ମାଟି ତଳୁ ମିଳିଲା ଆଉ ଏକ ହାତୀର କଙ୍କାଳ

କଟକ : ମାଟିତଳୁ ଆଉ ଏକ ହାତୀର କଙ୍କାଳ ଉଦ୍ଧାର କରାଯାଇଛି। ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ହାଡୁଆ ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏହି ହାତୀଟି ଦନ୍ତା ଓ ତା’ର ବୟସ ତା’ ବୟସ ୨୦ରୁ ୨୫ବର୍ଷ ଭିତରେ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏସ୍‌ଟିଏଫ୍‌ କରୁଥିଲା, ଆଜି ବନବିଭାଗ ନିଜେ ମାଟି ତଳୁ ହାତୀ କଙ୍କାଳ କରିଛି। ଆଠଗଡ଼ ବନଖଣ୍ଡର କେବଳ ନରସିଂହପୁର ଓ ବଡମ୍ବାରେ ଏସ୍‌ଟିଏଫ୍‌ ପକ୍ଷରୁ ଏଯାତବ୍‌ ୪ଟି ହାତୀର ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି। କେବଳ ନରସିଂହପୁରର ଦୁଇଟି ରେଞ୍ଜରେ ୪ମାସରେ ୫ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଉଦ୍‌ବେଗଜନକ ବିଷୟ ହେଉଛି, ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ଓ ନରସିଂହପୁର ଅଞ୍ଚଳରେ ଆହୁରି ୫/୬ଟି ହାତୀକୁ ମାରି ଏଭଳି ମାଟି ତଳେ ପୋତି ଦିଆଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଫଳରେ, ହାତୀ ମୃତ୍ୟୁ ‌ଏବେ ଏକ ସମ୍ବେଦନଶୀଳ ଘଟଣାରେ ପରିଣତ ହୋଇଛି।

ଆଠଗଡ଼ ବନାଞ୍ଚଳକୁ ହାତୀଙ୍କ ସୁରକ୍ଷିତ ତଥା ନିରାପଦ ଆଶ୍ରୟସ୍ଥଳୀ ବୋଲି କୁହାଯାଉଥିଲା। ମାତ୍ର, ଏବେ ଏହା ମୃତ୍ୟୁର ଉପତ୍ୟକା ପାଲଟିଛି। ରାଜ୍ୟରେ ହାତୀକୁ ମାରିବା ପରେ ହେଉ ବା ହାତୀ ମୃତ୍ୟୁକୁ ସରକାରୀ ରେକର୍ଡରୁ ହଟାଇବାକୁ ହେଉ; ଆଠଗଡ଼ ବନଖଣ୍ଡରେ ଏକ ନୂଆ ଫମୁର୍ଲା ଆରମ୍ଭ ହୋଇଛି। ହାତୀ ମୃତ୍ୟୁ ପରେ ତାକୁ ନିଜେ ବନବିଭାଗ ଲୋକ ଲଗାଇ ଖାତ ଖୋଳି ପୋତି ଦେବା ଭଳି ସଙ୍ଗିନ ଅପରାଧ ନିଜେ ଘଟାଉଛନ୍ତି ବନ କର୍ମଚାରୀ। ଯାହାକି ହାତୀଙ୍କ ଜୀବନକୁ ବିପନ୍ନ କରୁଛି। ଗତକାଲି ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ଜାନିପଦର ବିଟ୍‌ର ହାଡୁ୍ଆ ଝରଣା ପାଖରେ ଏକ ହାତୀକୁ ମାରି ପୋତି ଦିଆଯାଇଥିବା ନେଇ ଅଭିଯୋଗ ବନବିଭାଗ ପାଖକୁ ଆସିଥିଲା। ଫଳରେ ଆଠଗଡ଼ ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ହରେକୃଷ୍ଣ ମଲ୍ଲିକ ବଡ଼ମ୍ବା ରେଞ୍ଜ ଦାୟିତ୍ବରେ ଥିବା ଆଠଗଡ଼ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଓ କର୍ମଚାରୀ ହାଡୁଆ ପ୍ରକଳ୍ପ ପାର୍ଶ୍ବବର୍ତ୍ତୀ ଅଂଚଳରେ ଖୋଲିବା ଫଳରେ ମାଟିତଳୁ ଏକ ହାତୀ କଙ୍କାଳ ପାଇଥିଲେ। ତୁରନ୍ତ ମାଣିଆବନ୍ଧ ଭିଏସ୍‌ଙ୍କୁ ଡକାଇ ତାଙ୍କ ଉପସ୍ଥିତିରେ କଙ୍କାଳକୁ ଯାଞ୍ଚ କରାଯିବା ସହ ନମୁନା ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି। ତେବେ, କେବେଠାରୁ ଏହି ହାତୀକୁ ମାଟି ତଳେ ପୋତାଯାଇଛି ତାର ତଥ୍ୟ ଓୟୁଏଟିର ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଏସିଏଫ୍‌ ହରେକୃଷ୍ଣ ମଲ୍ଲିକ ସୂଚନା ଦେଇଛନ୍ତି।

ଅନ୍ୟପଟେ ବଡମ୍ବା, ନରସିଂହପୁର ରେଞ୍ଜରେ ଗଲା ୪ମାସରେ ଏସ୍‌ଟିଏଫ୍‌ ପକ୍ଷରୁ ୩ଟି ହାତୀର ମୃତଦେହ ମାଟି ତଳୁ ଓ ନିଜେ ବନବିଭାଗ ମାଟି ତଳୁ ହାତୀ କଙ୍କାଳ, ଦେବଭୂଇଁ ସଂରକ୍ଷିତ ଜଙ୍ଗଲର ନାଳ ପାଖରୁ ଏକ ମୃତହାତୀର ହାଡ଼, ମେ ୬ରେ ବାଲିକିଆରି ସଂରକ୍ଷିତ ଜଙ୍ଗଲରେ ମାଈହାତୀର ମୃତ୍ୟୁ, ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଉପରକଟା ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଓ ନରସିଂହପୁର ପୂର୍ବବନାଞ୍ଚଳର ନୂଆଗଡ଼ କମ୍ପାର୍ଟମେଣ୍ଟ ନମ୍ବର ୧୦ରୁ ମାଈ ହାତୀ ମୃତ୍ୟୁ ହୋଇଥିବା ବେଳେ ଗତକାଲି ନରସିଂହପୁରରେ ଚିକିତ୍ସାଧୀନ ଗୁଳିବିଦ୍ଧ ହନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ଘଟଣା ପରେ ଆଠଗଡ଼ ବନଖଣ୍ଡରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବା‌ଚୀ ସୃଷ୍ଟି ହୋଇଛି। ଜଙ୍ଗଲ ବିଭାଗ ହାତୀଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ ନକେଲେ ଆଠଗଡ଼ ବନଖଣ୍ଡ ହାତୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର