ରାଉରକେଲା: ଗୋଟିଏ ପରେ ଗୋଟିଏ ରୂପରେ ଆସି ସର୍ବଦା ଚର୍ଚ୍ଚାର ରହୁଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ। ପୂର୍ବରୁ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚରେ ‘ମେ ହୁଁ ଡନ୍‌... ଗୀତରେ ନାଚିବା, କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା, ରକ୍ତଦାନ ଶିବିରରେ ଛୁଞ୍ଚିଫୋଡ଼ି କର୍ମୀଙ୍କ ହାତରୁ ରକ୍ତ ଟାଣିବା, ମୀନାକ୍ଷି ଧରଙ୍କ ଜୟନ୍ତୀରେ ଗୀତଗାଇବାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଆଜି ସିଭିଟାଉନସିପସ୍ଥ ଗୁରୁଦ୍ବାରରେ ଆୟୋଜିତ ପ୍ରକାଶ ଉତ୍ସବରେ ସାରଦା ଆଉ ଏକ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରଷିବା ସହ ସେମାନଙ୍କ ବାସନ ମାଜିଥିଲେ। ସୋମବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସାହେବ ଶ୍ରୀ ଗୁରୁ ରାମଦାସ ଜୀ ମହାରାଜଙ୍କ ଗୁରୁମତ୍‌ କୀର୍ତ୍ତନ ସମାଗମ କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସାରଦା ଯୋଗ ଦେଇଥିଲେ। ଗୁରୁଦ୍ବାର କମିଟିର କର୍ମକର୍ତ୍ତାଙ୍କ ସହ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଥମେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରଷିଥିଲେ। ପରେ ସେମାନଙ୍କ ବାସନଗୁଡ଼ିକୁ ଗୋଟିଏ ପରେ ଗୋଟିଏ ମାଜିଥିଲେ। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Advertisment

ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ମନ୍ତ୍ରୀ ସାରଦା ନିଜର ପ୍ରଚାରପ୍ରସାର ପାଇଁ ଏଭଳି କାମ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଶ୍ରମମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ଯୋଗେଦେଇ ଭିନ୍ନଭିନ୍ନ ଅବତାରରେ ଅବତୀର୍ଣ୍ଣ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ୧୨ ଦିନତଳେ ସୁନ୍ଦରଗଡ଼ରେ ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରିଥିଲେ ରଇସ ଅନିସ ସାବରି। ଏଥିରେ ଅତିଥି ଭାବେ ଯୋଗ ଦେଇଥିବା ସାରଦା ତାଙ୍କ ଉପରକୁ ପୁଳାପୁଳା ଟଙ୍କା ଉଡ଼ାଇଥିଲେ। କେତେବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡ଼ାଉଥିଲେ ତ କେତେବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଦେଉଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାସ୍ଥ ରକ୍ତଭଣ୍ଡାରରେ ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଜଣେ ରକ୍ତଦାତାଙ୍କ ରକ୍ତ ଟାଣିଥିଲେ, ଯାହାକୁ ନେଇ ବିବାଦ ଉପୁଜିଥିଲା। ବିଜେପି ପକ୍ଷରୁ ରଘୁନାଥପାଲୀ ଥାନାରେ ମନ୍ତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରା ଯାଇଥିଲା। ଜିଲ୍ଲା କଂଗ୍ରେସ କର୍ତ୍ତୃପକ୍ଷ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଅନୁରୂପ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।