ଶର୍ମା ଓ ପଡ଼ିଆବାହାଲ ରେଞ୍ଜର ପବିତ୍ର ମୋହନ ମାଝୀ ପହଂଚିଥିବା ବେଳେ ଅପରାହ୍‌ଣ ଭାରପ୍ରାପ୍ତ ଆର୍‌ସିସିଏଫ୍ ଡ. ଅରୁଣ କୁମାର ମିଶ୍ରଙ୍କ ଘଟଣାସ୍ଥଳରେ ପହଂଚି ସ୍ଥିତି ନିରୀକ୍ଷଣ କରିଥିଲେ। ଶବ ବ୍ୟବ‌‌‌‌ଚ୍ଛେଦ ପରେ ଘଟଣାସ୍ଥଳରେ ହିଁ ହାତୀକୁ ପୋତି ଦିଆଯାଇଛି। ବିଭାଗୀୟ ଅଧିକାରୀ ଓ ଟାମ୍ପରଗଡ଼ ସରପଞ୍ଚ କ୍ଷୀରୋଦ ରାଉଳଙ୍କ ଉପସ୍ଥିତିରେ ଚିପିଲିମାସ୍ଥିତ ରାଜ୍ୟ ପ୍ରାଣୀ ପରୀକ୍ଷାଗାରର ପାଥୋଲେଜି ବିଶେଷଜ୍ଞ ଡାକ୍ତର ଶୁଭଙ୍କର ସେଠୀ, ଯୁଯୁମୁରା ବିଭିଓ ଡାକ୍ତର ଅମ୍ରିତ ସାହୁ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ପଲ୍ଲବୀରାଣୀ ପଟେଲ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଟାମ୍ପରଗଡ଼ ଏଲ୍‌ଆଇ ତରୁଣ ଦେହୁରୀ, ହାତୀବାରୀ ଏଲ୍‌ଆଇ ମହେଶ୍ୱର ଦୀପ, ଆଟେଣ୍ଡାଣ୍ଟ ଅଜୟ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ମାସରେ ଏକ ଗୁଳିବିଦ୍ଧ ହାତୀ ଯୁଯୁମୁରା ବ୍ଲକ୍‌ ଅନ୍ତର୍ଗତ ସାପଲହରା ଗାଁ ପୋଖରୀକୁ ପାଣି ପିଇବାକୁ ଆସି ଆଉ ଯାଇପାରିନଥିଲା। ୨/୩ ଦିନ ପର୍ଯ୍ୟନ୍ତ ସେଠାରେ ପଡ଼ି ରହିବା ପରେ ପୋଖରୀ ଭିତରେ ହିଁ ତାର ମୃତ୍ୟ ଘଟିଥିଲା। ଚିକିତ୍ସା ଅବହେଳା କାରଣରୁ ହାତୀର ମୃ୍ତ୍ୟୁ ହୋଇଥିବା ଗାଁ ଲୋକେ ସେତେବେଳେ ଅଭିଯୋଗ ଆଣିଥିଲେ। ସେହିପରି ଗତ ଜୁଲାଇ ମାସରେ ଧମା ରେଂଜ ଅଂଚଳ ତବଲେଇ-ଦେଓଗାଁ ସଂରକ୍ଷିତ ଜଂଗଲରୁ‌ ପୋଡ଼ାଜଳା ଅବସ୍ଥାରେ ଥିବା ୨ଟି ହାତୀ କଙ୍କାଳ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର