ପୁଣି ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଏ ଯାଏ ୧୫୧ ଅଧିକାରୀଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଜାରି

ଭୁବନେଶ୍ବର : ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଜାରି ରହିଛି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ପୁଲିସ ଡିଏସ୍‌ପି, ଓଏଏସ୍ ଅଫିସର, ପୁଲିସ ଇନ୍ସପେକ୍ଟର ଓ ୨ ଜଣ ପୌରପାଳିକା ନିର୍ବାହୀ ଅଧିକାରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ଉପରେ ଗୁରୁତ୍ବ ଦେଉଥିବାରୁ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଏହି ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ ଡିଏସ୍‌ପି ଭାବରେ ନିଯୁକ୍ତ ଓଡ଼ିଶା ପୁଲିସ ସେବା ଅଧିକାରୀ ରବୀନ୍ଦ୍ର କୁମାର ସେଠୀଙ୍କ ବିରୋଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡ଼ିଥିଲେ ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ୍ ଅଧିକାରୀ ସୁଶୀଲ କୁମାର କୁଜୁରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଢେଙ୍କାନାଳ ସଦର ବ୍ଲକ୍‌ରେ ବିଡିଓ ଥିବା ବେଳେ ସେ ମନରେଗା ପାଣ୍ଠି ଆତ୍ମସାତ କରିଥିଲେ। ବିଭିନ୍ନ ଗାଁରେ ଜାଲ୍ କାଗଜପତ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦର୍ଶାଇ ସରକାରଙ୍କର ୨୪ ଲକ୍ଷ ୨୨ ହଜାର ୫୩୮ ଟଙ୍କା କ୍ଷତି ପହଞ୍ଚାଇଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା, ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ପୁଲିସ ଇନ୍ସପେକ୍ଟର ବିନୋଦ ବିହାରୀ ନାୟକଙ୍କ ବିରୋଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ସେ ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ ଏକ ମାରୁତି ସିଆଜ୍ କାର୍‌ରେ ଯାଉଥିଲା ବେଳେ ବରଗଡ଼ ଟୋଲଗେଟ୍ ନିକଟରେ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍ ଦ୍ବାରା ଧରା ପଡ଼ିଥିଲେ। ତାଙ୍କ ଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା। ବଙ୍ଗମୁଣ୍ଡାସ୍ଥିତ ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ୩,୮୦,୯୨୦ ଟଙ୍କା ଜବତ କରାଯାଇଥିଲା। ସମୁଦାୟ ତାଙ୍କ ଠାରୁ ୫,୮୭,୧୪୦ ଟଙ୍କା ଜବତ କରାଯାଇଥିଲା। ୨୦୨୧ ନଭେମ୍ବର ୩୦ ତାରିଖ ଦିନ ସେ ଗିରଫ ହୋଇଥିଲେ। ଅଧିକ ତଦନ୍ତ ପରେ ଜଣାଯାଇଥିଲା ଯେ ସେ ଯେଉଁ ମାରୁତି କାର୍‌ରେ ଯାଉଥିଲେ, ତାହା ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀ ପୁଲିସ ଷ୍ଟେସନ ଅନ୍ତର୍ଗତ ଏମ୍. ନାସିର ନାମକ ଜଣେ ବ୍ୟକ୍ତିଙ୍କ ପୁଅ ମହମ୍ମଦ ମଲିମ୍‌ଙ୍କ ନାମରେ ରହିଛି। ସେହି ବ୍ୟକ୍ତିଙ୍କ ନାମରେ ଧନୁପାଲ୍ଲୀ ପୁଲିସ ଷ୍ଟେସନରେ ୪ଟି ମାମଲା ଓ ସମ୍ବଲପୁର ସଦର ପୋଲିସ ଷ୍ଟେସନରେ ଗୋଟିଏ ମାମଲା ରହିଛି। ଦୁର୍ନୀତି, ଅପାରଗତା ଓ ଦୁର୍ବ୍ୟବହାର ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାାଳିକାର ପୂର୍ବତନ ନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଦାୟିତ୍ବରେ ଅବହେଳା, ନୈତିକ ସ୍ଖଳନ, ମହିଳାଙ୍କ ସହିତ ଅବୈଧ ସମ୍ପର୍କ, ଜନସାଧାରଣଙ୍କୁ ପୌରସେବା ଯୋଗାଇଦେବା କ୍ଷେତ୍ରରେ ଅନାଗ୍ରହ, ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଏବଂ ଓଡ଼ିଶା ସରାକାରୀ ସେବା ଆଚରଣ ବିଧି ୧୯୫୫ର ଉଲ୍ଲଂଘନ ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସମ୍ବନ୍ଧିତ ଖବର