ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼ : ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ତାଲିକା ଲମ୍ବି ଚାଲିଛି। ଚଳିତ ମାସ ପହିଲାରେ କଳାପାଣିର ଭାଗଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ଘଟଣା ଦେଶବ୍ୟାପୀ ଉଷ୍ଣତା ସୃଷ୍ଟି କରି ଦେଇଥିଲା। ଏହି ଘଟଣାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଦୋଷ ଲଦାଲଦି ଚାଲିଛି। ଏଭଳି ସରଗରମ ରାଜନୈତିକ ବାତାବରଣ ମଧ୍ୟରେ ସୋମବାର ସଂଧ୍ୟାରେ ବରଗଡ଼ ବ୍ଲକ ସରସରା ଅନ୍ତର୍ଗତ ବେହେରା ଗାଁରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ପ୍ରଦୀପ ଖମାରୀ (୨୨)। ପ୍ରଦୀପଙ୍କ ପିତା ଉପେନ୍ଦ୍ରଙ୍କ କହିବାନୁଯାୟୀ, ପୁଅ ଦେଢ଼ ଏକର ଜମିରେ ବହୁ କଷ୍ଟେମଷ୍ଟେ ଧାନଚାଷ କରିଥିଲା। ହେଲେ ଚକଡ଼ା ପୋକ ଯୋଗୁଁ ସବୁ ଫସଲ ନଷ୍ଟ ହୋଇଯାଇଛି। ଚାଷ ପାଇଁ ଆଗରୁ ୩୦ହଜାର ଟଙ୍କା ହାତ ଉଧାରି କରିଥିଲେ। ଚାଷବାସ ଉଜୁଡ଼ି ଯିବାରୁ ପ୍ରଦୀପ ମାନସିକ ଅବସାଦରେ ରହୁଥିଲେ। ସୋମବାର ଘରେ ଖିଆପିଆ ସାରିବା ପରେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ ଘରଲୋକେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର