ଭୁବନେଶ୍ୱର : ସାଇବର ଠକଙ୍କ ଶିକାର ହୋଇଛନ୍ତି ଆଉ ଜଣେ ମହିଳା ଆଇପିଏସ୍। ମହିଳା ଆଇପିଏସ୍ ସାରା ଶର୍ମାଙ୍କ ନାମରେ ଫେସ୍ବୁକ୍ ଆକାଉଣ୍ଟ ଖୋଲି ବନ୍ଧୁମାନଙ୍କୁ ଟଙ୍କା ମାଗୁଛି ଠକ। କେତେକ ବନ୍ଧୁ ଆଇପିଏସ୍ଙ୍କୁ ସାହାଯ୍ୟ କରିବାକୁ ଯାଇ ଟଙ୍କା ମଧ୍ୟ ଦେଇଛନ୍ତି। ବନ୍ଧୁମାନଙ୍କ ଠାରୁ ଏଭଳି ଶୁଣିବା ପରେ କାହାକୁ ଟଙ୍କା ନ ଦେବା ପାଇଁ ସାରା ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଅପ୍ଡେଟ୍ କରିଛନ୍ତି। ଗଜପତିରୁ ସ୍ଥାନାନ୍ତର ହେବା ପରେ ସେ ଏବେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଛନ୍ତି।
ପୂର୍ବରୁ ଆଇପିଏସ୍ ଅଫିସର ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କର ଫଟୋ ବ୍ୟବହାର କରି ସାଇବର ଠକ ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲିଥିଲା। ତାଙ୍କର ସମସ୍ତ ଫେସ୍ବୁକ୍ ବନ୍ଧୁମାନଙ୍କୁ ଟଙ୍କା ମାଗୁଥିଲା। ଏଭଳି ଟଙ୍କା ନ ଦେବା ପାଇଁ ଶ୍ରୀ ଆଚାର୍ଯ୍ୟ ବନ୍ଧୁମାନଙ୍କୁ ଅନୁରୋଧ କରିଥିଲେ। ଠିକ୍ ସେହିଭଳି ଆଇପିଏସ୍ ଅଫିସର ତଥା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମରେ ମଧ୍ୟ ଆକାଉଣ୍ଟ ଖୋଲିଥିଲା। ଅନୁରୂପ ଢଙ୍ଗରେ ଠକ ବନ୍ଧୁ ମାନଙ୍କୁ ଟଙ୍କା ମାଗୁଥିଲା। ପୂର୍ବତନ ଡିସିପି ତଥା ଡିଆଇଜି ଅନୁପ ସାହୁଙ୍କର ମଧ୍ୟ ନକଲି ଫେସ୍ବୁକ୍ ଆକାଉଣ୍ଟ ଖୋଲି ଠକ ଟଙ୍କା ମାଗୁଥିଲା। ସେ ମଧ୍ୟ କାହାକୁ ଟଙ୍କା ନ ଦେବାକୁ ଷ୍ଟାଟସ୍ ଅପଡେଟ୍ କରିଥିଲେ। ସେହିଭଳି ଓଏଏସ୍ ଅଫିସର ବିଭୂତି ଭୂଷଣ ଦାସଙ୍କ ନାମରେ ମଧ୍ୟ ଠକ ଫେସ୍ବୁକ୍ ଆକାଉଣ୍ଟ ଖୋଲିଥିଲା ଏବଂ ଟଙ୍କା ମାଗୁଥିଲା। ଏମାନଙ୍କ ବ୍ୟତୀତ ଏକାଧିକ ଓପିଏସ୍ ଅଫିସର ମଧ୍ୟ ଏଭଳି ହତାଶ ହୋଇଥିଲେ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆକାଉଣ୍ଟ ଖୋଲା ଯାଉଥିବା ମୋବାଇଲ କିମ୍ବା କମ୍ପ୍ୟୁଟରର ଆଇପି ଆଡ୍ରେସ୍ ଜରିଆରେ ଠକକୁ ଧରି ହେବ। ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଲେ ଆଉ ଏଭଳି କେହି ସାହସ କରିବେ ନାହିଁ।