ଅନୁଗୁଳ: ପୁଲିସ୍‌ ଉପରକୁ ଗୁଳି ଚଳାଇ ଫେରାର୍‌ ଉଦ୍ୟମ କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ କ୍ଷୀରୋଦ ନାଏକ ପୁଲିସ୍‌ ଗୁଳିରେ ଗୁରୁତର ହୋଇଛି। ତାକୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶନିବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ସହର ଉପକଣ୍ଠ କୁକୁଡ଼ାଙ୍ଗ ନାରାୟଣ ସେବାଶ୍ରମ ନିକଟରେ ପୁଲିସ ଏହି ଏନ୍‌କାଉଣ୍ଟର୍‌ କରିଛି। ଦୁଇ ଦିନ ବ୍ୟବଧାନରେ ଏହା ଅନୁଗୁଳ ପୁଲିସର ଦ୍ବିତୀୟ ଏନ୍‌କାଉଣ୍ଟର୍‌। ଅପରାଧୀଙ୍କ ବିରୋଧରେ ଏମିତି କଠୋର ଆଭିମୁଖ୍ୟ ଜାରି ରହିବ ବୋଲି ଅନୁଗୁଳ ଏସ୍‌ପି ରାହୁଲ ଜୈନ କହିଛନ୍ତି। ଏସ୍‌ପି କହିଛନ୍ତି, ଛେଣ୍ଡିପଦା ଥାନା ଗୋଳାଗାଡ଼ିଆ ଗାଁର ଦୁର୍ଦ୍ଦାନ୍ତ ଅପରାଧୀ କ୍ଷୀରୋଦ ନାଏକ ଗତକାଲି ରାତିରେ ତାଳଚେର ପଟୁ ଅନୁଗୁଳକୁ ଆସୁଥିଲା। ଖବରପାଇ ଛେଣ୍ଡିପଦା ଥାନା ପୁଲିସ ତାକୁ ଧରିବା ପାଇଁ ଚେଷ୍ଟା କରି ଅନୁଗୁଳ ଥାନା ପୁଲିସର ସହାୟତା ଲୋଡ଼ିଥିଲା। ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାସ ଏକ ଟିମ୍‌ ନେଇ କୁକୁଡ଼ାଙ୍ଗ ଆଡ଼କୁ ଯାଇଥିଲେ। ପରେ ତାଙ୍କ ସହ ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଛେଣ୍ଡିପଦା ଥାନା ପୁଲିସ ସାମିଲ ହୋଇଥିଲେ। ରାତି ପ୍ରାୟ ସାଢ଼େ ୨ଟା ସମୟରେ କ୍ଷୀରୋଦ ଆସୁଥିବା ବେଳେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା। 

Advertisment

ହେଲେ ସେ ଗାଡ଼ି ବୁଲାଇ ପଳାଇଯିବାକୁ ଚେଷ୍ଟା କରିଥିଲା। ପୁଲିସ ତା’କୁ ଗୋଡ଼ାଇ ଆତ୍ମସମର୍ପଣ କରିବାକୁ କହିବାରୁ ‌ହଠାତ୍‌ ସେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଏହାର ଜବାବରେ ଅନୁଗୁଳ ଥାନା ଅଧିକାରୀ ସର୍ଭିସ୍ ରିଭଲଭର୍‌ରୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ କ୍ଷୀରୋଦ ପୁଣି ଗୋଟିଏ ରାଉଣ୍ଡ୍‌ ଗୁଳି ଚଳାଇଥିଲା। ଅନୁଗୁଳ ଥାନା ଅଧିକାରୀ ପାଲଟା ଜବାବ ଦେବାରୁ କ୍ଷୀରୋଦର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ସେ ସେଠାରେ ଟଳି ପଡ଼ିଥିଲା। ତାକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ରବିବାର କଟକ ସ୍ଥାନାନ୍ତର କରାଯାଇଛି।

ଅନୁଗୁଳ ଥାନା ଅଧିକାରୀଙ୍କ ଏତଲାକ୍ରମେ ପୁଲିସ ୨୭୪/୨୪ରେ ଏକ ମାମଲା ରୁଜୁ କରିଛି। କ୍ଷୀରୋଦ ପାଖରୁ ଗୋଟିଏ ଦେଶୀ ପିସ୍ତଲ୍‌, ବାଇକ୍‌ ଓ ମୋବାଇଲ୍‌ ଫୋନ୍ ଜବତ କରାଯାଇଛି। ସେହିପରି ଘଟଣାସ୍ଥଳରୁ ୫ଟି ଖୋକା ମିଳିଛି। ଅଭିଯୁକ୍ତ କ୍ଷୀରୋଦ ବିରୋଧରେ ବିଭିନ୍ନ ଥାନାରେ ୨୮ଟି ମାମଲା ରହିଥିବା ପୁଲିସ କହିଛି। ଅନୁଗୁଳ ଜିଲ୍ଲା ସମେତ ଢେଙ୍କାନାଳ ଓ ଦେବଗଡ଼ରେ ଡକାୟତି, ରାହାଜାନି ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ ମାମଲା ତା’ ବିରୋଧରେ ରହିଛି। ଏପରିକି ଆଗରୁ ଥରେ ସେ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯାଇଥିଲା। ତା’ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା ବେଳେ ୨୦୧୬ରୁ ପୁଲିସ ପଞ୍ଝାରେ ପଡୁନଥିଲା। ଆଇନ୍‌କୁ ହାତକୁ ନେଲେ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।