ଗିରଫ ଅଧୀକ୍ଷଣ ଯନ୍ତ୍ରୀଙ୍କ ବେନାମୀ ଆକାଉଣ୍ଟ ଠାବ: ମୃତ ଶାଶୂଙ୍କ ନାଁରେ ୬୪ ଲକ୍ଷ ଟଙ୍କା ଜମା

ମାଲକାନଗିରି: ପ୍ରାୟ ୧୨ବର୍ଷ ତଳୁ ଶାଶୂ ପ୍ରାଣ ହରାଇ ସାରିଲେଣି। ମାତ୍ର, ତାଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇ ୬୪ ଲକ୍ଷ ଟଙ୍କା ଜମା ରଖାଯାଇଛି। ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ଗିରଫ ହୋଇଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ସମ୍ପତ୍ତି ଖୋଳତାଡ଼ ପରେ ଭିଜିଲାନ୍ସକୁ ଏହି ନୂଆ ତଥ୍ୟ ମିଳିଛି।

ସୂଚନା ଅନୁସାରେ, ଶାଶୂଙ୍କ ମୃତ୍ୟୁର ବହୁବର୍ଷ ପରେ କେନ୍ଦୁଝରର ଏସ୍‌ବିଆଇ ଏବଂ ମାଲକାନଗିରିର ଆକ୍ସିସ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲକ୍ଷାଧିକ ଟଙ୍କା ଜମା କରାଯାଇଛି। ୨୦୨୦ ମସିହା ଜୁଲାଇ ମାସରୁ ୨୦୨୨ ମସିହା ମାର୍ଚ୍ଚ ମାସ ମଧ୍ୟରେ ଏହି ଆକାଉଣ୍ଟରେ ଟଙ୍କା ଜମା ରଖିଛନ୍ତି। ଅଳ୍ପ ଅଳ୍ପ କରି ଅର୍ଥାତ ପ୍ରତ୍ୟେକ ଥର ୧ଲକ୍ଷ ୯୮ହଜାର ଟଙ୍କା ଲେଖାଏଁ ଜମା କରୁଥିଲେ। ଶେଷରେ, ଏହା ୬୪ ଲକ୍ଷରେ ପହଞ୍ଚିଛି। ନିଜ ଚାକର, ସଂପର୍କୀୟ ଏବଂ ବିଶ୍ବସ୍ତ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ସେଥିରେ ମଧ୍ୟ ଟଙ୍କା ଜମା କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଥିଲା। କିନ୍ତୁ ଆଦୌ ତରବର ନ ହୋଇ ସଠିକ୍‌ ସମୟ ଅପେକ୍ଷାରେ ଭିଜିଲାନ୍ସ ରହିଥିଲା। ମାର୍ଚ୍ଚ ମାସ ୨୫ ତାରିଖରେ ନିଜେ ଅଧୀକ୍ଷଣ ଯନ୍ତ୍ରୀ ୧୦ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଯିବାସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ଏହାପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ନଗଦ ଏବଂ ପାଖାପାଖି ଦୁଇ କିଲୋ ଓଜନର ସୁନା ପାଇଥିଲା। ଏହାବ୍ୟତୀତ ବି ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ଭିଜିଲାନ୍ସକୁ ମିଳିଥିଲା। ଶେଷରେ ଗତ ମାସ ୨୯ ତାରିଖରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରି ୪ ଦିନ ପାଇଁ ରିମାଣ୍ଡରେ ନେଇଥିଲେ। ଏହି ଚାରିଦିନରେ ଭିଜିଲାନ୍ସକୁ ପୁଣି ନୂଆ ଠିକଣା ମିଳିବାରୁ ଚଢ଼ଉ କରିଥିଲା। ଏଥର ଅଧୀକ୍ଷଣ ଯନ୍ତ୍ରୀଙ୍କ ବେନାମୀ ଆକାଉଣ୍ଟରେ ଜମା ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ପ୍ରମାଣ ମିଳିଥିଲା। ଶେଷ ଆକଳନ ସୁଦ୍ଧା ଅଧୀକ୍ଷଣ ଯନ୍ତ୍ରୀଙ୍କ ୯ କୋଟି ଟଙ୍କାର ସଂପତ୍ତି ଜବତ ହୋଇସାରିଲାଣି। ତଥାପି ଭିଜିଲାନ୍ସର ତଦନ୍ତ ପ୍ରକ୍ରିୟା ଶେଷ ହୋଇନି ଏବଂ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର