ଭୁବନେଶ୍ବର : ଟେଲ୍ମା-ଏଏମ୍ ଓ ଟେଲ୍ମା-୪୦ ପରେ ରାଜଧାନୀରେ ଆଉ ଏକ ନକଲି ଔଷଧକୁ ନେଇ ସନ୍ଦେହ ବଢ଼ିଛି। ପ୍ରାଥମିକ ତଦନ୍ତରୁ ଆଣ୍ଟି ବାଇଓଟିକ୍ ଔଷଧ କ୍ଲାଭାମ-୬୨୫ ନକଲି ଥିବା ରାଜ୍ୟ ଭେଷଜ ନିର୍ଦେଶାଳୟ ଅନୁମାନ କରୁଛି। ଏ ନେଇ ସୋମବାର ସଂଧ୍ୟାରେ ଭେଷଜ ନିର୍ଦେଶାଳୟ ପକ୍ଷରୁ ଭୁବନେଶ୍ବର ଅଶୋକ ନଗର ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରେ ଚଢ଼ାଉ କରାଯାଉଛି। ସଂପୃକ୍ତ ହୋଲ୍ସେଲର କିଛି ଔଷଧକୁ ବିକ୍ରି କରି ଦେଇଥିବା ବେଳେ ବଳକା ରହିଥିବା ଔଷଧକୁ ସିଜ୍ କରାଯାଇଛି। ତେବେ ଏହି ଘଟଣାରେ ଭୁବନେଶ୍ବର ରେଞ୍ଜର ଜଣେ ଡ୍ରଗ୍ ଇନ୍ସପେକ୍ଟର(ଡିଆଇ)ଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ସଂପୃକ୍ତ ଡିଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ଲାଗି ନିର୍ଦେଶାଳୟ ସଜବାଜ ହେଉଥିବା ସୂଚନା ମିଳିଛି।
ଭେଷଜ ନିର୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଅକ୍ଟୋବର ମାସରେ ଝାରସୁଗୁଡ଼ା ଅଞ୍ଚଳରୁ କ୍ଲାଭାମ-୬୨୫ ଔଷଧକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଡିଆଇ ଏ ସଂପର୍କରେ ଭେଷଜ ନିର୍ଦେଶାଳୟକୁ ଜଣାଇଥିଲେ। ପରବର୍ତୀ ସମୟରେ ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ଅନ୍ୟ ଡିଆଇମାନଙ୍କୁ ଚିଠି ହେବା ସହିତ ଏହି ଔଷଧ ଉପରେ ନଜର ରଖିବା ଲାଗି କୁହାଯାଇଥିଲା। ଭୁବନେଶ୍ବରର ଅଶୋକ ନଗର ଅଞ୍ଚଳରେ ସଂପୃକ୍ତ ଔଷଧ ଦୋକାନରେ ୧୮୫ ଷ୍ଟ୍ରିପ୍ ଔଷଧ ରହିଥିବା ଜଣାପଡ଼ିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ। ସେଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଂପୃକ୍ତ ଔଷଧକୁ ସିଜ୍ କରାଯାଇଥିଲା।
କଟକରୁ ଯୋଗାଣ ହୋଇଛି ନକଲି କ୍ଲାଭାମ-୬୨୫
ସନ୍ଦେହରେ ଡ୍ରଗ୍ ଇନ୍ସପେକ୍ଟରଙ୍କ ଭୂମିକା
ମାତ୍ର ଏହାକୁ ନ ମାନି ସଂପୃକ୍ତ ଦୋକାନୀ କିଛି ଖୁଚୁରା ଔଷଧ ଦୋକାନୀଙ୍କୁ ଏହାକୁ ବିକ୍ରି କରିଥିବା ଜଣାପଡ଼ିଥିଲା। ଏହା ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭେଷଜ ନିୟନ୍ତ୍ରକ ସୁବୋଧ ନାୟକ ଓ ତାଙ୍କ ଟିମ୍ ଆଜି ସଂଧ୍ୟାରେ ସଂପୃକ୍ତ ଦୋକନରେ ଚଢ଼ାଉ କରିଥିଲେ। ଖୁଚୁରା ଔଷଧ ଦୋକାନକୁ ଯାଇଥିବା କିଛି ଔଷଧ ଫେରସ୍ତ ଆସିଥିବା ବେଳେ ଅନ୍ୟ ଔଷଧ ସଂଗ୍ରହ ହୋଇପାରିନାହିଁ। ପ୍ରାଥମିକ ପର୍ଯ୍ୟାୟରେ ସଂପୃକ୍ତ ଔଷଧ କଟକରୁ ଯୋଗାଣ ହୋଇଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ଔଷଧର ବାରକୋଡିଂ ମଧ୍ୟ ଠିକ୍ ନାହିଁ। ନମୁନା ରିପୋର୍ଟ ଆସିବା ପରେ ସଂପୃକ୍ତ ଔଷଧ ନକଲି କି ନୁହେଁ ସ୍ପଷ୍ଟ ହେବ।
ଅପରପକ୍ଷରେ ସଂପୃକ୍ତ ଦୋକାନରୁ ସନ୍ଦିଗ୍ଧ ଔଷଧର ନମୁନା ସଂଗ୍ରହ କରାଯିବା ଓ ଏହାକୁ ବିକ୍ରି ନ କରିବା ଲାଗି ନିର୍ଦେଶ ପରେ ସଂପୃକ୍ତ ଦୋକାନୀ କିଭଳି ବିକିଲେ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହା ପଛରେ ଜଣେ ଡିଆଇ ରହିଥିବା ନିର୍ଦେଶାଳୟର ବରିଷ୍ଠ ଅଧିକାରୀ ସନ୍ଦେହ କରୁଛନ୍ତି। ଏପରିକି ଚଢ଼ାଉ ସମୟରେ ଅଧିକାରୀମାନଙ୍କୁ ସଂପୃକ୍ତ ଡିଆଇଙ୍କ ବିଷୟରେ ହୋଲସେଲର ମାଲିକ ସୂଚନା ଦେଇଛନ୍ତି। ତେଣୁ ନମୁନା ରିପୋର୍ଟ ଆସିବା ପରେ ତଥ୍ୟଭିତ୍ତିକ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।