ଅନୁଗୁଳ : ସାତକୋଶିଆର ଜୈବ ବିବିଧତାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଗଲା ଶୀତ ପରଠାରୁ ସାତକୋଶିଆକୁ ନିଜର ଘର କରି ନେଇଥିବା ଇଣ୍ଡିଆନ୍‌ ସ୍କିମର୍‌ ପ୍ରଜାତିର ପକ୍ଷୀରେ ଶେଷରେ ମହାନଦୀର ବାଲୁକା ଶଯ୍ୟାରେ ଅଣ୍ଡା ଦେଇ ଛୁଆ ଫୁଟାଇ ସାରିଛନ୍ତି। ମୋଟ୍ ଉପରେ ତିନି ଗୋଟି ନୂଆ ଇଣ୍ଡିଆନ୍‌ ଶାବକ ସାତକୋଶିଆର ଜଳବାୟୁରେ ଡେଣା ମେଲାଇ ଉଡ଼ିବା ଆରମ୍ଭ କରିଥିବା ବେଳେ ଆଉ ତିନିଟି ଇଣ୍ଡିଆନ୍‌ ସ୍କିମର୍‌ ଅଣ୍ଡାରୁ ଛୁଆ ଫୁଟାଇବା କାମରେ ଲାଗି ପଡ଼ିଛନ୍ତି। ପ୍ରଚଣ୍ଡ ଶୀତ ସମୟରେ ପ୍ରତିବର୍ଷ ଇଣ୍ଡିଆନ୍‌ ସ୍କିମର୍‌ ସାତକୋଶିଆକୁ ଉଡ଼ି ଆସନ୍ତି। ଶୀତ ସରିଗଲେ, ଏ ପକ୍ଷୀଙ୍କର ଘର ବାହୁଡ଼ା ହୁଏ। କିନ୍ତୁ, ଚଳିତବର୍ଷ ଶୀତ ପରେ ବି ଏ ପକ୍ଷୀ ଘର ବାହୁଡ଼ା ହେବା ପରିବର୍ତ୍ତେ ସାତକୋଶିଆରେ ରହି ଯାଇଥିଲେ। ସାତକୋଶିଆ ଇତିହାସରେ ପ୍ରଥମ ଥର ପାଇଁ ଏ ପକ୍ଷୀ ଏଥର ଅଣ୍ଡାରୁ ଛୁଆ ଫୁଟାଇଛନ୍ତି। ଯାହା ସାତକୋଶିଆ ପ୍ରେମୀ ମହଲରେ ଖୁସି ଖେଳାଇ ଦେଇଛି।

Advertisment

ମହାନଦୀବାଲିରେ ଡେଣା ମେଲାଇଲେ ପକ୍ଷୀ ଶାବକ
ମା ଘଡ଼ିଆଳ ବି ତୃତୀୟ ଥର ପାଇଁ ଦେଲା ଅଣ୍ଡା

publive-image Sublime Tours

ଇଣ୍ଡିଆନ୍‌ ସ୍କିମର ନାମକ ଏ ପକ୍ଷୀଟି ବେଶ୍ ଆକର୍ଷଣୀୟ ହେବାର ମୂଳ କାରଣ ହେଲା, ଏ ପକ୍ଷୀର ତିନି ମିଶ୍ରିତ ରଙ୍ଗ। କଳା, ଧଳା ଏବଂ କମଳା ରଙ୍ଗ ମିଶ୍ରିତ ଏ ପକ୍ଷୀ ଦେଖିବାକୁ ବହୁତ ସୁନ୍ଦର ହୋଇଥିଲେ ବି ତାର ପ୍ରାକୃତିକ ବାସସ୍ଥାନ କେବେ ସାତକୋଶିଆ ହୋଇ ନଥିଲା। ଠିକ୍‌ ଅକ୍ଟୋବର ମାସ ବେଳକୁ ଏ ପକ୍ଷୀ ଅନ୍ୟ ଆଡ଼ୁ ସାତକୋଶିଆ ବାଲୁକା ଶଯ୍ୟାକୁ ଉଡ଼ି ଆସନ୍ତି। ଦଳ ଦଳ ହୋଇ ବସନ୍ତି, ଦଳ ଦଳ ହୋଇ ଉଡ଼ିବା ପକ୍ଷୀପ୍ରେମୀଙ୍କୁ ବେଶ୍ ଆନନ୍ଦିତ କରୁଥିଲା। ପ୍ରତିବର୍ଷ ଏମାନେ ସାତକୋଶିଆ ଗଣ୍ଡକୁ ଆସନ୍ତି, ମାତ୍ର ପାଞ୍ଚ ମାସର ଅତିଥି ହୋଇ ଗ୍ରୀଷ୍ମ ପ୍ରବାହ ମାଡ଼ି ଆସିଲା ପୂର୍ବରୁ ପୁଣି ଫେରିଯାଆନ୍ତି। ଚଳିତବର୍ଷ କିନ୍ତୁ ଏଥିରେ ବ୍ୟତିକ୍ରମ ହୋଇଥିଲା। ବହୁ ଇଣ୍ଡିଆନ୍‌ ସ୍କିମର୍‌ ଫେରିବା ପରିବର୍ତ୍ତେ ସାତକୋଶିଆ ବାଲୁକା ଶଯ୍ୟାରେ ହିଁ ରହିଯାଇଥିଲେ। ଯାହା ସାତକୋଶିଆ କର୍ତୃପକ୍ଷଙ୍କୁ ବି ଆଶ୍ଚର୍ଯ୍ୟ କରିଥିଲା। ଏମାନେ ଏଥର ଏଠି ଅଣ୍ଡା ଦେବେ ବୋଲି ଯଦିଓ ସାତକୋଶିଆ କର୍ତୃପକ୍ଷ ଆଶଙ୍କା କରୁଥିଲେ, କିନ୍ତୁ ସ୍ପଷ୍ଟ ହୋଇ ପାରୁ ନଥିଲେ। ତେଣୁ, ଏ ପକ୍ଷୀମାନଙ୍କ ଉପରେ ନଜର ରଖିବା ପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ କ୍ୟାମେରା ଖଞ୍ଜ‌ା ଯାଇଥିଲା। ଏହାଦ୍ବାରା ପକ୍ଷୀମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଏହି କ୍ୟାମେରାରୁ ଇଣ୍ଡିଆନ୍‌ ସ୍କିମର ଅଣ୍ଡାରୁ ଛୁଆ ଫୁଟାଇଥିବା ସ୍ପଷ୍ଟ ହୋଇଛି। କିଛି ପକ୍ଷୀ ଅଣ୍ଡାରୁ ଛୁଆ ଫୁଟାଇ ସାରିଥିବା ବେଳେ ଆଉ କିଛି ଅଣ୍ଡାରୁ ଛୁଆ ଫୁଟାଇବା ପ୍ରକ୍ରିୟାରେ ଲାଗି ପଡ଼ିଥିବା କ୍ୟାମେରା ଲେନ୍‌ସରୁ ସ୍ପଷ୍ଟ ହୋଇଛି।

ସେହିପରି ଅନ୍ୟତମ ଖୁସି ଖବର ହେଉଛି, ଲଗାତାର ତୃତୀୟ ଥର ପାଇଁ ମା ଘଡ଼ିଆଳ ଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅଣ୍ଡା ଦେଇ ସାରିଛି। ବାଲୁକାଶଯ୍ୟାରେ ଖଞ୍ଜାଯାଇଥିବା କ୍ୟାମେରାରୁ ଏକଥା ସ୍ପଷ୍ଟ ହୋଇଛି। ବାଲିରେ ହୋଇଥିବା କୁମ୍ଭୀରର ବସାକୁ ମା ଘଡ଼ିଆଳ ବାରମ୍ବାର ଯାତାୟାତ କରୁଥିବା ବେଳେ ସମ୍ଭବତଃ ଆସନ୍ତା ମାସ ପ୍ରଥମ ସପ୍ତାହରେ ପୁଣି ସାତକୋଶିଆ କୋଳରେ ଘଡ଼ିଆଳ ଶାବକ ଖେଳିବା ଏକ ପ୍ରକାର ଥୟ ହୋଇଛି।