ପୁଣି ବିଷ ପିଇଲେ ଚାଷୀ

ବରଗଡ଼ ଜିଲ୍ଲାମାସକରେ ତୃତୀୟ ଘଟଣା

ବରଗଡ଼ : ଚଳିତ ମାସ ତୃତୀୟଥର ପାଇଁ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଘଟଣା ଅଭିଯୋଗ ହୋଇଛି। ବିଷ ପିଇ ବରଗଡ଼ ସଦର ବ୍ଲକ ତୋରା ଗ୍ରାମର ଅକ୍ଷର ଧରେଇ (୫୮)ଙ୍କ ମୃତ୍ୟୁ ଘଟିଛି। ଋଣ ବୋଝ ଯୋଗୁଁ ଅକ୍ଷୟ ବେଶ୍‌ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିଲେ। ଏଥିପାଇଁ ସେ ବିଷ ପିଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ କହିବା ହେଲା ଅକ୍ଷୟ ୯ ଏକର ଜମିରେ ଧାନ ଚାଷ କରିଥିଲେ। ଭଲ ଧାନ ହୋଇଥିଲେ ବି ଚକଡା ପୋକ ଯୋଗୁଁ ସବୁକିଛି ନଷ୍ଟ ହୋଇଯାଇଥିଲା। ଚାଷ କାମ ପାଇଁ ଅକ୍ଷୟ ବିଭିନ୍ନ ସୋସାଇଟି, ବ୍ୟାଙ୍କରୁ ଋଣ ଏବଂ ହାତଉଧାରି ବାବଦକୁ ମୋଟ ୩ ଲକ୍ଷ ଟଙ୍କା ଆଣିଥିଲେ। ତେବେ ଚକଡା ପୋକ ଲାଗିବାରୁ ଫସଲ ବ୍ୟାପକ ଭାବରେ ନଷ୍ଟ ହୋଇଥିଲା। ଋଣ ଚିନ୍ତା ଯୋଗୁଁ ରବିବାର ରାତିରେ ଅକ୍ଷୟ ଘରେ ବିଷ ପିଇ ଦେଇଥିଲେ। ଆଜି ସକାଳୁ ଘରଲୋକେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଖାନାରେ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ତହସିଲଦାର ଦୌଲତ ଚନ୍ଦ୍ରା କର ପ୍ରତିକ୍ରିୟାରେ କହିଛନ୍ତି। ତହସିଲଦାର ତୋରା ଗ୍ରାମକୁ ଯାଇ ଅକ୍ଷୟଙ୍କ ଚାଷ ଜମି ନିରୀକ୍ଷଣ କରିଥିଲେ। ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ କ୍ରମାଗତ ଚାଷୀ ଆତ୍ମହତ୍ୟା ଘଟଣା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

ଗତ ସପ୍ତାହର ବୁଧବାର ରାତିରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗାଇସିଲାଟ୍‌ ବ୍ଲକ ମଲମଣ୍ଡା ଗାଁର ଚାଷୀ ଇନ୍ଦ୍ର ବରିହା ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଦେଇଥିଲେ। ଗତ ୨୨ ତାରିଖ ରାତିରେ ଇନ୍ଦ୍ର ଚାଷ ଉଜୁଡି ଯିବାରୁ ଋଣ ବୋଝ ଚିନ୍ତା ବିଷ ପିଇ ଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଗତ ଶୁକ୍ରବାର ସକାଳୁ ପାଇକମାଳ ଥାନା ଅନ୍ତର୍ଗତ ଜଳଗଡ଼ ଗାଁର ଜଗଦୀଶ ବୁଡେକ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ସମସ୍ତ ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ହେଁ ବର୍ତ୍ତମାନ ଯାଏଁ ପ୍ରଶାସନ ପକ୍ଷରୁ ରିପୋର୍ଟ ଚୂଡାନ୍ତ ହୋଇନାହିଁ।

ସମ୍ବନ୍ଧିତ ଖବର